ଆଜି ଭାରତ-ଅଷ୍ଟ୍ରେଲିଆ ନିର୍ଣ୍ଣାୟକ ଲଢ଼େଇ

(ସତ୍ୟପାଠ ବ୍ୟୁରୋ) ବେଙ୍ଗାଳୁରୁ: ଆଜି ଭାରତ-ଅଷ୍ଟ୍ରେଲିଆ ଦିନିକିଆ ଶୃଙ୍ଖଳାର ତୃତୀୟ ତଥା ଶେଷ ମୁକାବିଲା । ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ବାମୀ ଷ୍ଟାଡିୟମ୍‌ରେ ଖେଳାଯିବାକୁଥିବା ଏହି ମ୍ୟାଚ୍‌ ଉପରେ ଏବେ ସମଗ୍ର ଦେଶର ନଜର ରହିଛି । ବିଶ୍ବ କ୍ରିକେଟ୍‌ର ଦୁଇ ମହାରଥୀଙ୍କ ମଧ୍ୟରେ ଖେଳାଯାଉଥିବା ଏହି ରୋମାଞ୍ଚଭରା ଶୃଙ୍ଖଳାରେ ଉଭୟ ଦଳ ଗୋଟିଏ ଲେଖାଏ ମ୍ୟାଚ୍ ଜିତି ବରାବର ସ୍ଥିତିରେ ଅଛନ୍ତି । ସେଥିପାଇଁ ଏହି ମ୍ୟାଚ୍‌ର ମହତ୍ବ ଢେର ବଢ଼ିଛି । ମୁମ୍ବାଇରେ ଖେଳା ଯାଇଥିବା ପ୍ରଥମ ମ୍ୟାଚ୍‌ରେ ଭାରତକୁ ଅଷ୍ଟ୍ରେଲିଆ ସହଜରେ ହରାଇ ଦେଇଥିଲା । ରାଜକୋଟରେ ଆୟୋଜିତ ଦ୍ବିତୀୟ ଦିନିକିଆରେ ଭାରତ ସଫଳ ପ୍ରତ୍ୟାବର୍ତନ କରିଥିଲା । କଙ୍ଗାରୁ ଦଳକୁ ସେଠାରେ ୩୬ ରନ୍‌ରେ ହରାଇ ଶୃଙ୍ଖଳାକୁ ଜୀବନ୍ତ ରଖିବାରେ ସଫଳ ହୋଇଛି ଟିମ୍‌ ଇଣ୍ଡିଆ । ସେହିଭଳି ଅଷ୍ଟ୍ରେଲିଆ ବିପକ୍ଷରେ ଲଗାତର ଚାରିଟି ଏକଦିବସୀୟ ମ୍ୟାଚ୍ ହାରିବା ପରେ ପ୍ରଥମ ବିଜୟ ପାଇଥିଲା ଭାରତ । ମୁମ୍ବାଇ ଏବଂ ରା‌ଜକୋଟ ପରେ ବେଙ୍ଗାଲୁରୁରେ କିନ୍ତୁ ଶୃଙ୍ଖଳାର ସବୁଠାରୁ ବଡ଼ ଏବଂ ଗୁରୁତ୍ବପୂର୍ଣ୍ଣ ଲଢ଼େଇ ହେବାକୁ ଯାଉଛି । ୱେଷ୍ଟଇଣ୍ଡିଜ୍ ବିପକ୍ଷ ପୂର୍ବ ଶୃଙ୍ଖଳାରେ ମଧ୍ୟ ଭାରତ ଏଭଳି ସ୍ଥିତିରେ ଥିଲା । ବିଶାଖାପାଟଣାରେ କର ବା ମର ମ୍ୟାଚ୍‌କୁ ଜିତି ଶୃଙ୍ଖଳା ଜିତି ନେଇଥିଲା । ଅଷ୍ଟ୍ରେଲିଆ ବିପକ୍ଷରେ ମଧ୍ୟ ଭାରତୀୟ ଦଳ ଏହି ସଫଳତା ଦୋହରାଇବ ବୋଲି ପ୍ରଶଂସକ ଆଶା ରଖିଛନ୍ତି।

