ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହେଲା ବହୁ ପ୍ରତୀକ୍ଷିତ ଭୁବନେଶ୍ୱରରୁ ସୁରଟକୁ ସିଧା ବିମାନ ସେବା । ଆଜି ସକାଳ ୮ଟା ୪୦ରେ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଏୟାର ଇଣ୍ଡିଆ ବିମାନ ୧୮୦ଜଣ ବିମାନ ଯାତ୍ରୀଙ୍କୁ ନେଇ ପ୍ରଥମ ଥର ଉଡ଼ାଣ ଭରିଛି । ଏହା ସକାଳ ୧୦ଟା ୪୦ରେ ସୁରତ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବ ବୋଲି ଜଣାପଡ଼ିଛି । ଭୁବନେଶ୍ୱରରୁ ସୁରଟକୁ ସିଧା ବିମାନ ସେବା ଆରମ୍ଭ କରାଯିବା ପଛରେ ଭୁବନେଶ୍ୱରର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କର ସବୁଠାରୁ ଅଧିକ ଅବଦାନ ରହିଛି ।
ଏହି ବିମାନରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ସୁରତ ଅଭିମୁଖେ ଯାତ୍ରା କରିଥିବା ଜଣାପଡ଼ିଛି । ଏହି ବିମାନସେବାର ଶୁଭାରମ୍ଭ ସମୟରେ ସାଂସଦ ଅପରାଜିତା ଷଡଙ୍ଗୀ କହିଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କୁ ତାଙ୍କୁ ବୁଝାଇବାକୁ ପଡ଼ିଥିଲା ଯେ ଗୁଜୁରାଟର ସୁରଟରେ ପ୍ରାୟ ୮ଲକ୍ଷରୁ ଉର୍ଦ୍ଧ୍ୱ ଓଡ଼ିଆ ବସବାସ କରୁଥିବା ହେତୁ ଭୁବନେଶ୍ୱରରୁ ସୁରଟକୁ ସିଧା ବିମାନ ସେବା ଜରୁରୀ । ଏଥିଲାଗି ସେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପ୍ରମୁଖଙ୍କୁ ବି ଧନ୍ୟବାଦ ଜଣାଇଛନ୍ତି।