ହାଇଦ୍ରାବାଦରେ ନିବେଶକଙ୍କୁ ଭେଟି ଓଡ଼ିଶା ନିମନ୍ତ୍ରଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଦିନ ହାଇଦ୍ରାବାଦଠାରେ ଓଡ଼ିଶା ନିବେଶକ ସମ୍ମିଳନୀରେ ଯୋଗ ଦେଇ ନିବେଶକମାନଙ୍କୁ ଭେଟିବା ସହ ଓଡ଼ିଶାକୁ ଆମନ୍ତ୍ରଣ ଜଣାଇଛନ୍ତି । ବିଭିନ୍ନ କମ୍ପାନୀର ସିଇଓ ତଥା ବରିଷ୍ଠ ଅଧିକାରୀମାନଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ଆସନ୍ତା ନଭେମ୍ବର ୩୦ ତାରିଖରୁ ଭୁବନେଶ୍ୱରରେ ହେବାକୁ ଥିବା ମେକ ଇନ ଓଡ଼ିଶା ସମ୍ମିଳନୀ ରେ ଯୋଗ ଦେବାକୁ ଆମନ୍ତ୍ରଣ କରିଛନ୍ତି ।

ଏହି ଅବସରରେ ସେ ଭାରତ ବାୟୋଟେକର ଅଧ୍ୟକ୍ଷ ଡ.କ୍ରିଷ୍ଣା ଏଲାଙ୍କୁ ଭେଟି ଓଡ଼ିଶାରେ ପ୍ରସ୍ତାବିତ ଟିକା କାରଖାନା ଉପରେ ଆଲୋଚନା କରିଥିଲେ । ସେହିପରି ରାମକି ଗ୍ରୁପର ଏମଡି ୱାଇଆର. ନାଗରାଜା, ଶ୍ରୀମଲାନି ଫୋମ୍ସର ଅଧ୍ୟକ୍ଷ ପୁରୁଷୋତମ ମଲାନି, ଦିବ୍ୟଶକ୍ତି ଇଣ୍ଡିଆର ଅଧ୍ୟକ୍ଷ ରବୀନ୍ଦ୍ର ଅଗ୍ରୱାଲ,ଡେଲଏଟ ଇଣ୍ଡିଆର ଏମଡି ଏମ.ଭେଙ୍କଟରାମ, ସାନିଭିରା ଇଣ୍ଡଷ୍ଟ୍ରିଜର ଏମଡି ୱାଇ.ରାଜୀବ ରେଡ୍ଡୀ, ଆରନ କ୍ୟାପିଟାଲର ଅଧ୍ୟକ୍ଷ ଡେଭିଡ୍ ଓଲଫ, କେଂଟ୍ରାଲ-ଏସ ଡାଟାସେଂଟରର ସିଏମଡି ପିଏସ ରେଡ୍ଡୀ , ମାଇକ୍ରୋସଫ୍ଟ ଇଣ୍ଡିଆର ଏମଡି ରାଜୀବ କୁମାର, ଓରାକଲ ଇଣ୍ଡିଆର ଏମଡି ଶୈଳେନ୍ଦ୍ର କୁମାର ପ୍ରମୁଖଙ୍କୁ ମୁଖ୍ୟମନ୍ତ୍ରୀ ଭେଟି ଆଲୋଚନା କରିଥିଲେ ।

ସେହିପରି ଓଡ଼ିଶା ଏବେ ଟେକ-ଅଫ ସ୍ତରରେ ଅଛି ଅର୍ଥାତ ଉଡ଼ିବା ଆରମ୍ଭ କରିଛି ଓ ଆସନ୍ତା ୧୦ ବର୍ଷରେ ଉଚ୍ଚ ଅଭିବୃଦ୍ଧି ହାସଲ କରବ ବୋଲି ହାଇଦ୍ରାବାଦରେ ନିବେଶକ ଓ ଶିଳ୍ପପତିମାନଙ୍କୁ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନଭେମ୍ବରେ ହେବାକୁ ଥିବା ମେକ-ଇନ-ଓଡ଼ିଶା ସମ୍ମିଳନୀ ପୂର୍ବରୁ ହାଇଦ୍ରାବାଦରେ ସୋମବାରଦିନ ଏକ ରୋଡ ସୋ ଅନୁଷ୍ଠିତ ହୋଇଛି । ଏଥିରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାର ସାମର୍ଥ୍ୟ ହେଉଛି ଏହାର ପ୍ରାକୃତିକ ସଂପଦ, ଦକ୍ଷ ମାନବ ସମ୍ବଳ ଓ ସ୍ଥିର ସରକାର । ଏଥିପାଇଁ ଓଡ଼ିଶା ଏବେ ନିବେଶ ଓ ଶିଳ୍ପ କ୍ଷେତ୍ରରେ ଦେଶର ଏକ ପସନ୍ଦଯୋଗ୍ୟ କେନ୍ଦ୍ରରେ ପରିଣତ ହୋଇଛି । ଏହି ଅବସରରେ ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ , ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ୫-ଟି ସଚିବ ଭି.କେ. ପାଣ୍ଡିଆନ, ଶିଳ୍ପ ସଚିବ ହେମନ୍ତ ଶର୍ମା ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

Related Posts