ଯୋଗ ଏବଂ ଆୟୁର୍ବେଦ ସୁରକ୍ଷା ଦେଉଥିବା ସତ୍ତ୍ବେ କୋଭିଡ୍ ଟିକା ନେବେ ବାବା ରାମଦେବ

(ସତ୍ଯପାଠ ବ୍ଯୁରୋ) ଭୁବନେଶ୍ୱର : ଏଲୋପାଥି ଚିକିତ୍ସା ଏବଂ କରୋନା ଟିକା ଉପରେ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ବାବା ରାମଦେବ ଶେଷରେ ଟିକା ନେବେ ବୋଲି ଘୋଷଣା କରିଛନ୍ତି । ରାମଦେବ ଗୁରୁବାର ଦିନ କହିଛନ୍ତି ଯେ ଯୋଗ ଏବଂ ଆୟୁର୍ବେଦ ତାଙ୍କୁ ଏ ପର୍ଯ୍ୟନ୍ତ କୋଭିଡ୍ ସଂକ୍ରମଣରୁ ରକ୍ଷା କରିଛି ତଥାପି ବି ସେ ଖୁବ୍ ଶୀଘ୍ର କୋଭିଡ -19 ଟୀକାର ପ୍ରଥମ ଡୋଜ ନେବେ । ଜନ୍ ଟିଭି ଦ୍ୱାରା ଟ୍ୱିଟ୍ କରାଯାଇଥିବା ଏକ ଭିଡିଓରେ ରାମଦେବ କହିଛନ୍ତି ଯେ ,” ସମସ୍ତେ ଟିକାର ଦୁଇ ଡୋଜ ନେବା ଉଚିତ ଏବଂ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଯୋଗ ଏବଂ ଆୟୁର୍ବେଦ ଅଭ୍ୟାସ କରିବା ଉଚିତ୍। ଏହାଦ୍ୱାରା କୋଭିଡ୍ ମୃତ୍ୟୁ ରୋକାଯାଇପାରିବ ।” ରାମଦେବ କହିଛନ୍ତି, “ଏଥିରେ କୌଣସି ସନ୍ଦେହ ନାହିଁ ଯେ ଜରୁରୀକାଳୀନ ପରିସ୍ଥିତି ଏବଂ ଅସ୍ତ୍ରୋପଚାର ପାଇଁ ଏଲୋପାଥି ଭଲ ।” ସେ ଆଧୁନିକ ଚିକିତ୍ସାର ବିରୋଧୀ ନୁହଁନ୍ତି ବରଂ ଯେଉଁମାନେ ଚିକିତ୍ସା ନାଁରେ ଅତ୍ୟଧିକ ଟଙ୍କା ନେଇ ଗରିବ ଲୋକଙ୍କୁ ଶୋଷଣ କରୁଛନ୍ତି ସେମାନଙ୍କର ବିରୋଧ କରନ୍ତି।

ରାମଦେବ କହିଛନ୍ତି, ” କୌଣସି ସଂଗଠନ ସହ ଆମର ଶତ୍ରୁତା ନାହିଁ , ସମସ୍ତ ଭଲ ଡାକ୍ତର ଏହି ପୃଥିବୀରେ ଭଗବାନଙ୍କ ଦ୍ୱାରା ପଠାଯାଇଥିବା ଦୂତ ଅଟନ୍ତି । ଆମର ଲଢ଼େଇ ଦେଶର ଡାକ୍ତରଙ୍କ ସହ ନୁହେଁ । ଯେଉଁ ଡାକ୍ତରମାନେ ଆମକୁ ବିରୋଧ କରୁଛନ୍ତି, ସେମାନେ କୌଣସି ଅନୁଷ୍ଠାନ ସହ ଜଡ଼ିତ ନାହାଁନ୍ତି । ଗତ କିଛିଦିନ ତଳେ ଏଲୋପାଥି ଚିକିତ୍ସା ଏବଂ ଡାକ୍ତରମାନଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିବା ଏକ ଭିଡିଓ ଭାଇରାଲ ହୋଇଥିଲା । ଏହା ପରେ ଭାରତୀୟ ମେଡିକାଲ ଆସୋସିଏସନ ବାବା ରାମଦେବଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରିଥିଲା ​​ଏବଂ ପୋଲିସ ନିକଟରେ ଅଭିଯୋଗ ମଧ୍ୟ କରିଥିଲା । ଯେଉଁମାନେ ଏଲୋପାଥିକୁ ବଦନାମ କରୁଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଆଇଏମଏ ପିଏମ ମୋଦିଙ୍କୁ ଏକ ଚିଠି ଲେଖିଛି । ଆଇଏମ୍ଏ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନଙ୍କୁ ମଧ୍ୟ ଚିଠି ଲେଖି ରାମଦେବଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଏହା ପରେ ସ୍ବାସ୍ଥ୍ୟମନ୍ତ୍ରୀ ରାମଦେବଙ୍କୁ ଚିଠି ଲେଖି କ୍ଷମା ପ୍ରାର୍ଥନା କରିବାକୁ କହୁଛନ୍ତି ଥିଲେ ଏବଂ ରାମଦେବ ମଧ୍ୟ ତାଙ୍କ ବିବାଦୀୟ ମନ୍ତବ୍ୟ ପ୍ରତ୍ୟାହାର କରି ନେଇଥିଲେ।

Related Posts