ଓଡ଼ିଶାରେ ୫୪% ଅଧିକ ଜିଏସଟି ସଂଗ୍ରହ , ଜୁଲାଇରେ ୩,୬୧୫ କୋଟି ଟଙ୍କା ଆଦାୟ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କୋଭିଡ୍ ମହାମାରୀ ଭୟାବହତା ଯୋଗୁଁ ଲାଗିଥିବା କଟକଣା କାରଣରୁ ବ୍ୟବସାୟ ସେତେଟା ଠିକ୍ ନାହିଁ। ତେବେ ଏହି ଜୁଲାଇ ମାସରେ ଓଡ଼ିଶାରେ ଜିଏସଟି ଆଦାୟ ୫୪ ପ୍ରତିଶତ ବୃଦ୍ଧି ପାଇଛି । ୨୦୨୦ ଜୁଲାଇରେ ୨,୩୪୮ କୋଟି ଟଙ୍କା ରାଜସ୍ୱ ସଂଗ୍ରହ ହୋଇଥିଲା ବେଳେ ୨୦୨୧ ଆର୍ଥିକ ବର୍ଷରେ ଜୁଲାଇରେ ଏହା ୩,୬୧୫ କୋଟି ଟଙ୍କାକୁ ବୃଦ୍ଧି ପାଇଛି ।

ଜୁଲାଇ ମାସରେ ମୋଟ ୧,୧୬,୩୯୩ କୋଟି ଟଙ୍କାର ଜିଏସଟି ରାଜସ୍ୱ ସଂଗ୍ରହ ହୋଇଛି। ଏଥି ମଧ୍ୟରୁ ୨୨,୧୯୭ କୋଟି ଟଙ୍କାର ସିଜିଏସଟି, ୨୮,୫୪୧ କୋଟି ଟଙ୍କାର ଏସଜିଏସଟି, ୫୭,୮୬୪ କୋଟି ଟଙ୍କାର ଆଇଜିଏସଟି (ଉତ୍ପାଦ ଆମଦାନି ଉପରେ ସଂଗୃହୀତ ୨୭,୯୦୦ କୋଟି ଟଙ୍କାକୁ ମିଶାଇ) ଏବଂ ୭,୭୯୦ କୋଟି ଟଙ୍କାର ସେସ୍ ଅନ୍ତର୍ଭୁକ୍ତ ।

ଜୁଲାଇ ୧ରୁ ଜୁଲାଇ ୩୧ ମଧ୍ୟରେ ଦାଖଲ ହୋଇଥିବା ଜିଏସଟିଆର-୩ବିରୁ ହାସଲ କରାଯାଇଥିବା ଜିଏସଟି ସଂଗ୍ରହ ଏବଂ ସମାନ ଅବଧିରେ ହାସଲ କରାଯାଇଥିବା ଆଇଜିଏସଟି ଏବଂ ଆମଦାନିରୁ ସଂଗ୍ରହ ହୋଇଥିବା ସେସ୍ ଉପରୋକ୍ତ ସଂଖ୍ୟାରେ ମଧ୍ୟ ସାମିଲ ରହିଛନ୍ତି।

ଜୁଲାଇ ୧ରୁ ଜୁଲାଇ ୫ ତାରିଖ ମଧ୍ୟରେ ଦାଖଲ ହୋଇଥିବା ରିଟର୍ଣ୍ଣରୁ ୪,୯୩୭ କୋଟି ଟଙ୍କା ହାସଲ କରାଯାଇଥିଲା। କେନ୍ଦ୍ର ସରକାର ଆଇଜିଏସଟିରୁ ସିଜିଏସଟିକୁ ୨୮,୦୮୭ କୋଟି ଓ ଏସଜିଏସଟିକୁ ୨୪,୧୦୦ କୋଟି ଟଙ୍କା ପାଇଛନ୍ତି । ଜୁଲାଇ ମାସରେ ଉଭୟ କେନ୍ଦ୍ର ଓ ରାଜ୍ୟଗୁଡ଼ିକର ମୋଟ ରାଜସ୍ୱ ସିଜିଏସଟି ଯଥାକ୍ରମେ ୫୦,୨୮୪ କୋଟି ଟଙ୍କା ଓ ଏସଜିଏସଟି ନିମନ୍ତେ ୫୨,୬୪୧ କୋଟି ଟଙ୍କା ରହିଛି ।

ଜୁଲାଇରେ ସଂଗ୍ରହ ହୋଇଥିବା ରାଜସ୍ୱ ଗତବର୍ଷ ଜୁଲାଇ ମାସ ତୁଳନାରେ ଜିଏସଟି ରାଜସ୍ୱଠାରୁ ୩୩% ଅଧିକ । ଏହି ସମୟରେ ଉତ୍ପାଦ ଆମଦାନିରୁ ହାସଲ ହୋଇଥିବା ରାଜସ୍ୱ ୩୬% ଅଧିକ ହୋଇଥିବା ବେଳେ ଘରୋଇ ନେଣଦେଣରୁ ଆଦାୟ ହୋଇଥିବା ରାଜସ୍ୱ ପରିମାଣ ଗତବର୍ଷ ଜୁଲାଇ ରାଜସ୍ୱ ତୁଳନାରେ ୩୨% ଅଧିକ ହୋଇଛି ।

ମାସିକ ଜିଏସଟି ଆଦାୟ ଲଗାତର ୮ ମାସ ପାଇଁ ୧ ଲକ୍ଷ କୋଟି ଟଙ୍କା ଅତିକ୍ରମ କରୁଥିଲା । କିନ୍ତୁ ୨୦୨୧ ଜୁନରେ ଏଥିରେ ବ୍ୟତିକ୍ରମ ଦେଖାଯାଇଥିଲା। ଜିଏସଟି ଆୟ ୧ ଲକ୍ଷ କୋଟି ଟଙ୍କା ତଳକୁ ଖସିଥିଲା, କାରଣ ୨୦୨୧ ଜୁନ ମାସ ପାଇଁ ଆଦାୟ ହେଉଥିବା ଜିଏସଟି ରାଜସ୍ୱ ଆଦାୟ ମୁଖ୍ୟତଃ ୨୦୨୧ ମେ ମାସ ସହ ଜଡ଼ିତ ଥାଏ। କିନ୍ତୁ କରୋନାର ଦ୍ୱିତୀୟ ଲହର ଯୋଗୁଁ ମେ ମାସରେ ଅଧିକାଂଶ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ସମ୍ପୂର୍ଣ୍ଣ କିମ୍ବା ଆଂଶିକ ଲକଡାଉନରେ ରହିଥିଲେ । କୋଭିଡ ସ୍ଥିତିରେ ସୁଧାର ଆସିବା ପରେ କଟକଣା କୋହଳ ହୋଇଥିଲା । ବଳରେ ୨୦୨୧ ଜୁଲାଇ ମାସ ନିମନ୍ତେ ଜିଏସଟି ଆଦାୟ ପୁଣି ୧ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି।

Related Posts