ଏଣିକି ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀଙ୍କ ଲାଗି ରହିବନି ପ୍ରୋଟୋକଲ ବ୍ୟବସ୍ଥା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଏଣିକି ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀଙ୍କ ଲାଗି ରହିବନି ପ୍ରୋଟୋକଲ ବ୍ୟବସ୍ଥା । ତେବେ ମହାରାଷ୍ଟ୍ରରେ ବିଦ୍ରେହୀ ଶିବସେନା ନେତା ଏକନାଥ ସିନ୍ଦେ ନିକଟରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ତାଙ୍କ ମନ୍ତ୍ରିମଣ୍ଡଳ ଗଢାଯାଇନି। ତେବେ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବା ଆରମ୍ଭ କରିଦେଲେଣି। ଏହି କ୍ରମରେ ସିନ୍ଦେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ସମ୍ପର୍କିତ ଏହ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏଥିରେ ପ୍ରଚଳିତ ପ୍ରୋଟୋକଲ ବ୍ୟବସ୍ଥାକୁ ହଟାଇ ଦେଇଛନ୍ତି। ଏଣୁ ମୁଖ୍ୟମନ୍ତ୍ରୀ କୌଣସି ସ୍ଥାନକୁ ଗଲେ ତାଙ୍କ ଲାଗି ଆଉ ସ୍ପେଶାଲ ପ୍ରୋଟକଲ ଲାଗୁ ହେବନାହିଁ। ସିନ୍ଦେ ଏଥିଲାଗି ମହାରାଷ୍ଟ୍ର ଡିଜିପି ରଜନିଶ ସେଠ ଓ କମିଶନରଙ୍କ ସହ ଆଲୋଚନା କରିଛନ୍ତି। ଏ ବାବଦେ ସିନ୍ଦେ ଜରୁରି ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଲାଗି ତାଙ୍କ କାରକେଡରେ ଅନେକ ବାହନ ଥାନ୍ତି। ଜେବେବି ମୁଖ୍ୟମନ୍ତ୍ରୀ ସଡକ ମାର୍ଗରେ କେଉଁଆଡେ ଯାଆନ୍ତି ଦୀର୍ଘ ସମୟ ପୂର୍ବରୁ ତାଙ୍କ ଗନ୍ତବ୍ୟ ସଡକକୁ ଟ୍ରାଫିକ୍ ମୁକ୍ତ କରାଯାଇଥାଏ।

ଏଣୁ ସାଧାରଣ ଲୋକେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି।ଏହା ଛଡା ପ୍ରୋଟୋକଲ ଯୋଗୁ ଏପରି କେତେକ କାମ କରିବାକୁ ହୋଇଥାଏ ଯାହା ବାସ୍ତବିକ ଜନତାଙ୍କ ଲାଗି ଅସୁବିଧାର କାରଣ ହୋଇଥାଏ। ଏଣୁ ଏସବୁକୁ ନଜରରେ ରଖି ସିନ୍ଦେ ଏପରି ନିଷ୍ପତ୍ତି ନେଇଛନ୍ତି। ଫଳରେ ଆଗକୁ ମୁମ୍ବାଇ ହେଉ କି ମହାରାଷ୍ଟ୍ରର କୌଣସି ସ୍ଥାନକୁ ମୁଖ୍ୟମନ୍ତ୍ରୀ ଗଲେ ତାଙ୍କ ଲାଗି ସ୍ୱତନ୍ତ୍ର ପ୍ରୋଟୋକଲ ଲାଗୁ ହେବ ନାହିଁ। ଏପଟେ ଶିବସେନା ନେତାମାନେ ଉଦ୍ଧବଙ୍କ ଗୋଷ୍ଠୀ ଛାଡି ସିନ୍ଦେଙ୍କ ଗୋଷ୍ଠୀରେ ଯୋଗଦେବାରେ ଲାଗିଛନ୍ତି। ଏଣୁ ସିନ୍ଦେଙ୍କ ଗୋଷ୍ଠୀ ବେଳକୁ ବେଳ ମଜଭୁତ ହେବାରେ ଲାଗିଛି। ନଭି ମୁମ୍ବାଇ ମ୍ୟୁନସିପାଲ କର୍ପୋରେସନର ୩୨ ଜଣ କର୍ପୋରେଟର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ସମର୍ଥନ ଜଣାଇଛନ୍ତି। ଏହା ପୂର୍ବରୁ ଠାଣେ ନଗରନିଗମର ୬୭ରୁ ୬୬ ଜଣ କର୍ପୋରେଟର ସିନ୍ଦେଙ୍କୁ ସମର୍ଥନ କରିବେ ବୋଲି କହିଥିଲେ।

Related Posts