
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ମାଟ୍ରିକ ମୂଲ୍ୟାୟନ ଦ୍ବନ୍ଦ୍ବକୁ ନେଇ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ଅସନ୍ତୋଷ ମଧ୍ୟରେ ଆଜି ବୋର୍ଡ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇଛି। ମୂଲ୍ୟାୟନରେ ତ୍ରୁଟି ହୋଇଛି କି ନାହିଁ ଏହାର ଉତ୍ତର ରଖିଛନ୍ତି ବୋର୍ଡ କର୍ତ୍ତୃପକ୍ଷ । କରୋନା ମହାମାରୀ କାରଣରୁ ଶ୍ରେଣୀଗୃହ ପାଠପଢ଼ା ହୋଇ ନଥିବାରୁ ଏଥର ପାଠ୍ୟକ୍ରମ ହ୍ରାସ କରାଯାଇଥିଲା । ଶହେ ଦିନର ପାଠପଢ଼ା ପରେ ମେ ୩ ତାରିଖରେ ମାଟ୍ରିକ୍ ପରୀକ୍ଷା ହେବାର ଥିଲା । ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ପରୀକ୍ଷା ଦର୍ପଣ ନାଁରେ ଏକ ପାର୍ଟନ ସମସ୍ତଙ୍କୁ ଦିଆଯାଇଥିଲା । ଦ୍ବିତୀୟ ଲହର ଭୟାବହତାକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀଙ୍କ ଜୀବନର ସୁରକ୍ଷା ପାଇଁ ସରକାର ପରୀକ୍ଷାକୁ ବାତିଲ୍ କରିଥିଲେ। ପରୀକ୍ଷା ହୋଇନଥିବାରୁ ବିକଳ୍ପ ମୂଲ୍ୟାୟନ ବ୍ୟବସ୍ଥା କରିଥିଲା ବୋର୍ଡ । ବିକଳ୍ପ ମୂଲ୍ୟାୟନର ସବିଶେଷ ତଥ୍ୟ ୱେବସାଇଟରେ ଦିଆଯିବା ସହ ସବୁ ସ୍କୁଲର ପ୍ରଧାନଶିକ୍ଷକଙ୍କୁ ପଠା ଯାଇଥିଲା । ମେ ୭ ତାରିଖରେ ଏହି ବିକଳ୍ପ ବ୍ୟବସ୍ଥାର ଗାଇଡଲାଇନକୁ ସାର୍ବଜନୀନ କରାଯାଇଥିଲା । ନବମ ଓ ଦଶମ ଶ୍ରେଣୀର ମାର୍କକୁ ନେଇ ମୂଲ୍ୟାୟନ କରାଯାଇଥିଲା । ସ୍କୁଲ୍ ମାନେ ମାର୍କ ଅପଲୋଡ୍ କରିବା ପରେ ମୂଲ୍ୟାୟନ କରାଯାଇଥିବା ନେଇ ବୋର୍ଡ କର୍ତ୍ତୃପକ୍ଷ କହିଛନ୍ତି । ମୂଲ୍ୟାୟନ ନେଇ ଜିଲ୍ଲା ଶିକ୍ଷାଧିକାରୀଙ୍କ ସହ ଆଲୋଚନା ହୋଇଥିଲା ସ୍ୱତନ୍ତ୍ର କୋର କମିଟି ଗଠନ କରି ମୂଲ୍ୟାୟନର ତର୍ଜମା ହୋଇଛି । ଛାତ୍ରଛାତ୍ରୀଙ୍କ ୪ବର୍ଷର ପ୍ରଦର୍ଶନକୁ ବିଚାର କରି ମୂଲ୍ୟାୟନ କରାଯାଇଥିବା ବୋର୍ଡ କର୍ତ୍ତୃପକ୍ଷ କହିଛନ୍ତି । ୨୦୧୭,୨୦୧୮,୨୦୧୯ ଓ ୨୦୨୦ବର୍ଷର ପ୍ରଦର୍ଶନ ବିଚାର କରିଛୁ । ସିବିଏସ୍ଇ ମୂଲ୍ୟାୟନ ପଦ୍ଧତିକୁ ମଧ୍ୟ ଅନୁସରଣ କରାଯାଇଛି । ୨୨ଟି ସ୍କୁଲ୍ର ରେଜେଲ୍ଟ ବଦଳିବା ବାବଦରେ ସ୍ପଷ୍ଟାୀକରଣ ରଖିଲେ ବୋର୍ଡ । ସିବିଏସଇ ଗୋଟିଏ ବର୍ଷ ମାର୍କକୁ ବିଚାରକୁ ନେଇଥିବା ବେଳେ , ଆମେ ୪ ବର୍ଷର ମାର୍କକୁ ବିଚାରକୁ ନେଇଛୁ ବୋଲି ବୋର୍ଡର ଉପ ସଭାପତି କହିଛନ୍ତି । ଆସନ୍ତା ୫ ତାରିଖରୁ ଅଫ ଲାଇନ ପରୀକ୍ଷା ପାଇଁ ଫର୍ମ ପୂରଣ ଆରମ୍ଭ ହେବ। ଏବଂ ପରୀକ୍ଷା ପାଇଁ ଖୁବ୍ ଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ। ଜୁଲାଇ ମାସରେ ହିଁ ଅଫଲାଇନ୍ ପରୀକ୍ଷା କରାଯିବ । ପରୀକ୍ଷାର ୧୫ ଦିନ ମଧ୍ୟରେ ହିଁ ଫଳାଫଳ ପ୍ରକାଶ ପାଇବ । ଅଫଲାଇନ୍ ପରୀକ୍ଷା ମାର୍କକୁ ଚୂଡ଼ାନ୍ତ ମାର୍କ ଧରାଯିବ । ଅଫ ଲାଇନ ପରୀକ୍ଷା ପାଇଁ ପ୍ରସ୍ତୁତ ହେବାକୁ ବୋର୍ଡ଼ ପକ୍ଷରୁ କୁହାଯାଇଛି । ଅଫଲାଇନ ପରୀକ୍ଷା ରେଜଲ୍ଟ ହିଁ ଚୂଡାନ୍ତ ହେବ ବୋଲି ବୋର୍ଡ କହିଛି। କୋଭିଡ ଗାଇଡ ଲାଇନ ଆଧାରରେ ଅଫ ଲାଇନ ପରୀକ୍ଷା ହେବ। ସୂଚନାଯୋଗ୍ୟ ଯେ ମାଟ୍ରିକ ଫଳାଫଳ ପ୍ରକାଶ ପାଇବା ପରେ ଅନେକ ଛାତ୍ରଛାତ୍ରୀ ମୂଲ୍ୟାୟନରେ ତ୍ରୁଟି ଥିବା ଅଭିଯୋଗ କରିଥିଲେ। ଅଭିଭାବକ ଓ ଛାତ୍ରଛାତ୍ରୀ ମାନେ ରାଜରାସ୍ତାକୁ ଓହ୍ଲାଇ ଥିଲେ। ଏମିତିକି ବୋର୍ଡ ଅଫିସ୍ ମଧ୍ୟ ଘେରାଉ କରିଥିଲେ।