ଇନ୍ଦିରାନଗରରେ କାଉନସିଲର କିଏ ହେବ ଆଉ କେଉଁଦଳକୁ ସମର୍ଥନ କରାଯିବ ସେନେଇ ଚାଲିଛି ଭୋଟ; ଭାଇରାଲ ହେଉଛି ଏହାରି ଭିଡିଓ..

ଭୁବନେଶ୍ୱର(ସତ୍ୟାପାଠ ବ୍ୟୁରୋ): ପଞ୍ଚାୟତ ନିର୍ବାଚନ ପରେ ବର୍ତ୍ତମାନ ପୌରନିର୍ବାଚନ ଉପରେ ସମସ୍ତଙ୍କର ନଜର ରହିଛି । ଏନେଇ ଦଳମାନେ ମଧ୍ୟ ପୁଣିଥରେ ଚଳଚଞ୍ଚଳ ହୋଇ ଉଠିଛନ୍ତି । ଏହା ମଧ୍ୟରେ ପୌରନିର୍ବାଚନର ଭୋଟ ପୂର୍ବରୁ ଭୋଟ ଚାଲିଥିବାର କଥା ସାମ୍ନାକୁ ଆସିଛି । ଏପରି ଏକ ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ପୌରାଞ୍ଚଳ ୨୦ ନଂ ୱାର୍ଡ ଇନ୍ଦିରାନଗରରେ। ତେବେ କିଏ ହେବ ପ୍ରାର୍ଥୀ ଓ କେଉଁ ଦଳକୁ କରାଯିବ ସମର୍ଥନ ସେ ନେଇ ଭୋଟିଂ ହୋଇଥିବା କୁହାଯାଉଛି। ଏବେ ଭୋଟ୍ ପୂର୍ବରୁ ଭୋଟ୍ର ଭିଡିଓ ଭାଇରାଲ ହୋଇଛି। ସେପଟେ ଇନ୍ଦିରା ନଗର ପନାବାସୀ ରାଧାକୃଷ୍ଣ ମନ୍ଦିରରେ ଭୋଟିଂ ବୁଥ କରିଥିଲେ। ସେଠାରେ କାଉନସିଲର କାହାକୁ କରାଯିବ ଏବଂ କେଉଁ ଦଳକୁ ଭୋଟ ଦେବେ ସେ ନେଇ ଭୋଟିଂ ହୋଇଥିବା ଭାଇରାଲ ଭିଡିଓରୁ ଜଣାପଡୁଛି। ଭିଡିଓ ଗତକାଲିର ବୋଲି ଜଣାପଡ଼ିଥିବା ବେଳେ ଜିଲ୍ଲା ପ୍ରଶାସନ ଚୁପଚାପ ବସିଛି। ଅନ୍ୟପଟେ ସରକାରୀ ଜାଗାରେ ଇନ୍ଦିରାନଗରପଡ଼ା ଗଢ଼ି ଉଠିଥିଲା।

ପ୍ରଶାସନ ବି ସବୁ ସୁବିଧା ସୁଯୋଗ ଦେଇଥିଲା। କିଛି ମାସ ତଳେ ସରକାରୀ ଜାଗାରେ ଘର କରି ରହୁଥିବା ଲୋକଙ୍କୁ ଉଚ୍ଛେଦ ପାଇଁ ନୋଟିସ ଦିଆଯାଇଥିଲା। କିଛି ଲୋକଙ୍କୁ ମଧ୍ୟ ଉଚ୍ଛେଦ କରିସାରିଛି ପ୍ରଶାସନ। ଏଭଳି ସ୍ଥିତିରେ ପଡ଼ାବାସୀ ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ପୁଣି ଥରେ ପଡ଼ାରେ ବିଚାର କରାଯାଇ ପଡ଼ାର ଯେଉଁ ଦଳକୁ ବେଶି ଭୋଟ ଯିବ ସେହି ଦଳକୁ ନିର୍ବାଚନରେ ସମର୍ଥନ ଦେବେ ବୋଲି ଭୋଟ କରିଥିଲେ। ପୂରା ଭୋଟିଂ ଯେମିତି ହୁଏ ସେମିତି ହୋଇଥିଲା। ମଣ୍ଡପରେ ଭୋଟ ବାକ୍ସ ରଖାଯାଇଥିଲା। ସେଥିରେ ସମସ୍ତେ ବିଭିନ୍ନ ଚିହ୍ନକୁ ଭୋଟ ଦେଇଥିଲେ। ଗୋଟିଏ ଦଳର ଚିହ୍ନରେ ଅଧିକ ଭୋଟ ପଡ଼ିବାରୁ ତାକୁ ସମସ୍ତେ ସମର୍ଥନ ଦେବେ ବୋଲି ଜଣାପଡ଼ିଛି। ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।

Related Posts