ଦିନ ମଜୁରିଆକୁ IT ନୋଟିସ୍: ଦେବେ ୨ ଲକ୍ଷ ୫୯ ହଜାର ୫୪୦ ଟଙ୍କା

(ସତ୍ୟପାଠ ବ୍ୟୁରୋ) ଉମରକୋଟ: ଜୟପୁର ଉମରକୋଟରେ ଦୁନ ମଜୁରିଆକୁ ଆୟକର ନୋଟିସ୍ । ତାହା ପୁଣି ୨ ଲକ୍ଷ ୫୯ ହଜାର ୫୪୦ ଟଙ୍କା । ନିଜ ପାଇଁ ତଥା ନିଜ ପରିବାର ପାଇଁ ୨ ଓଳି ଦୁଇ ମୁଠା ଖାଇବା ଯୋଗାଡ଼ କରିବା ଯାହା ପାଇଁ କାଠିକର ପାଠ, ତା’ ପାଖକୁ ଆସିଛି ଏଭଳି ନୋଟିସ୍‌ । ରାତି ପାହିଲେ ଯିଏ ପର ପାଖରେ ମୁଲ ଲାଗେ, ସେ ଦେବ ୨ ଲକ୍ଷ ୫୯ ହଜାର ୫୪୦ ଟିକସ । ଏ କଥା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି କୋରାପୁଟ୍ ଜିଲ୍ଲା ଉମରକୋଟ ପୁଜାରୀଭରଣ୍ଡି ଗାଁରେ ଏପରି ଏକ ଘଟଣା ସାମନାକୁ ଆସିଛି। ଏହି ଗାଁର ସନଥର ଗଣ୍ଡଙ୍କ ନିକଟକୁ ଆସିଛି ଏହି ନୋଟିସ୍ । ସୂଚନା ଅନୁସାରେ ସନଥରଙ୍କ ଆକାଉଣ୍ଟରେ ହୋଇଛି ପ୍ରାୟ ଦେଢ଼ କୋଟି ଟଙ୍କାର କାରବାର । ଯାହାକୁ ନେଇ ଏବେ ଉଠିଛି ଅନେକ ପ୍ରଶ୍ନ ।

ଏତେ ଟଙ୍କା ଦିନ ମଜୁରିଆ ଆଣିଲେ କେଉଁଠୁ ?
ତାଙ୍କ ଆକାଉଣ୍ଟକୁ ଆସିଥିବା ଟଙ୍କା କେଉଁ ଆକାଉଣ୍ଟରୁ ଆସିଛି ?
ସନଥର କେବେ ବ୍ୟାଙ୍କ ଯାଇ ନଥିବା ବେଳେ ତାଙ୍କ ନାଁରେ କିଏ ଓ କିଭଳି ଆକାଉଣ୍ଟ ଖୋଲିଲା ?
ସନଥରଙ୍କ ଦସ୍ତଖତ କିଏ କଲା ?
ଏଥିରେ କେଉଁ ବ୍ୟାଙ୍କ ଅଧିକାରୀଙ୍କ ସମ୍ପୃକ୍ତି ଅଛି ?

ସନଥରଙ୍କ ଅଭିଯୋଗ ଅନୁସାରେ , ସେ ଲେଖାପଢ଼ା ଜାଣି ନ ଥିବା ବେଳେ କେବେ ବ୍ୟାଙ୍କରେ ପାଦ ଦେଇ ନାହାନ୍ତି। ହେଲେ ୭ ବର୍ଷ ହେବ ଉମରକୋଟର ଜଣେ ବ୍ୟବସାୟୀଙ୍କ ନିକଟରେ ସେ ଦିନ ମଜୁରିଆ ଭାବେ କାମ କରୁଥିଲେ। ସେଠାରେ ଉକ୍ତ ବ୍ୟବସାୟୀ ତାଙ୍କ ଆଧାର କାର୍ଡ ଓ ବିଭିନ୍ନ ଡକ୍ୟୁମେଣ୍ଟ ହାତେଇ ନେଇଥିଲେ। ଏହାପରେ ସେ ତାକୁ କ’ଣ କଲେ ସେ ସମ୍ପର୍କରେ ସନଥରଙ୍କ ନିକଟରେ କିଛି ବି ସୂଚନା ନ ଥିଲା।

କିଛି ଦିନ ହେବ ସନଥରଙ୍କ ଘରକୁ ୬ଟି ନୋଟିସ୍‌ ଆସିଥିଲା । ତାହା କ’ଣ ସେ ଜାଣି ନ ଥିବା ବେଳେ ଉକ୍ତ ନୋଟିସ୍‌କୁ ନେଇ ସେ ନିକଟସ୍ଥ ସ୍କୁଲ ଶିକ୍ଷକଙ୍କ ନିକଟକୁ ଯାଇଥିଲେ। ସେଠାରେ ଯାହା ଶୁଣିଲେ ତାଙ୍କ ପାଦ ତଳୁ ମାଟି ଖସିଗଲା। ସେ କେବେ ବ୍ୟାଙ୍କ ଦୁଆର ମୁହଁରେ ପାଦ ଦେଇ ନ ଥିବା ପାସ୍‌ବୁକ୍‌ କ’ଣ ଜାଣି ନ ଥିବା ବେଳେ ତାଙ୍କ ନାଁରେ ୨ ଲକ୍ଷ ୫୯ ହଜାର ୫୪୦ ଟଙ୍କାର ଟିକସ ଆସିବା ଘଟଣା ସମସ୍ତଙ୍କୁ ଚକିତ କରିଛି।

ଆୟକର ନୋଟିସ୍‌ ସୂଚନା ଅନୁସାରେ, ସନଧରଙ୍କ ନାଁରେ ICICI ବ୍ୟାଙ୍କରେ ଆକାଉଣ୍ଟ ଥିବା ବେଳେ ସେଥିରେ ୧ କୋଟି ୪୭ ଲକ୍ଷରୁ ଅଧିକ ଟଙ୍କା ରଖାଯାଇଥିଲା । ଏହାକୁ ପରେ ଉଠାଣ ବି ହୋଇଛି । ତେବେ ଆୟକର ନୋଟିସ୍‌କୁ ନେଇ ସନଧରଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି। ନିଜେ ଅପାଠୁଆ ହୋଇଥିବା ବେଳେ ଏପରି ସମସ୍ୟା ତାଙ୍କ ବୁଦ୍ଧି ବଣା କରିଛି ।
ସେପଟେ ଆୟକର ବିଭାଗର ଏଭଳି ନୋଟିସ୍‌ ପରେ ଦିନମଜୁରିଆ ସନଥର ପୋଲିସ୍‌ ନିକଟରେ ଅଭିଯୋଗ କରିବେ ବୋଲି ଜଣାପଡ଼ିଛି ।
Related Posts