ଟିକାଦାନ କ୍ଷେତ୍ରରେ ଓଡିଶା ୧୧ ରାଜ୍ୟ ତଳେ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କୋଭିଡ ଟିକାଦାନ କ୍ଷେତ୍ରରେ ସମଗ୍ର ଦେଶର ୧୧ଟି ରାଜ୍ୟ ତଳେ ରହିଛି ଓଡିଶା । ବର୍ତ୍ତମାନ ସୁଦ୍ଧା ସାରା ଦେଶରେ ମୋଟ୍‍ ୪୭,୮୫,୪୪,୧୧୪ ଡୋଜ୍‍ କୋଭିଡ ଟିକା ଦିଆଯାଇଥିବା ବେଳେ ୩୭,୨୬,୨୬,୨୯୬ ଟି ପ୍ରଥମ ଡୋଜ୍‍ ଏବଂ ୧୦,୫୯,୧୭,୧୮୮ ଟି ଦ୍ୱିତୀୟ ଡୋଜ୍‍ ରହିଛି । ଓଡିଶାରେ ବର୍ତ୍ତମାନ ସୁଦ୍ଧା ମୋଟ୍‍ ୧,୬୮,୩୫,୭୬୩ ଡୋଜ୍‍ ଟିକା ଦିଆଯାଇ ଥିବାବେଳେ ଏଥି ମଧ୍ୟରୁ ୧,୨୮,୭୪,୮୭୭ ଟି ପ୍ରଥମ ଡୋଜ୍‍ ରହିଛି ।

ଟିକାଦାନ କ୍ଷେତ୍ରରେ ସମଗ୍ର ଦେଶରେ ଉତ୍ତର ପ୍ରଦେଶ ସବୁଠୁ ଆଗରେ ରହିଥିବାବେଳେ ଓଡିଶାର ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶରେ ବି ଟୀକାଦାନ କ୍ଷେତ୍ରରେ ଆଗରେ ରହିଛି। କିନ୍ତୁ ଓଡିଶାରେ କେନ୍ଦ୍ରର ଟିକା ଯୋଗାଣରେ ମନ୍ଥରତା ଯୋଗୁଁ ଟିକାଦାନ ଧିମେଇ ଯାଇଛି ।

ତେବେ ଓଡିଶା ଠାରୁ ଅଧିକ ଟୀକାଦାନ କରି ଥିବା ରାଜ୍ୟଗୁଡିକ ହେଉଛି ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ, କର୍ଣ୍ଣାଟକ, କେରଳ, ଗୁଜୁରାଟ, ବିହାର, ଆନ୍ଧ୍ରପ୍ରଦେଶ, ରାଜସ୍ଥାନ ଓ ତାମିଲନାଡୁ । ଏହି ରାଜ୍ୟ ଗୁଡିକରେ ୨ଲକ୍ଷରୁ ସାଢେ ୪ଲକ୍ଷ ପର୍ଯ୍ୟନ୍ତ ଡୋଜ୍‍ ଦିଆଯାଇ ସାରିଲାଣି । ସମଗ୍ର ଦେଶରେ ଉତ୍ତରପ୍ରଦେଶରେ ସର୍ବାଧିକ ୪,୮୮,୨୬,୨୭୯ ଡୋଜ୍‍ ଟିକା ଦିଆଯାଇଛି।

ବେଙ୍ଗଲରେ ୩,୦୨,୪୯,୪୩୮ ଡୋଜ୍‍ ଟିକା ଦିଆଯାଇଥିବାବେଳେ ଆନ୍ଧ୍ରପ୍ରଦେଶରେ ୨,୨୩,୦୪,୭୫୪ ଡୋଜ୍‍ ଟିକା ଦିଆଯାଇଛି । ସେହିପରି ମହାରାଷ୍ଟ୍ର ବ୍ୟତୀତ ଅନ୍ୟ କୌଣସି ରାଜ୍ୟରେ ଦ୍ୱିତୀୟ ଡୋଜ୍‍ ଟିକାଦାନ ଏକ କୋଟି ପାର କରି ନାହିଁ । ମହାରାଷ୍ଟ୍ରରେ ୪,୫୦,୦୫,୬୬୯ ଡୋଜ୍‍ ଟିକା ଦିଆଯାଇଥିବା ବେଳେ ସେଥି ମଧ୍ୟରୁ ୧,୧୩,୫୪,୫୦୮ ଟି ଦ୍ୱିତୀୟ ଡୋଜ୍ ଟିକା ରହିଛି । ତେବେ ସବୁଠାରୁ କମ୍‍ ୬୬,୬୪୯ଟି ଡୋଜ୍‍ ଟିକା ଲକ୍ଷାଦ୍ୱୀପରେ ଦିଆଯାଇଛି ।

