ସଙ୍କଟରେ ଇମ୍ରାନ ଖାନ: ଗାଏବ ହୋଇଗଲେ ୫୦ରୁ ଅଧିକ ସଂଘୀୟ ଓ ପ୍ରାଦେଶିକ ମନ୍ତ୍ରୀ

ପାକିସ୍ତାନ: ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ପଦ ଟଳମଳ ହେଉଛି । ବିରୋଧି ଏକତ୍ରିତ ହୋଇ ଇମ୍ରାନ ଖାନ୍‌ ଙ୍କୁ ପଦ ରୁ ହଟାଇବା ଲାଗି ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି । ନିଜ ଦଳ ପିଟିଆଇର ବହୁ ସାଂସଦ ମଧ୍ୟ ଏହି ପ୍ରସ୍ତାବକୁ ସମର୍ଥନ କରିଛନ୍ତି । ନିଜର ଗାଦି ଟଳମଳ ହେଉଥିବା ବେଳେ ଇମ୍ରାନ ରବିବାର ଇସ୍ତଫା ଦେଇପାରନ୍ତି ବୋଲି ଚର୍ଚ୍ଚା ଜୋର୍‌ ଧରିଛି ।

ରବିବାର ଇସ୍‌ଲାମାବାଦରେ ପିଟିଆଇର ଏକ ବିଶାଳ ରାଲି ଆୟୋଜିତ ହେଉଛି । ଏହି ରାଲିକୁ ସମ୍ବୋଧନ କରିବା ଅବସରରେ ଇମ୍ରାନ ଇସ୍ତଫା ବିଷୟ ଘୋଷଣା କରିବାର ସମ୍ଭାବନା ରହିଛି । ଏଭଳି ସଙ୍କେତ ଦେଇଛନ୍ତି ଦେଶର ଗୃହମନ୍ତ୍ରୀ ଶେଖ ରସିଦ । ପୂର୍ବରୁ ଇମ୍ରାନ ବାରମ୍ବାର କହିଆସିଛନ୍ତି ଯେତେ ଚାପ ପଡିଲେ ମଧ୍ୟ ସେ ଇସ୍ତଫା ଦେବେ ନାହିଁ । ଅନ୍ୟପକ୍ଷରେ ନିଜ ଦଳର ପ୍ରାୟ ୫୦ରୁ ଅଧିକ ସଂଘୀୟ ଓ ପ୍ରାଦେଶିକ ମନ୍ତ୍ରୀ ଗାଏବ ହୋଇଯିବା ଇମ୍ରାନଙ୍କ ସମସ୍ୟାକୁ ଦ୍ୱିଗୁଣିତ କରିଛି । ଇମ୍ରାନଙ୍କ ବିରୋଧରେ ଆନାସ୍ଥା ପ୍ରସ୍ତାବ ଅଣାଯିବା ପ୍ରସଙ୍ଗ ଉଠିବା ପରେ ଏହି ମନ୍ତ୍ରୀଙ୍କର ଆଉ ଦେଖାନାହିଁ । ସେମାନଙ୍କ ମଧ୍ୟରୁ ୨୫ ଜଣ ଇମ୍ରାନଙ୍କ କ୍ୟାବିନେଟର ମନ୍ତ୍ରୀ ହୋଇଥିଲା ବେଳେ ୪ ଜଣ ରାଷ୍ଟ୍ରମନ୍ତ୍ରୀ ଏବଂ ଅନ୍ୟ ୨୩ ଜଣ ପ୍ରାଦେଶିକ ମନ୍ତ୍ରୀ ଅଛନ୍ତି । ଚର୍ଚ୍ଚା ହେଉଛି କି ଏମାନେ ବିରୋଧୀ ଦଳମାନଙ୍କ ସହ ମିଶି ଇମ୍ରାନଙ୍କ ବିରୋଧରେ ଭୋଟ ଦେବେ ।

ସେପଟେ ପାକିସ୍ତାନ ସୁପ୍ରିମକୋର୍ଟ କହିଛନ୍ତି ଯେ ଶାସକ ଦଳର ମନ୍ତ୍ରୀ କିମ୍ବା ସାଂସଦମାନେ ଅନାସ୍ଥା ପ୍ରସ୍ତାବ ସପକ୍ଷରେ ଭୋଟ ଦେଇପାରିବେ । ଏଭଳି କ୍ଷେତ୍ରରେ ସେମାନଙ୍କ ବିରୋଧରେ ଦଳବଦଳ ନିରୋଧ ଆଇନ ଲାଗୁ ହୋଇପାରିବ ନାହିଁ । ସୂଚନାଯୋଗ୍ୟ ଯେ ଇମ୍ରାନଙ୍କ ବିରୋଧରେ ଗତକାଲି (ଶୁକ୍ରବାର) ସଂସଦରେ ଅନାସ୍ଥା ପ୍ରସ୍ତାବ ଆସିବାର ଥିଲା । କିନ୍ତୁ ତାଙ୍କ ଦଳ ପିଟିଆଇର ଜଣେ ସାଂସଦଙ୍କ ଅକାଳ ମୃତ୍ୟୁ ଯୋଗୁ ସଂସଦକୁ ମୁଲତବୀ ରଖିବାକୁ ପଡିଥିଲା ।

ତେବେ ଆସନ୍ତା ସୋମବାର ସଂସଦରେ ଇମ୍ରାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିବ ବୋଲି ଚର୍ଚ୍ଚା ଜୋର ଧରିଛି ।

Related Posts