“ଗାଇ ଗୋବର କୋଭିଡ୍ ଚିକିତ୍ସାର ଉପଶମ ନୁହେଁ” କହିବାରୁ ୨ ମାସ ହେବ ଆକ୍ଟିଭିସ୍ଟ ଓ ସାମ୍ବାଦିକଙ୍କୁ ଜେଲରେ ରଖିଛନ୍ତି ମଣିପୁର ସରକାର

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଜୁଲାଇ ୭ ରେ ନରେନ୍ଦ୍ର ମୋଦୀ ସରକାରରେ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ର ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ସାମିଲ କରାଯାଇଛି। ଏହି ସମୟରେ ଶାସକ ବିଜେପି ଦାବି କରିଛି ଯେ ଦଳ ଉଭୟ ‘ହାର୍ଭାର୍ଡ ଏବଂ କଠିନ ପରିଶ୍ରମ’କୁ ବିଶ୍ବାସ କରୁଛି। ଅନ୍ୟ ପକ୍ଷରେ ସେହି ବିଶ୍ୱବିଦ୍ୟାଳୟର ଆଉ ଜଣେ ପୂର୍ବତନ ଛାତ୍ରଙ୍କୁ ମଣିପୁର ସରକାର ଏନଏସଏ ଆଧାରରେ ଜେଲରେ ବନ୍ଦୀ କରି ରଖିଛନ୍ତି। ତେବେ ‘ହାର୍ଭାର୍ଡରୁ ଉତ୍ତୀର୍ଣ୍ଣ ହୋଇଥିବା ଏହି ପୂର୍ବତନ ଛାତ୍ରଙ୍କ ଭୁଲ୍ ହେଉଛି ସେ COVID-19 ର ଉପଶମ ଗୋ ମୂତ୍ର ଏବଂ ଗୋବର ବୋଲି ଦାବି କରୁଥିବା କିଛି ଲୋକଙ୍କୁ ଏହାର ବୈଜ୍ଞାନିକ ଆଧାରକୁ ନେଇ ପ୍ରଶ୍ନ ଉଠାଇଥିଲେ।
ହାର୍ଭାର୍ଡ କେନେଡି ସ୍କୁଲର 2012 ସ୍ନାତକ ଏରାଣ୍ଡ୍ରୋ ଲିଚୋମ୍ବମ୍ ଏବଂ ଇମ୍ଫାଲର ସାମ୍ବାଦିକ କିଶୋରଚନ୍ଦ୍ର ୱାଙ୍ଗକେମଙ୍କ ତାଙ୍କ ଫେସବୁକ ପୋଷ୍ଟ୍ ପାଇଁ ମେ 13 ତାରିଖରୁ ମଣିପୁରର ସାଜୱା ଜେଲରେ ଅଛନ୍ତି। ରାଜ୍ୟ ବିଜେପି ସଭାପତି ଏସ ଟିକେନ୍ଦ୍ର ସିଂ କରୋନାରେ ମୃତ୍ୟୁବରଣ କରିବା ପରେ ସେ ସମବେଦନା ଜଣାଇଛନ୍ତି। ଏବଂ ସେ ଏକ ଫେସବୁକ୍ ପୋଷ୍ଟରେ ଉଲ୍ଲେଖ କରିଥିଲେ ଯେ ସିଂଙ୍କ ଦଳର ସଦସ୍ୟମାନେ ଗୋ ମୂତ୍ର ଏବଂ ଗାଇ ଗୋବରକୁ କୋଭିଡ୍ ଉପଶମ ଭାବରେ ପ୍ରୋତ୍ସାହିତ କରୁଥିବାବେଳେ କେବଳ ବିଜ୍ଞାନ ହିଁ ଲୋକଙ୍କୁ ମହାମାରୀରୁ ରକ୍ଷା କରିପାରିବ।ଏହି ପୋଷ୍ଟ ଆଧାରରେ ତାଙ୍କୁ ଜେଲରେ ଭର୍ତ୍ତି କରାଯାଇଥିଲା। ଏରେଣ୍ଡ୍ରୋ ଏବଂ କିଶୋରଚନ୍ଦ୍ରଙ୍କ ପରିବାର ସଦସ୍ୟଙ୍କ କହିବାନୁସାରେ, ରାଜ୍ୟ ପୋଲିସ ଟିମ୍ ମେ 13 ର ରାତିରେ ଇମ୍ଫାଲରେ ଥିବା ନିଜ ବାସଭବନରୁ ଦୁଇଜଣଙ୍କୁ ଉଠାଇ ନେଇଥିଲେ।
