ଓ୍ବାଶିଂଟନ(ସତ୍ୟପାଠ ବ୍ୟୁରୋ): ଆମେରିକା ଏବଂ ଇରାନ ମଧ୍ୟରେ ହୋଇଥିବା ଶାନ୍ତି ଚୁକ୍ତିପତ୍ରରେ ଡିଜିଟାଲ ସ୍ବାକ୍ଷର କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ , ଉପରାଷ୍ଟ୍ରପତି ଜେଡି ଭାନ୍ସ ଏବଂ ଇରାନ ସଂସଦ ବାଚସ୍ପତି ମହମ୍ମଦ ବଘେର ଗଲିବାଫ । ଆସନ୍ତା ସପ୍ତାହରେ ଏହି ଶାନ୍ତି ଚୁକ୍ତି ଔପଚାରିକ ଭାବେ ସ୍ବାକ୍ଷର ହେବ। କିନ୍ତୁ ଏହା ପୂର୍ବରୁ ଆମେରିକାର ବରିଷ୍ଠ ନେତାମାନେ ମଧ୍ୟ ଏହି ଚୁକ୍ତିପତ୍ରରେ ସ୍ବାକ୍ଷର କରିଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ଘୋଷଣା କରିଥିଲେ, ଯେ ଇରାନ ସହିତ ଏକ ଶାନ୍ତି ଚୁକ୍ତି ଚୂଡ଼ାନ୍ତ ହୋଇଛି। ସେ କହିଛନ୍ତି, ହର୍ମୁଜ୍ ପ୍ରଣାଳୀ ପୁଣି ଖୋଲାଯିବ ଏବଂ ଆମେରିକାର ନୌସେନା ଅବରୋଧ ତୁରନ୍ତ ଉଠାଇ ନିଆଯିବ। ସାମାଜିକ ଗଣମାଧ୍ୟମ ‘ଟ୍ରୁଥ’ରେ ସେ ଲେଖିଛନ୍ତି, ଇସଲାମିକ୍ ଗଣରାଜ୍ୟ ଇରାନ ସହିତ ଚୁକ୍ତି ଏବେ ସମ୍ପୂର୍ଣ୍ଣ ହୋଇଛି ଏବଂ ଏଥିରେ ସାମିଲ ସମସ୍ତ ପକ୍ଷଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଲେଖିଛନ୍ତି, ‘ଦୀର୍ଘ ସମୟ ଆଲୋଚନା ପରେ ଆମେ ଖୁସିର ସହିତ ଘୋଷଣା କରୁଛୁ ଯେ ଆମେରିକା ଏବଂ ଇସଲାମିକ ଗଣରାଜ୍ୟ ଇରାନ ମଧ୍ୟରେ ଏକ ଶାନ୍ତି ଚୁକ୍ତି ହୋଇଛି। ଉଭୟ ପକ୍ଷ ଲେବାନନ ସମେତ ସମସ୍ତ ମୋର୍ଚ୍ଚାରେ ତୁରନ୍ତ ଏବଂ ସ୍ଥାୟୀ ଭାବରେ ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ କରିବାକୁ ଘୋଷଣା କରିଛନ୍ତି।