ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଞ୍ଚାୟତ ନିର୍ବାଚନର ଭୋଟ ଗଣତି ଆଜି ଠାରୁ ଆରମ୍ଭ ହୋଇଛି । ଏନେଇ ସାରା ରାଜ୍ୟରେ ରାଜନୈତିକ ଦଳ ସମେତ ଲୋକଙ୍କ ମଧ୍ୟରେ ଉତ୍ସାହ ଭରିରହିଛି । ସେପଟେ ପ୍ରଥମ ଦିନ ଗୋଟାଏ ଯାଏ ମିଳିଥିବା ଚିତ୍ର ଅନୁସାରେ ଜିଲ୍ଲା ପରିଷଦରେ ପ୍ରାୟ ସମସ୍ତ ଜିଲ୍ଲାରେ ବିଜେଡି ଆଗୁଆ ରହିଛି। ମାତ୍ର କେତୋଟି ଜୋନରେ ବିଜେପି ଆଗରେରେ ରହି ଦଳର ନେତା ଓ କର୍ମୀଙ୍କ ପାଇଁ ଆଶ ସଂଚାର କରିଛି। କଂଗ୍ରେସର ସ୍ଥିତି ମଧ୍ୟ ସବୁ ଜିଲ୍ଲାରେ ଦୁର୍ବଳ ଥିବା ଟ୍ରେଣ୍ଡ ଫଳାଫଳରୁ ଜଣାପଡ଼ିଛି। ତେବେ କଂଗ୍ରେସ କେତେକ ଜୋନ୍ରେ ଦ୍ବିତୀୟ ସ୍ଥାନରେ ରହିଛି। ୨୦୧୭ ନିର୍ବାଚନରେ ୬ ଜିଲ୍ଲା ସମ୍ବଲପୁର, ବରଗଡ଼, ବଲାଙ୍ଗୀର, କଳାହାଣ୍ଡି, ସୁବର୍ଣ୍ଣପୁର ଓ ଦେବଗଡ଼ରେ ବିଜେପି ବାଜିମାତ କରି ଜିଲ୍ଲାପରିଷଦ ଗଠନ କରିଥିଲା। ବିଜେଡିକୁ ବୌଦ୍ଧ ଓ ନୂଆପଡ଼ା ଭଳି ଦୁଇଟି ଛୋଟ ଜିଲ୍ଲାରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। କଂଗ୍ରେସ କେବଳ ଝାରସୁଗୁଡ଼ାରେ ସୀମିତ ରହିଥିଲା। ଏଯାଏ ହୋଇଥିବା ଭୋଟ ଗଣତି ଅନୁସାରେ ଚିତ୍ର ସଂପୂର୍ଣ୍ଣ ଓଲଟପାଲଟ ହେବାର ଅନୁମାନ କରାଯାଉଛି।

ଯାହା ବିଜେପି ଶିବିରରେ ନୈରାଶ ଆଣି ଦେଇଛି। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଗଣତି ଜାରି ରହିଛି। ଆସୁଥିବା ଟ୍ରେଣ୍ଡ୍ରେ ବିଜେଡି ଅନ୍ୟ ଦୁଇ ଦଳକୁ ବହୁ ପଛରେ ପକାଇ ଆଗେଇ ଚାଲିଛି। ଦ୍ବିତୀୟ ରାଉଣ୍ଡ ଗଣତି ସୁଦ୍ଧା ସମ୍ବଲପୁର ଜିଲ୍ଲାରେ ବିଜେପିକୁ ଜୋରଦାର ଝଟ୍କା ଲାଗିଛି। ଏହି ଜିଲ୍ଲାରେ ଗତ ନିର୍ବାଚନରେ ବିଜେପି ବିପୁଳ ବିଜୟଲାଭ କରିଥିଲା। ମାତ୍ର ଚଳିତ ନିର୍ବାଚନରେ ଜିଲ୍ଲାବାସୀ ବିଜେପି ଉପରେ ସନ୍ତୁଷ୍ଟ ନଥିବା ମନେ ହେଉଛି। ଆସୁଥିବା ଟ୍ରେଣ୍ଡ ଅନୁଯାୟୀ ରେଢ଼ାଖୋଲ ଜୋନ୍-୧କୁ ଛାଡ଼ିଦେଲେ ଅନ୍ୟ ସମସ୍ତ ଜୋନ୍ରେ ବିଜେପି ଆଗୁଆ ରହିଛି। ରେଙ୍ଗାଲି, ମାନେଶ୍ବର, ଯୁଯୁମୁରା, କୁଚିଣ୍ଡା, ନାକ୍ଟିଦେଉଳ, ଧନକଉଡ଼ା, ବାମରା, ଜମନକିରାରେ ବିଜେଡି ଆଗୁଆ ରହିଥିବା ଆସୁଥିବା ଟ୍ରେଣ୍ଡ୍ରୁ ଜଣାପଡ଼ିଛି। ଅନ୍ୟପକ୍ଷରେ ସବୁ ଜୋନ୍ରେ କଂଗ୍ରେସର ସ୍ଥିତି ସଂପୂର୍ଣ୍ଣ ଶୋଚନୀୟ ହୋଇ ପଡ଼ିଛି। ମିଳୁଥିବା ଟ୍ରେଣ୍ଡରୁ ଏଥର ବିଜେଡି ସମ୍ବଲପୁର ଜିଲ୍ଲାପରିଷଦ ସଭାପତି ଆସନକୁ ବିଜେପି ହାତରୁ ଛଡ଼ାଇ ଆଣିବାର ସମ୍ଭାବନା ସୃଷ୍ଟି ହୋଇଛି।

ଫଳରେ ଜିଲ୍ଲାର ବିଜେପି ନେତାମାନଙ୍କୁ ଶକ୍ତ ଧକ୍କା ଲାଗିଛି। ସେହିପରି ଝାରସୁଗୁଡ଼ା ଜିଲ୍ଲାରେ ମଧ୍ୟ ବିଜେଡି ତାର ବିଜୟ ବାନା ଉଡ଼ାଇଛି। ଜିଲ୍ଲାର ସମସ୍ତ ଜୋନ୍ରେ ଦଳ ତାର ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପିର ପ୍ରର୍ଥୀଙ୍କୁ ପଛରେ ପକାଇ ବିଜେଡି ଆଗୁଆ ରହିଛି। ଝାରସୁଗୁଡ଼ା ସଦର ବ୍ଳକ୍ ସମେତ, ଲଖନପୁର, ଲଇକେରା, କର୍ମିରା, କୋଲାବିରା ବ୍ଲକ୍ର ଜୋନ୍-୧ରେ ବିଜେଡିର ପ୍ରାର୍ଥୀମାନେ ଆଗୁଆ ରହିଛନ୍ତି।