ବିଶେଷ କରି କୋଭାକ୍ସିନ ଓ କୋଭିସିଲ୍ଡ ଟିକା ଗୁଡିକୁ କେନ୍ଦ୍ର ସରକାର ରାଜ୍ୟଗୁଡିକୁ ମାଗଣାରେ ଯୋଗାଇ ଦେଉଛନ୍ତି। ତେବେ ଆବଶ୍ୟକ ଅନୁସାରେ ଟିକା ଯୋଗାଣ ହୋଇପାରୁନଥିବାରୁ ରାଜ୍ୟରେ ଅପେକ୍ଷାରତ ବ୍ୟକ୍ତିଙ୍କୁ ଦ୍ୱିତୀୟ ଡୋଜ୍‍ ଟିକା ଦିଆଯାଇ ପାରୁନାହିଁ । ଏପରିକି ଅଧିକାଂଶ ସମୟରେ ଟିକାଦାନ କେନ୍ଦ୍ରଗୁଡିକ ବନ୍ଦ କରିବାକୁ ପଡୁଛି ।

ସେପଟେ କେନ୍ଦ୍ର ସରକାର ରାଜ୍ୟ କୋଟାରୁ ୨୫ ପ୍ରତିଶତ ଟିକା ପ୍ରାଇଭେଟ୍ ହସ୍ପିଟାଲ ଗୁଡିକୁ ଯୋଗାଉଥିଲେ ମଧ୍ୟ ସେମାନେ ସେତିକି ଟିକା ଖର୍ଚ୍ଚ କରିପାରୁ ନାହାନ୍ତି । କାରଣ ଘରୋଇ ଡାକ୍ତରଖାନାରେ ଗୋଟିଏ ଡୋଜ୍‍ ଟିକାର ଦର ପ୍ରାୟ ୧୪୦୦ ଟଙ୍କା ପଡୁଥିବାରୁ ଲୋକେ ସରକାରୀ ଡାକ୍ତରଖାନାରେ ମାଗଣା ଟିକା ଦିଆଯାଉଥିବାରୁ ପ୍ରାଇଭେଟ୍ ହସ୍ପିଟାଲ ଗୁଡିକରୁ ଲୋକେ ଟିକା ନେବା ପାଇଁ ସେତେଟା ଯାଉ ନାହାନ୍ତି।

କେବଳ ରାଜଧାନୀ ଭୁବନେଶ୍ୱର ଓ ଗଞ୍ଜାମରେ କୋଭାକ୍ସିନ ଟିକା ଦିଆଯାଉଥିବାବେଳେ ଅନ୍ୟ ସମସ୍ତ ସ୍ଥାନରେ ଲୋକଙ୍କୁ କୋଭିସିଲ୍ଡ ଟିକା ଦିଆଯାଉଛି । ତେବେ ସ୍ପୁଟନିକ-ଭି ଟିକା ମଧ୍ୟ ବଜାରକୁ ଆସିଛି। କିନ୍ତୁ ଲୋକେ ଘରୋଇ ଡାକ୍ତରଖାନରେ ପଇସା ନେଇ ନେବାକୁ ଲୋକେ ଆଗ୍ରହ ପ୍ରକାଶ କରୁନାହାନ୍ତି ।

ଟିକାଦାନର ସୁବିଧା ଓ ଟିକା ନଷ୍ଟର ପରିମାଣକୁ ଦେଖି କେନ୍ଦ୍ର ସରକାର ରାଜ୍ୟଗୁଡିକୁ ଟିକା ଯୋଗାଣ କରୁଛନ୍ତି। ତେବେ କେନ୍ଦ୍ର ସରକାରଙ୍କ ଏହି ଦୁଇଟି ମାନଦଣ୍ଡ ପାଳନରେ ଓଡିଶାର ପ୍ରଦର୍ଶନ ବହୁତ ଭଲ ରହିଛି। ଏପରିକି ଓଡିଶା ଏବେ ଦୈନିକ ସାଢେ ୩ଲକ୍ଷ ଡୋଜ୍‍ ଟିକା ଦେବାପାଇଁ ଲକ୍ଷ୍ୟଧାର୍ଯ୍ୟ କରିଛି ।

Related Posts