(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର :ସାରା ଦେଶରେ ଏଵେ ଟିକାକରଣ ଅଭିଯାନ ଜୋରଦାର ଚାଲିଛି । ତେବେ ଏହା ମଧ୍ୟରେ ମହାରାଷ୍ଟ୍ରର ଠାଣେରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଠାଣେର ଜଣେ ୨୮ ବର୍ଷିୟ ମହିଳା ଦାବି କରିଛନ୍ତି ଯେ ତାଙ୍କୁ ୧୫ ମିନିଟରେ କୋଭିଡ୍ ଭ୍ୟାକସିନର ତିନି ଡୋଜ୍ ଦିଆଯାଇଛି । ମାମଲା ହେଉଛି ୨୫ ଜୁନ୍ ର । ଠାଣେର ଗୋଡବନ୍ଦର ରୋଡରେ ଥିବା ଆନନ୍ଦ ନଗର ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ମହିଳାଙ୍କୁ ୧୫ ମିନିଟରେ କୋଭିଡ୍ ଭ୍ୟାକସିନର ତିନି ଡୋଜ୍ ଦିଆଯାଇଥିବା ନେଇ ଅଭିଯୋଗ ହୋଇଛି। ମହିଳା ଜଣକ ଘରକୁ ଆସିବା ପରେ ସେ ଏ ବିଷୟରେ ତାଙ୍କ ସ୍ୱାମୀଙ୍କୁ କହିଥିଲେ। ଏହି ମାମଲା ସାମ୍ନାକୁ ଆସିବା ପରେ ସ୍ଥାନୀୟ ବିଜେପି କର୍ପୋରେଟର ମନୋହର ଡମ୍ବ୍ରେ ଉକ୍ତ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିବାବେଳେ ପ୍ରଶାସନ ଏହି ଅଭିଯୋଗକୁ ଖଣ୍ଡନ କରିଛି। ସ୍ୱାସ୍ଥ୍ୟ ଅଧିକାରୀଙ୍କ କହିବାନୁସାରେ – ସେ ନିଜେ ଯାଞ୍ଚ୍ କରିଛନ୍ତି। ମହିଳା ମଧ୍ୟ ସୁସ୍ଥ ଅଛନ୍ତି ଏବଂ ଏହିପରି କିଛି ଘଟିନାହିଁ ବୋଲି ସେ କହିଛନ୍ତି। ମହିଳାଙ୍କ ସ୍ୱାମୀ କହିଛନ୍ତି ଯେ ଜୁନ୍ ୨୫ ରେ ଯେତେବେଳେ ତାଙ୍କ ପତ୍ନୀ ଟିକା ନେବାକୁ ଯାଇଥିଲେ, ଗୋଟିଏ ଟିକା ନେବା ପରେ ମଧ୍ୟ କେହି ତାଙ୍କୁ ଉଠିବାକୁ କହି ନଥିଲେ, ୫ ମିନିଟ ପରେ ତାଙ୍କୁ ଦ୍ୱିତୀୟ ଟିକା ଦିଆଯାଇଥିଲା, ତଥାପି କେହି ତାଙ୍କୁ ଯିବାକୁ କହି ନଥିଲେ ଏବଂ ଏହାପରେ ତୃତୀୟ ଟିକା ଦିଆଯାଇଥିଲା। ଏମିତି 15 ମିନିଟ୍ ମଧ୍ୟରେ ମହିଳାଙ୍କୁ ତିନି ଡୋଜ ଟିକା ଦିଆଯାଇଥିଲା। ଯେତେବେଳେ ମହିଳା ଜଣକୁ ସନ୍ଧ୍ୟାରେ ଜ୍ୱର ହେଲା, ସେତେବେଳେ ସେ ଡାକ୍ତରଙ୍କ ପରାମର୍ଶ ନେଇଥିଲେ । ମହିଳାଙ୍କ ସ୍ବାମୀ କହିଛନ୍ତି, ” ପରଦିନ ମୁଁ ଅନୁଭବ କଲି ଯେ ମୋ ପତ୍ନୀଙ୍କ ସହ କିଛି ହୋଇପାରେ, ତେଣୁ ମୁଁ ସ୍ଥାନୀୟ କର୍ପୋରେଟର କବିତା ସୁରେଶ ପାଟିଲଙ୍କ ନିକଟକୁ ଯାଇ ତାଙ୍କୁ କହିଲି। ” ସେ ଆହୁରି ମଧ୍ୟ କହିଛନ୍ତି ଯେ, ଡାକ୍ତରୀ ଟିମ୍ ତାଙ୍କ ଘରକୁ ଆସି ଯାଞ୍ଚ କରିଛନ୍ତି। ସ୍ୱାସ୍ଥ୍ୟବସ୍ଥା ଠିକ୍ ଅଛି ଏବଂ ଓଭରଡୋଜ୍ ପାଇଁ ଏମିତି ହୋଇଛି ।
Related Posts
-
Copyright © SatyaPatha2021