ମୋଦି ସରକାରରେ ୪୨ ପ୍ରତିଶତ ମନ୍ତ୍ରୀ ଦାଗୀ ,୯୦ ପ୍ରତିଶତ କୋଟିପତି : ଏଡିଆର ରିପୋର୍ଟ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ବୁଧବାର ଦିନ କେନ୍ଦ୍ର କ୍ୟାବିନେଟ ସମ୍ପ୍ରସାରଣ ହୋଇଛି। ନୂତନ ମନ୍ତ୍ରିମଣ୍ଡଳରେ ୪୩ ଜଣ ନୂଆ ମନ୍ତ୍ରୀଙ୍କୁ ସାମିଲ କରାଯାଇଛି । ଏମାନଙ୍କ ମଧ୍ୟରୁ ୧୫ ଜଣ କ୍ୟାବିନେଟ ଓ ୨୮ ଜଣଙ୍କୁ ରାଷ୍ଟ୍ରମନ୍ତ୍ରୀ ପଦ ଦିଆଯାଇଛି । ଏହିଭଳି ମୋଦୀଙ୍କ ମନ୍ତ୍ରୀ ମଣ୍ଡଳରେ ଏବେ ମୋଟ ୭୮ ଜଣ ମନ୍ତ୍ରୀ ଅଛନ୍ତି ।


ଏହି ୭୮ ଜଣ ମନ୍ତ୍ରୀଙ୍କ ମଧ୍ୟରୁ ୪୨ ପ୍ରତିଶତ ମନ୍ତ୍ରୀଙ୍କ ନାଁରେ ଅପରାଧିକ ମାମଲା ଚାଲିଛି। ନିର୍ବାଚନ ସଂସ୍କାର ପାଇଁ କାର୍ଯ୍ୟ କରୁଥିବା ଏଡିଆର ରିପୋର୍ଟ ଅନୁଯାୟୀ, କେନ୍ଦ୍ର କ୍ୟାବିନେଟରେ ଥିବା ୭୮ ମନ୍ତ୍ରୀଙ୍କ ମଧ୍ୟରୁ ୪୨ ପ୍ରତିଶତ ସେମାନଙ୍କ ବିରୋଧରେ ଅପରାଧିକ ମାମଲା ଘୋଷଣା କରିଛନ୍ତି । ଏଥିମଧ୍ୟରୁ ଚାରିଜଣଙ୍କର ହତ୍ୟା ଉଦ୍ୟମ ସମ୍ବନ୍ଧୀୟ ମାମଲା ମଧ୍ୟ ରହିଛି । ଆସୋସିଏସନ ଫର ଡେମୋକ୍ରାଟିକ୍ ରିଫର୍ମସ୍ (ଏଡିଆର) ଅନୁଯାୟୀ ଏହି ସମସ୍ତ ମନ୍ତ୍ରୀଙ୍କ ମଧ୍ୟରୁ ୪୨ ପ୍ରତିଶତ (୩୩) ମନ୍ତ୍ରୀଙ୍କ ବିରୋଧରେ ଅପରାଧିକ ମାମଲା ଚାଲିଛି । ପ୍ରାୟ ୨୪ରୁ ୩୦ ପ୍ରତିଶତ ମନ୍ତ୍ରୀଙ୍କ ନାଁରେ ହତ୍ୟା, ହତ୍ୟା ଉଦ୍ୟମ ଏବଂ ଡକାୟତି ଭଳି ମାମଲା ରହିଛି।


ପଶ୍ଚିମବଙ୍ଗର କୁଚ୍ଛବିହାରରୁ ସାଂସଦ ଥିବା ନିତିଶ ପାରମାଣିକ ଯାହାଙ୍କୁ ଗୃହରାଜ୍ୟ ମନ୍ତ୍ରୀ ଦାୟିତ୍ବ ଦିଆଯାଇଛି ତାଙ୍କ ନାଁରେ ହତ୍ୟା ମାମଲା ରହିଛି। ପାରମାଣିକଙ୍କ ବିରୋଧରେ ଧାରା ୩୦୨ରେ ମାମଲା ଚାଲିଛି । ଚାରିଜଣ ମନ୍ତ୍ରୀ ହତ୍ୟା ଉଦ୍ୟମ ସହ ଜଡିତ ମାମଲା ଘୋଷଣା କରିଛନ୍ତି । ଏହି ମନ୍ତ୍ରୀମାନେ ହେଉଛନ୍ତି ଜନ୍ ବାର୍ଲା, ପ୍ରାମାନିକ, ପଙ୍କଜ ଚୌଧରୀ ଏବଂ ଭି ମୁରଲୀଧରନ୍ ।

୯୦ ପ୍ରତିଶତ କୋଟିପତି :-

ଏଡିଆର ରିପୋର୍ଟ ଅନୁଯାୟୀ ୭୦ (୯୦ ପ୍ରତିଶତ) ଜଣ ମନ୍ତ୍ରୀ କୋଟିପତି। ଏହି ମନ୍ତ୍ରୀ ମାନଙ୍କ ହାରାହାରି ସମ୍ପତ୍ତି ହେଉଛି ୧୬.୨୪ କୋଟି ଟଙ୍କା । ଚାରିଜଣ ମନ୍ତ୍ରୀଙ୍କ ପାଖରେ ୫୦ କୋଟିରୁ ଅଧିକ ମୂଲ୍ୟର ସମ୍ପତ୍ତି ରହିଛି । ଏହି ମନ୍ତ୍ରୀମାନେ ହେଉଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ , ପୀୟୁଷ ଗୋୟଲ, ନାରାୟଣ ରାଣେ ଏବଂ ରାଜୀବ ଚନ୍ଦ୍ରଶେଖର।

ଏହି ମନ୍ତ୍ରୀମାନଙ୍କର ସର୍ବନିମ୍ନ ସମ୍ପତ୍ତି :-

ମୋଦୀଙ୍କ ମନ୍ତ୍ରୀ ମଣ୍ଡଳରେ ଆଠ ଜଣ ମନ୍ତ୍ରୀଙ୍କ ସମ୍ପତ୍ତି ୧ କୋଟିରୁ କମ୍ । ଏଥିମଧ୍ୟରେ ପ୍ରତିମା ଭୌମିକ, ଜନ୍ ବାର୍ଲା, କୈଳାଶ ଚୌଧୁରୀ, ବିଶ୍ୱେଶ୍ୱର ଟୁଡୁ, ଭି ମୁରଲୀଧରନ୍, ରମେଶ୍ୱର ଟେଲି, ଶାନ୍ତନୁ ଠାକୁର ଏବଂ ନିଶିଥ ପରମାଣିକ।

Related Posts