ମହଙ୍ଗା ପଡ଼ିଲା ରାତି ଅଧିଆ ଚଢାଉ, ଥାନା ଭିତରେ ପଶି ପୋଲିସକୁ ପିଟିଲେ ଆଦିବାସୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଥାନା ଭିତରେ ପଶି ପୋଲିସକୁ ନିର୍ଦ୍ଧୁମ ମାଡ଼ । ଏଭଳି ଘଟଣା ଘଟିଛି ଗଜପତି ଜିଲ୍ଲା ଅଡ଼ବା ଥାନାରେ । ଆଦିବାସୀଙ୍କ ଘରେ ରାତି ଅଧିଆ ପୋଲିସର ଚଢ଼ାଉକୁ ନେଇ ଲୋକଙ୍କ ଆକ୍ରୋଶ ଦେଖିବାକୁ ମିଳିଛି । ଏକାବେଳେକେ ୬ଟି ପଞ୍ଚାୟତର ଆଦିବାସୀ ଏକଜୁଟ୍ ହୋଇ ଥାନା ଭିତରେ ପଶି ପୋଲିସ ଉପରେ ଆକ୍ରମଣ କରିଛନ୍ତି। ଏହାସହ ଥାନା ଭିତରେ ବ୍ୟାପକ ଭଙ୍ଗାରୁଜା ମଧ୍ୟ କରିଛନ୍ତି ।ପୋଲିସକୁ ତଳେ ପକାଇ ମାଡ଼ ମାରିଛନ୍ତି ଆଦିବାସୀ ।

ସୂଚନା ଅନୁସାରେ, ଝରଣପୁର ଗାଁରେ ଗତକାଲି ରାତିରେ ପୋଲିସ ଚଢ଼ାଉ କରି ଜଣଙ୍କୁ ଉଠାଇ ଆଣିଥିଲା । ଗଞ୍ଜେଇ କାରବାର ମାମଲାରେ ପୋଲିସ ଉଠାଇ ଆଣିଥିବା ବେଳେ ପୋଲିସ ମିଛ ମାମଲା ରୁଜୁ କରିଥିବା ଲୋକେ ଅଭିଯୋଗ କରିଛନ୍ତି । ଆଉ ଏହି ଘଟଣାକୁ ନେଇ ଆଜି ଅଡ଼ବା ଥାନାରେ ପୋଲିସ ଓ ଜନତାଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ଦେଖିବାକୁ ମିଳିଛି । ଉତ୍ତ୍ୟକ୍ତ ଲୋକେ ଥାନା ସମ୍ମୁଖରେ ପ୍ରତିବାଦ କରିବା ସହ ପୋଲିସ ଉପରେ ଆକ୍ରମଣ କରିଛନ୍ତି । ଲୋକଙ୍କ ଆକ୍ରମଣ ପରେ ଥାନା ଛାଡ଼ି ସମସ୍ତ ପୋଲିସ କର୍ମଚାରୀ ଭୟରେ ପଳାଇଛନ୍ତି । ଏନେଇ ପୋଲିସର କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।

Related Posts