କିଶୋରଚନ୍ଦ୍ରଙ୍କ ପତ୍ନୀ ଏଲାଙ୍ଗବମ୍ ରଣଜିତା ଇମ୍ପାଲରୁ ଦି ୱାୟାରକୁ କହିଛନ୍ତି, “ପୋଲିସ ଘର ଭିତରୁ ତାଙ୍କୁ ଟାଣି ନେଇଥିଲେ; ଏହି ସମୟରେ ସେ ପିନ୍ଧିଥିବା ଟି-ସାର୍ଟ ଚିରି ଯାଇଥିଲା। ମୋର ତିନି ପିଲାଙ୍କ ମଧ୍ୟରୁ ବଡ ପିଲାଟି ଯାହାର ବୟସ ଆଠ ବର୍ଷ ବାପାଙ୍କୁ ଏମତି ନିଆଯାଇଥିବାର ଦୃଶ୍ୟ ଦେଖି ଏତେ ଡରି ଯାଇଥିଲା ଯେ ସେ ଦୁଇମାସ ପରେ ମଧ୍ୟ କାର୍ ସାଉଣ୍ଡ ଶୁଣିଲେ ସେ ଡରି ଯାଉଛି । ”
ଏରେଣ୍ଡ୍ରୋଙ୍କ ଭଉଣୀ ଅନୁପମା ଲିଚୋମ୍ବମ୍ କହିଛନ୍ତି, “ସେହି ଦିନ ରାତିରେ ପୋଲିସ ଟିମ୍ ତାଙ୍କୁ ଘରୁ ଟାଣି ନେଉଥିବା ବେଳେ ମୋ ମା’ ମଧ୍ୟ ଆତଙ୍କିତ ହୋଇ ପଡିଥିଲେ। ​​କାରଣ ପୋଲିସ ତାଙ୍କୁ ପୋଷାକ ବଦଳାଇବାକୁ ବି ଅନୁମତି ଦେଇନଥିଲେ ।”
ଏହି ଦୁଇ ଜଣ ବ୍ୟକ୍ତିଙ୍କ ଫେସବୁକ୍ ମନ୍ତବ୍ୟକୁ ଆଧାର କରି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପି ପ୍ରେମଚାନ୍ଦ ମେଟେଇ ଏବଂ ଦଳର ଉପାଧ୍ୟକ୍ଷ ଉଶାମ ଡେବାନଙ୍କ ପୋଲିସରେ ଅଭିଯୋଗ କରିଥିଲେ । ଏମାନଙ୍କ ଅଭିଯୋଗ ଆଧାରରେ ପୋଲିସ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ଏରେଣ୍ଡ୍ରୋ କିମ୍ବା କିଶୋରଚନ୍ଦ୍ରଙ୍କ ଗିରଫଦାରୀ ଏନ ବିରେନ ସିଂ ସରକାରଙ୍କ ପ୍ରଥମ ଘଟଣା ନୁହେଁ। ଜୁଲାଇ 2020 ରେ, ରାଜ୍ୟ ପୋଲିସ ଫେସବୁକ ପୋଷ୍ଟ୍ ପାଇଁ ଏରେଣ୍ଡ୍ରୋଙ୍କ ବିରୋଧରେ ଦେଶଦ୍ରୋହ ମାମଲା (124A) ଲଗାଇ ଥିଲେ ।
ଯଦିଓ ଏହି ପୋଷ୍ଟ୍ ଟି ଆପତ୍ତିଜନକ କି ନୁହେଁ ରାଜ୍ୟ ପୋଲିସ ଏହା ସ୍ପଷ୍ଟ କରି ନାହିଁ, ତଥାପି ମଣିପୁରର ପୂର୍ବତନ ରାଜା ତଥା ବର୍ତ୍ତମାନ ରାଜ୍ୟସଭା ସଦସ୍ୟ ଥିବା ଏସ୍ ଲିଶେମ୍ବାଙ୍କ ଫଟୋ ଉପରେ ଏରେଣ୍ଡ୍ରୋଙ୍କ କମେଣ୍ଟ୍ ଆଧାରରେ ଏପରି ଗିରଫ କରାଯାଇଥିବା ସନ୍ଦେହ କରାଯାଉଛି। ଏହି ଫଟୋଟିରେ ବିଜେପିର ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଆଗରେ ପ୍ରଣାମ କରୁଥିବାର ନଜର ଆସୁଛି। ଏହାପୂର୍ବରୁ, ମେ 2018 ରେ, ଏରେଣ୍ଡ୍ରୋଙ୍କୁ ଫେସବୁକରେ ଏକ ଭିଡିଓ ପୋଷ୍ଟ କୁ ନେଇ ଗିରଫ କରାଯାଇଥିଲା । ଜୁନ୍ 2018 ରେ ତାଙ୍କୁ ସ୍ଥାନୀୟ କୋର୍ଟ ମୁକ୍ତ କରିଥିଲେ। କିଶୋରଚନ୍ଦ୍ରଙ୍କୁ ମଧ୍ୟ ବିଜେପି ସରକାର ଏକାଧିକ ଥର ଗିରଫ କରିଛନ୍ତି ଏବଂ କେବଳ ଦେଶଦ୍ରୋହ ନୁହେଁ ବରଂ ଏନଏସଏ ଆଇନ ବଳରେ ମଧ୍ୟ ଗିରଫ କରିଛନ୍ତି। ତାଙ୍କର ଦୋଷ ହେଉଛି ସେ ରାଜ୍ୟର ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପିର ଆଦର୍ଶ ଆରଏସଏସକୁ ସମାଲୋଚନା କରିଥିବା ଅଭିଯୋଗରେ ମଣିପୁର ସରକାର ଏଭଳି ପଦକ୍ଷେପ ନେଉଛନ୍ତି । 