ରୋହିତଙ୍କୁ ‌ନେଇ ବଢ଼ିଲା ଚିନ୍ତା

ରାଜକୋଟ ଦିନିକିଆରେ ସୀମା ରେଖା ନିକଟରେ କ୍ଷେତ୍ରରକ୍ଷଣ କରୁଥିଲା ବେଳେ ଭାରତୀୟ ଉପଅଧିନାୟକ ରୋହିତ ଶର୍ମା ଆହତ ହୋଇଥିଲେ। ତାଙ୍କ କାନ୍ଧରେ ଗୁରୁତର ଆଘାତ ଲାଗିଥିଲା । ସେହିଭଳି ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଶିଖର ଧାୱନଙ୍କ ପଞ୍ଜରା ହାଡ଼ରେ ବଲ୍ ବାଜିଥିଲା । ଧାୱନଙ୍କ ଆଘାତ ସେତେଟା ଗୁରୁତର ନଥିଲା ଏବଂ ସେ ପୂରା ସୁସ୍ଥ ଅଛନ୍ତି ବୋଲି ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ରୋହିତଙ୍କୁ ନେଇ ଏବେବି ଆଶଙ୍କା ଲାଗି ରହିଛି । ତାଙ୍କୁ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ରୋହିତ ଯଦି ପୂରା ସୁସ୍ଥ ନହୋଇ ପାରନ୍ତି, ଏହା ନିଶ୍ଚିତ ଭାବେ ଭାରତ ପାଇଁ ଏକ ବଡ଼ ଧକ୍କା ହେବ। ଯୁବ ଦ୍ରୁତ ବୋଲର ନଭଦୀପ ସୈନି ରାଜକୋଟରେ ଭଲ କରିଥିବାରୁ ସେ ଦଳରେ ରହିବାର ସମ୍ଭାବନା ଅଧିକ ରହିଛି । ସେହିଭଳି କୁଲଦୀପ ଯାଦବ ମଧ୍ୟ ତାଙ୍କ ସ୍ଥାନ ବଜାୟ ରଖିପାରନ୍ତି । ଦୀର୍ଘ 4 ମାସ ପରେ ଭାରତୀୟ ଦଳକୁ ଫେରିଥିବା ଦ୍ରୁତ ବୋଲର ଯଶ୍‌ପ୍ରୀତ ବୁମରା ଧୀ‌ରେ ଧୀରେ ଲୟକୁ ଫେରୁଥିବାରୁ ବେଙ୍ଗାଲୁରୁରେ ତାଙ୍କ ପ୍ରଦର୍ଶନ ଭାରତ ପାଇଁ ବେଶ୍ ଗୁରୁତ୍ବ ରଖିବ । ସେପଟେ କେନ୍ ରିଚାର୍ଡସନ୍ ରାଜକୋଟରେ ଅତ୍ୟନ୍ତ ମହଙ୍ଗା ସାବ୍ୟସ୍ତ ହୋଇଥିବାରୁ ଅଷ୍ଟ୍ରେଲିଆ ତାଙ୍କ ସ୍ଥାନରେ ‌ଜୋସ୍ ହାଜ୍‌ଲେଉଡ୍‌ଙ୍କୁ ଚୂଡ଼ାନ୍ତ ଦଳରେ ସ୍ଥାନ ମିଳିବା ନେଇ ସୂଚନା ମିଳିଛି ।

କ’ଣ କହୁଛି ପିଚ୍ ରିପୋର୍ଟ ?

ଚିନ୍ନାସ୍ବାମୀ ପିଚ୍‌ରେ ଅଧିକାଂଶ ସମୟ ବଡ଼ ସ୍କୋର ଦେଖିବାକୁ ମିଳିଥାଏ । ଆଜି ମଧ୍ୟ ଏହି ଧାରା ବଜାୟ ରହିବାର ସମ୍ଭାବନା ଅଧିକ । ତେବେ କାକର ପାଇଁ ଦ୍ବିତୀୟରେ ବୋଲିଂ କରୁଥିବା ଦଳ କିଛିଟା ସମସ୍ୟାର ସମ୍ମୁଖୀନ ହୋଇପାରେ ।  ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଇଥିବା ଗତ ଦୁଇ ଦିନିକିଆରେ ଯଥାକ୍ରମେ ୭୦୯ ଏବଂ ୬୪୭ ରନ୍ ଦେଖିବାକୁ ମିଳିଥିଲା । ଏଣୁ ଦୁଇ ଦଳର ବ୍ୟାଟ୍ସମ୍ୟାନ୍ ରବିବାର ଏଠାରେ ନିଜ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେବା ଆଶାରେ ଥିବେ । ଏଠାରେ ଖେଳିଥିବା ତିନିଟି ଦିନିକିଆରେ ରୋହିତ ଶର୍ମା ସର୍ବାଧିକ ୩୧୮ ରନ୍ କରିଛନ୍ତି । ସେଥିମଧ୍ୟରେ ଗୋଟିଏ ଦ୍ବିଶତକ ମଧ୍ୟ ରହିଛି । ଏହି ପଡ଼ିଆରେ ରୋହିତଙ୍କଠାରୁ‌ କେବଳ ସଚିନ ତେନ୍ଦୁଲକର ଏବଂ ବୀରେନ୍ଦ୍ର ସେହବାଗ ଅଧିକ ରନ୍ କରିଛନ୍ତି । ପ୍ୟାଟ୍ କମିନ୍ସ ରବିବାର ଦୁଇଟି ୱିକେଟ୍ ନେଲେ ଦିନିକିଆରେ ୧୦୦ ୱିକେଟ୍ ନେବାରେ ଅଷ୍ଟ୍ରେଲିଆର ଦ୍ରୁତତମ ବୋଲର ହେବେ ।

Related Posts