କେନ୍ଦ୍ରର ଏମ୍ଏସପି ବୃଦ୍ଧି ଚାଷୀଙ୍କ ପାଇଁ ପ୍ରତାରଣା : କଂଗ୍ରେସ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କେନ୍ଦ୍ର ସରକାର ଖରିଫ ଫସଲ ପାଇଁ ଏମଏସପି ବୃଦ୍ଧି କରିବା ପରେ ଏବେ ଏହାକୁ ନେଇ ଆରମ୍ଭ ହୋଇ ଯାଇଛି ରାଜନୈତିକ ବୟାନ ବାଜି । ଏମଏସପି ବୃଦ୍ଧି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ଦଳ ଅଭିଯୋଗ କରିଛି ଯେ ଏହି ବୃଦ୍ଧି ଚାଷୀଙ୍କ ପାଇଁ ଏହି ପର୍ଯ୍ୟାପ୍ତ ନୁହେଁ। ଏମଏସପିରେ ହାରାହାରି ବୃଦ୍ଧି ମାତ୍ର ୩.୭ ପ୍ରତିଶତ ଥିବାବେଳେ ମୁଦ୍ରାସ୍ଫୀତି ହାର ୬.୨ ପ୍ରତିଶତ ଏବଂ ଡିଜେଲ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ମୂଲ୍ୟରେ ପ୍ରାୟ ୨୦ ପ୍ରତିଶତ ବୃଦ୍ଧି ଘଟିଛି। କଂଗ୍ରେସର ସାଧାରଣ ସମ୍ପାଦକ ରଣଦୀପ ସୁରଜେୱାଲା କହିଛନ୍ତି ଯେ ,” ବିଜେପି ସରକାରର କୃଷକ ବିରୋଧୀ ଚେହେରା ପୁଣି ଥରେ ସାମ୍ନାକୁ ଆସିଛି । ଚାଷୀଙ୍କୁ ୫୦ ପ୍ରତିଶତ ଲାଭ ଦେବା ତ ଦୂରର କଥା ମୋଦୀ ସରକାର କୃଷକମାନଙ୍କୁ ସେମାନଙ୍କ ଫସଲର ମୂଲ୍ୟ ମଧ୍ୟ ଦେବାରେ ବିଫଳ ହୋଇଛନ୍ତି। ” ସେ କେନ୍ଦ୍ରର ମୋଦୀ ସରକାରଙ୍କୁ ଟାର୍ଗେଟ କରି ପ୍ରଶ୍ନ କରିଛନ୍ତି ଯେ ଅନ୍ନଦାତାଙ୍କ ଉପରେ ବିଜେପିର ଏହି ନିଷ୍ଠୁର ଆକ୍ରମଣ କେବେ ବନ୍ଦ ହେବ ? ଖରିଫ ଫସଲ ସର୍ବନିମ୍ନ ସହାୟକ ମୂଲ୍ୟ ସ୍ଥିର କରିବାବେଳେ ମୋଦୀ ସରକାର ପୁଣିଥରେ ତାଙ୍କ କୃଷକ ବିରୋଧୀ ଚେହେରା ସମସ୍ତଙ୍କୁ ଦେଖାଇଦେଇଛନ୍ତି । କୋଭିଡ -19 ମହାମାରୀ ସମୟରେ ମଧ୍ୟ କୃଷକମାନେ କଠିନ ପରିଶ୍ରମ କରି ରେକର୍ଡ ପରିମାଣର ଫସଲ ଉତ୍ପାଦନ କରି ଦେଶର “ବୁଡ଼ି ଯାଉଥିବା” ଅର୍ଥନୀତିକୁ ବଞ୍ଚାଇବାକୁ ଚେଷ୍ଟା କରୁଥିବା ବେଳେ ମୋଦୀ ସରକାର ଖରିଫ ଫସଲ ପାଇଁ ଏମ୍ଏସପି ବୃଦ୍ଧି କରିବା ଏକ ଷଡଯନ୍ତ୍ର ବୋଲି ସେ କହିଛନ୍ତି । ସୁରଜେୱାଲା କହିଛନ୍ତି ଯେ ମୁଦ୍ରାସ୍ଫୀତି ହାର ୬.୨ ପ୍ରତିଶତ ଥିବାବେଳେ ଖରିଫ ଫସଲ ପାଇଁ ଏମଏସପିରେ ହାରାହାରି ବୃଦ୍ଧି ମାତ୍ର ୩.୭ ପ୍ରତିଶତ ରହିଛି। ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ ମୋଦୀ ସରକାରଙ୍କ ସାତ ବର୍ଷ କାର୍ଯ୍ୟକାଳ ମଧ୍ୟରେ ସାର ଏବଂ କୀଟନାଶକ ଔଷଧର ମୂଲ୍ୟ ପ୍ରାୟ ୧୦୦ ପ୍ରତିଶତ ବୃଦ୍ଧି ପାଇଛି ଏବଂ ଏହାଦ୍ୱାରା ଏକ ହେକ୍ଟର ଚାଷ କରିବା ପାଇଁ ଚାଷୀ ୨୦ ହଜାର ଟଙ୍କା ଖର୍ଚ୍ଚ ହେଉଛି। ସେ କହିଛନ୍ତି, ସରକାରଙ୍କ ଏହି ନିଷ୍ପତି ଚାଷୀଙ୍କ ପ୍ରତି ପ୍ରତାରଣା। ସୁରଜେୱାଲା କହିଛନ୍ତି, “ମୋଦୀ ସରକାର କାମ କମ୍ କିନ୍ତୁ ହେଡଲାଇନ୍ ମ୍ୟାନେଜମେଣ୍ଟ ଅଧିକ କରୁଛନ୍ତି। ତେଣୁ ମୋଦୀ ସରକାର ଚାଷୀଙ୍କୁ ଫସଲର ଉଚିତ୍ ମୂଲ୍ୟ ଦିଅନ୍ତୁ ନଚେତ୍ ଅନ୍ନଦାତା ସେମାନଙ୍କ ଭୋଟ୍ ବଳରେ ମୋଦୀ ସରକାରଙ୍କୁ ଶାସନ କ୍ଷମତାରୁ ହଟାଇ ଦେବେ। ବୁଧବାର ଦିନ କେନ୍ଦ୍ର କ୍ୟାବିନେଟ୍ ଧାନ ଉପରେ ଏମଏସପି ୭୨ ଟଙ୍କା ବୃଦ୍ଧି କରିଛି । ଏହା ପରେ କ୍ୱିଣ୍ଟାଲ ପିଛା ଧାନ ବର୍ତ୍ତମାନ ୧୮୬୮ ଟଙ୍କାରୁ ୧୯୪୦ ଟଙ୍କାକୁ ବୃଦ୍ଧି ପାଇଛି । ଏହା ସହିତ ବାଜରା ଉପରେ ଏମଏସପି କୁଇଣ୍ଟାଲ ପିଛା ୨୧୫୦ ରୁ ୨୨୫୦ ଟଙ୍କାକୁ ବୃଦ୍ଧି କରାଯାଇଛି । ସେହିପରି ଅନ୍ୟାନ୍ୟ ଖରିଫ ଫସଲର ଏମ୍ଏସପି ମଧ୍ୟ ବୃଦ୍ଧି କରିଛନ୍ତି।

Related Posts