2019 ରେ ମଣିପୁର ହାଇକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିଲେ । ତା’ପରେ, ଡିସେମ୍ବର 2020 ରେ, ସେ ପୁଣି ଥରେ ସୋସିଆଲ ମିଡିଆ ପୋଷ୍ଟ ଯୋଗୁଁ ଦୁଇ ମାସ ପରେ ଜେଲରୁ ମୁକ୍ତ ହୋଇଥିଲେ।
ମେ 17 ରେ, ଇମ୍ଫାଲର ଏକ ସ୍ଥାନୀୟ କୋର୍ଟ ସେମାନଙ୍କୁ ଜାମିନରେ ମୁକ୍ତ କରିଥିଲେ କିନ୍ତୁ ଓକିଲ ଭିକ୍ଟର ଚୋଙ୍ଗଥାମ କହିଛନ୍ତି ଯେ ସେ ପୋଲିସ ହେପାଜତରୁ ମୁକ୍ତ ହେବା ପାଇଁ ସମ୍ପୃକ୍ତ କାଗଜପତ୍ର ପ୍ରସ୍ତୁତ କରିବା ପୂର୍ବରୁ ସରକାର ତାଙ୍କ ବିରୋଧରେ ଏନ୍ଏସ୍ଏ ଲଗାଇ ଦେଲେ। ସେବେଠାରୁ ସେମାନେ ଇମ୍ଫାଲ ଉପକଣ୍ଠରେ ଥିବା ସାଜୱା ଜେଲରେ ଅଛନ୍ତି।
ଜିଲ୍ଲା ମାଜିଷ୍ଟ୍ରେଟ,ଥା କିରଣକୁମାର, ମଇ 19 ରେ କିଶୋରଚନ୍ଦ୍ର ଏବଂ ଏରେଣ୍ଡ୍ରୋଙ୍କୁ ଦେଇଥିବା ସରକାରୀ ଚିଠିରେ ସେ କାହିଁକି ଏନଏସଏ ଅଧୀନରେ ସେମାନଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସେ ସମ୍ବନ୍ଧରେ ଅନେକ କାରଣ ଦର୍ଶାଇଛନ୍ତି।
ଏରେଣ୍ଡ୍ରୋଙ୍କ ଓକିଲ ଭିକ୍ଟର ଦି ୱାୟାରକୁ କହିଛନ୍ତି, “ସେମାନଙ୍କ ଗିରଫଦାରୀ ସୁପ୍ରିମକୋର୍ଟଙ୍କ ଆଦେଶକୁ ଉଲ୍ଲଂଘନ କରୁଛି। ଏରେଣ୍ଡ୍ରୋଙ୍କ ଗିରଫଦାରୀକୁ ଦୃଷ୍ଟିରେ ରଖି ହାର୍ଭାର୍ଡ ୟୁନିଭରସିଟି ଷ୍ଟୁଡେଣ୍ଟସ୍ ୟୁନିଅନର ଫେସବୁକ୍ ପେଜ୍ ତାଙ୍କୁ ଖଲାସ କରିବା ପାଇଁ ଭାରତ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଜୁନ୍ ୫ରେ ଆବେଦନ କରିଥିଲେ। ଫେସବୁକ ପୋଷ୍ଟକୁ ଆଧାର କରି “ଭାରତ, ବିଶ୍ୱର ସର୍ବବୃହତ ଗଣତନ୍ତ୍ରିକ ଦେଶ ହାର୍ଭାର୍ଡ ଆଲୁମିନିଙ୍କୁ ଜେଲରେ ରଖିଛି। ” ବୋଲି ଦର୍ଶାଇ ଛାତ୍ର ସଂଗଠନର ଆବେଦନପତ୍ରରେ କୁହାଯାଇଛି । ସୋସିଆଲ ମିଡିଆ ପୋଷ୍ଟକୁ ଆଧାର କରି ନାଗରିକଙ୍କୁ ଅବାଧରେ ବନ୍ଦ କରିବା ଗଣତାନ୍ତ୍ରିକ ଆଦର୍ଶ ଏବଂ ଶାସନର ମୌଳିକ ନୀତିର ଉଲ୍ଲଂଘନ ଅଟେ। ଆମେ ଭାରତ ସରକାରଙ୍କୁ ଅନୁରୋଧ କରୁଛୁ ଯେ ଏରେଣ୍ଡ୍ରୋ ଲିଚୋମ୍ବମ୍ ମୁକ୍ତ କରନ୍ତୁ ଏବଂ ଭାରତର ଲୋକଙ୍କ ପାଇଁ ସାମ୍ବିଧାନିକ ଦାୟିତ୍ବ ରକ୍ଷା କରନ୍ତୁ। ”

Related Posts