
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଭାରତର ପ୍ରସିଦ୍ଧ ଜବାହର ଲାଲ ନେହରୁ ବିଶ୍ୱବିଦ୍ୟାଳୟ(ଜେଏନ୍ୟୁ) କ୍ୟାମ୍ପସରେ ୨୦୨୦ରେ ହୋଇଥିବା ହିଂସାକାଣ୍ଡକୁ ଦେଢ଼ ବର୍ଷ ବିତିଯାଇଛି। ସେହି ସମୟରେ ଏହି ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ମୁଖା ପିନ୍ଧା ଯୁବକ ଓ ଯୁବତୀଙ୍କ ଫଟୋ ମଧ୍ୟ ପ୍ରକାଶ କରାଯାଇଥିଲା। କିନ୍ତୁ ଦେଢ଼ ବର୍ଷ ପରେ ମଧ୍ୟ ଏହି ଘଟଣାରେ ଜଣେ ମଧ୍ୟ ଗିରଫ ହୋଇ ନାହାନ୍ତି। ଏ ସମ୍ପର୍କରେ ଖୋଦ୍ କେନ୍ଦ୍ର ସରକାର ସଂସଦରେ ଜବାବ ଦେଇଛନ୍ତି।
କେନ୍ଦ୍ର ଗୃହମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି ଯେ ଜାନୁୟାରୀ ୨୦୨୦ ରେ ଜେଏନୟୁ କ୍ୟାମ୍ପସରେ ହୋଇଥିବା ହିଂସା ଘଟଣାରେ ବସନ୍ତ କୁଞ୍ଜ ପୋଲିସ ଷ୍ଟେସନରେ ତିନୋଟି ମାମଲାର ତଦନ୍ତ ପାଇଁ କ୍ରାଇମ ବ୍ରାଞ୍ଚର ଏକ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ ଗଠନ କରାଯାଇଛି ବୋଲି ଦିଲ୍ଲୀ ପୋଲିସ ସୂଚନା ଦେଇଛି।
ଅଗଷ୍ଟ ୩ ରେ ଲୋକସଭା ସାଂସଦ ଦିନାନିଧି ମାରାନ ଜେଏନୟୁରେ ହୋଇଥିବା ହିଂସା ଘଟଣା ସମ୍ପର୍କରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଉତ୍ତର ମାଗିଥିଲେ।
ଜାନୁୟାରୀ 2020 ରେ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ପରିସରରେ ଘଟିଥିବା ହିଂସା ଘଟଣାର ତଦନ୍ତ ପାଇଁ ଏପର୍ଯ୍ୟନ୍ତ କେଉଁ ପଦକ୍ଷେପ ନିଆଯାଇଛି ଏବଂ ଏହି ମାମଲାରେ ଦିଲ୍ଲୀ ପୋଲିସର ତଦନ୍ତ କେତେ ବାଟରେ ପହଞ୍ଚିଛି ? ଏହି ମାମଲାରେ ଏପର୍ଯ୍ୟନ୍ତ କାହାକୁ ଗିରଫ କରାଯାଇଛି କି ନାହିଁ ବୋଲି ମଧ୍ୟ ପ୍ରଶ୍ନ କରାଯାଇଥିଲା ।
JNU ରେ କ’ଣ ହୋଇଥିଲା ?
୨୦୨୦ ଜାନୁଆରୀ ୫ ତାରିଖରେ କିଛି ମୁଖା ପିନ୍ଧା ଯୁବକ ଓ ଯୁବତୀ ଜେଏନୟୁ କ୍ୟାମ୍ପସରେ ଲାଠି, ରଡ ଓ ଅନ୍ୟାନ୍ୟ ମାରଣାସ୍ତ୍ର ଧରି ପ୍ରବେଶ କରିଥିଲେ। ସେମାନେ କ୍ୟାମ୍ପସର ଜିନିଷପତ୍ର ଭଙ୍ଗା ରୁଜା କରିବା ସହ ଛାତ୍ରଛାତ୍ରୀଙ୍କୁ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଜେଏନୟୁ ଛାତ୍ର ସଂସଦ ସଭାପତି ଆଈଶି ଘୋଷ ଗୁରୁତର ଆହତ ହୋଇଥିଲେ। ଏଥିସହ କିଛି ଶିକ୍ଷୟିତ୍ରୀ ଓ ହଷ୍ଟେଲ କର୍ମଚାରୀମାନେ ମଧ୍ୟ ମୁଖା ପିନ୍ଧା ଦୁର୍ବୃତ୍ତଙ୍କ ଆକ୍ରମଣରେ କ୍ଷତାକ୍ତ ହୋଇଥିଲେ। କିନ୍ତୁ ଦିଲ୍ଲୀ ପୁଲିସ ଏହି ମାମଲାରେ କାହାକୁ ବି ଗିରଫ ନ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି।