କେରଳ କରୋନା ର ଆଗ୍ନେୟଗିରି ଉପରେ ବସିଛି: ମୁଖ୍ୟମନ୍ତ୍ରୀ

punorae bijay

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: କେରଳରେ କରୋନା ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ବୃଦ୍ଧି ପାଇବାରେ ଲାଗିଛି। ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଶନିବାର କହିଛନ୍ତି ଯେ ରାଜ୍ୟ କରୋନାର ଆଗ୍ନେୟଗିରି ଉପରେ ବସିଛି। ତେବେ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସହ ଆଲୋଚନା ସମୟରେ ସେ କହିଛନ୍ତି ଯେ, ରାଜ୍ୟବାସୀ ଭୟଭୀତ ନହୋଇ ସତର୍କ ରୁହନ୍ତୁ। ଜନଗହଳି ପୂର୍ଣ୍ଣ ସ୍ଥାନରୁ ଦୂରେଇ ରହିବା , ଶାରୀରିକ ଦୂରତା ବଜାୟ ରଖିବା ଏବଂ ମାସ୍କ ବ୍ୟବହାର କରିବାକୁ ସେ ନାଗରିକମାନଙ୍କୁ ନିବେଦନ କରିଛନ୍ତି । ବଢୁଥିବା ମାମଲାକୁ ଦୃଷ୍ଟିରେ ରଖି ସେ ଘରୋଇ ଡାକ୍ତରଖାନା ଗୁଡିକ ୨୫ ପ୍ରତିଶତ ବେଡ୍ କରୋନା ରୋଗୀଙ୍କ ପାଇଁ ସଂରକ୍ଷିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ , ବର୍ତ୍ତମାନର କରୋନା ସ୍ଥିତିର ମୁକାବିଲା ପାଇଁ ପ୍ରାଇଭେଟ୍ ସେକ୍ଟର ଗୁଡିକ ସରକାରଙ୍କ ସହ ସହଯୋଗ କରିବାକୁ ପ୍ରତିଶୃତି ଦେଇଛନ୍ତି । ଜନସାଧାରଣଙ୍କ ପାଇଁ କେରଳ ସରକାର ଡାକ୍ତରଖାନାରେ ଥିବା ବେଡ୍ , ଆଇସିୟୁ ଏବଂ ଭେଣ୍ଟିଲେଟର ସମ୍ବନ୍ଧୀୟ ତଥ୍ୟକୁ ସମ୍ପୃକ୍ତ ଜିଲ୍ଲା ମେଡିକାଲ ଅଫିସରଙ୍କ ନିକଟରେ ପ୍ରକାଶ କରିବେ, ଯାହା ଇ-ଜାଗ୍ରଥା ପୋର୍ଟାଲରେ ଅପଲୋଡ କରାଯିବ। ବର୍ତ୍ତମାନ, କେରଳରେ କରୁଣ୍ୟ ଆରୋଗ୍ୟ ସୁରକ୍ଷା ପଦ୍ଧତି (KASP) ଯୋଜନାରେ କରୋନା ରୋଗୀଙ୍କୁ ସରକାରୀ ଡାକ୍ତରଖାନା ଗୁଡ଼ିକରେ ମାଗଣା ଚିକିତ୍ସା ପ୍ରଦାନ କରାଯାଉଥିବା ବେଳେ ଘରୋଇ ଡାକ୍ତରଖାନାଗୁଡ଼ିକରେ ସବସିଡି ହାରରେ ଚିକିତ୍ସା ଯୋଗାଇ ଦିଆଯାଉଛି। କେଏଏସପି ଅଧୀନରେ ଅଧିକରୁ ଅଧିକ ଡାକ୍ତରଖାନାଗୁଡ଼ିକୁ ଯୋଗଦେବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି। ଦିନକୁ ଦିନ ମାମଲା ସଂଖ୍ୟା ବୃଦ୍ଧି ପାଉଥିବାରୁ ଥିରୁବନନ୍ତପୁରମ୍ ମେଡିକାଲ୍ କଲେଜ ହସ୍ପିଟାଲ୍ (MCH) ରେ ବେଡ୍ ସଂଖ୍ୟା ବୃଦ୍ଧି କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଜିଲ୍ଲାପାଳ ନବଜୋତ୍ ଖୋସା ଏପ୍ରିଲ୍ 30 ସୁଦ୍ଧା ଗୁରୁତର କରୋନା ରୋଗୀଙ୍କ ପାଇଁ 1,400 ରୁ ଅଧିକ ବେଡ୍ ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଗତ କିଛି ଦିନ ହେବ ଥିରୁବନନ୍ତପୁରମ୍ ରେ ପ୍ରତିଦିନ 2200 ରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଥିରୁଅନନ୍ତପୁରମ ମେଡିକାଲ କଲେଜ ହସ୍ପିଟାଲରେ ଅଣ-କୋଭିଡ୍ ଚିକିତ୍ସାରେ ମଧ୍ୟ କିଛି ପ୍ରତିବନ୍ଧକ ଲଗାଯାଇଛି। କେବଳ କରୋନା ରୋଗୀଙ୍କ ପାଇଁ ସର୍ବନିମ୍ନ 250 ଆଇସିୟୁ ବେଡ୍ ଏବଂ 100 ଭେଣ୍ଟିଲେଟର ବ୍ଯବସ୍ଥା କରିବାକୁ ଜିଲ୍ଲା ପ୍ରଶାସନ MCH କୁ ନିର୍ଦ୍ଦେଶ ଦେଇଛି। କେବଳ 200 ଜଣ ସାଧାରଣ ରୋଗୀଙ୍କୁ MCHରେ ଡାକ୍ତରୀ ପରାମର୍ଶ ପାଇଁ ଅନୁମତି ଦିଆଯିବ। ତେବେ କୋଭିଡ୍ ପ୍ରୋଟୋକଲ୍ ଅନୁସରଣ କରୁନଥିବା ବ୍ୟକ୍ତିଙ୍କୁ ଡାକ୍ତରଖାନା ପରିସରରୁ ବାହାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Related Posts