କିଏ ସେ ଉପରୱାଲା ?

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର: ମାନ୍ୟବର ଥରେ ଆଖି ଖୋଲି ଦେଖନ୍ତୁ ରାଜ୍ୟରେ କିଭଳି ଚାଲିଛି ଶାସନ ।  ଏକଥା କୌଣସି ସାଧରଣ ଲୋକ ପଚାରି ନାହିଁ ବରଂ ଏ ରାଜ୍ୟର ଜଣେ ଆଇଏଏସ୍ ଅଧିକାରୀଙ୍କ ପତ୍ନୀ ପଚାରିଛନ୍ତି । ନିକଟରେ ଲାଞ୍ଚ ନେଉଥିବା ଅଭିଯୋଗରେ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଥିବା ବିଜୟ କେତନ ଉପାଧ୍ୟାୟଙ୍କ ପତ୍ନୀ ତୁଷିନା ମିଶ୍ର ମୁଖ୍ୟମନ୍ତ୍ରୀଙ୍କୁ ଏକଥା ପଚାରିବା ପରେ ପାଓ୍ବାର କରିଡରରେ ଏହାକୁ ନେଇ ପ୍ରବଳ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ତାଙ୍କ ସ୍ବାମୀଙ୍କୁ ଜାଣିଶୁଣି ଫସାଇ ଦିଆଯାଇଥିବା କହିବା ସହ 5-T ବ୍ୟବସ୍ଥା ଉପରକୁ ମଧ୍ୟ ଆଙ୍ଗୁଠି ଉଠାଇଛନ୍ତି  ତୁଷିନା ।

ତୁଷିନାଙ୍କ ଅଭିଯୋଗ ହେଲା ବିନା ସର୍ଚ୍ଚ ଅପରେସନ ଅର୍ଡରରେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କ ଘର ଖାନତଲାସ କରିଥିଲେ । ଅନାବଶ୍ୟକ ପ୍ରଶ୍ନ ପଚାରି ମାନସିକ ଯନ୍ତ୍ରଣା ଦେଇଥିଲେ  । ସରକାର କଥା କଥାକେ 5-Tର ଉଦାହରଣ ଦେଉଥିବା ବେଳେ ବିନା ଅର୍ଡରରେ କିପରି ମୋ ଘର ସର୍ଚ୍ଚ କଲେ ବୋଲି ସରକାରଙ୍କୁ ପାଲଟା ପ୍ରଶ୍ନ ପଚାରିଛନ୍ତି ।

ଭିଜିଲାନ୍ସ ଅଧିକାରୀମାନଙ୍କୁ ପଚାରିଲେ ଗୋଟିଏ ଉତ୍ତର ମିଳୁଥିଲା ଯେ ତାଙ୍କୁ ଉପରୁ PRESSURE ଆସିଛି । ଜଣେ ସର୍ବଭାରତୀୟ ସେବାର ଓଡ଼ିଆ ଅଧିକାରୀ ବୋଲି ତାଙ୍କ ସ୍ବାମୀଙ୍କୁ ଏଭଳି ସମସ୍ୟା ସାମ୍ନା କରିବାକୁ ପଡିଲା ବୋଲି ତୁଷିନା କ୍ଷୋଭଭରା କଣ୍ଠରେ କହିଛନ୍ତି । ବାରମ୍ବାର ଭିଜିଲାନ୍ସ ଅଧିକାରୀମାନେ ଉପରୁ ଚାପ ଥିବା କଥା କହୁଥିଲେ । ତେବେ କିଏ ସେ ଉପରବାଲା । ଉପରେ କେଉଁ ଅଧିକାରୀ ବା ବ୍ୟକ୍ତି ଅଛନ୍ତି ଯାହା ଆଗରେ ସରଣ ପରିଛି ଭିଜିଲାନ୍ସ ? ସେହି ଉପରବାଲା ସହ ବିଜୟ କେତନଙ୍କ ତିକ୍ତତା ଥିଲା କି ? ଯଦି ଥିଲା ତାହା କେଉଁ କାରଣରୁ ହୋଇଥିଲା ? ଏସମସ୍ତ ପ୍ରଶ୍ନ ଏବେ ସରକାରଙ୍କୁ ଘାଇଲା କରିଛି । ସେହି ଉପର ପ୍ରେସରଟା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଥିଲା, ପୋଲିସ ବିଭାଗର ମୁଖ୍ୟାଳୟରୁ ନା ଏସମସ୍ତଙ୍କ ଉପରେ ବସିଥିବା 5-ଟିରୁ ଥିଲା ବୋଲି ଏବେ ସାଧାରଣରେ ଚର୍ଚ୍ଚ ହେଉଛି ।

ବିଜୟକେତଙ୍କ ଗିରଫଦାରୀ ୨୦ ଦିନ ବିତିଥିଲେ ବି ଜାମିନ୍ ହୋଇ ପାରୁନାହିଁ । ବିଜୟଙ୍କ ପତ୍ନୀ ତୁଷିନାଙ୍କ ଅଭିଯୋଗ ଅନୁସାରେ ସରକାର ତାଙ୍କ ସ୍ବାମୀଙ୍କୁ ଏକ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ରେଡ୍ ହ୍ୟାଣ୍ଡେଡ ଧରିଥିବା କହୁଥିବା ବେଳେ ଭିଜିଲାନ୍ସ କିନ୍ତୁ ପ୍ରେସ୍ ରିଲିଜରେ କିଛି ଭିନ୍ନ କଥା । ସର୍ଚ୍ଚ ଅପରେସନ ସମୟରେ ଜନୈକ ଭିଜିଲାନ୍ସ ଅଧିକାରୀ ତୁଷିନାଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଏହା ଏକ ଟ୍ରାପ୍ କେଶ୍ ବୋଲି କହିଥିବାର ସୂଚନା ମିଳିଛି ।

ତେବେ ବାସ୍ତବିକ୍ ବିଜୟଙ୍କ ଗିରଫ ପଛରେ ଲାଞ୍ଚ କାରବାର ନା ଆଉ କିଛି ଏହା ବର୍ତ୍ତମାନର ସବୁଠାରୁ ବଡ ପ୍ରଶ୍ନ ହୋଇ ଛିଡ଼ା ହୋଇଛି ।

ଏକଥା ମଧ୍ୟ ଶୁଣିବାକୁ ମିଳୁଛି ରାଜ୍ୟ ଶାସନରେ ଓଡ଼ିଆ ଏବଂ ଅଣ ଓଡିଆ ଅଧିକାରୀଙ୍କ ମଧ୍ୟରେ ଚାଲିଥିବା ଅସନ୍ତୋଷର ଏହା ଏକ ପ୍ରତିଫଳନ ବୋଲି । ଯଦି ତୁଷିନାଙ୍କ କହିବାନୁସାରେ କଥାଟା ସତ୍ୟ ହୋଇଥାଏ ତା’ହେଲେ କେଉଠୁ ଥିଲା ଏହି PRESSURE ? ପବ୍ଲିକ ପ୍ରସିକ୍ୟୁଟର ହରିହର ସ୍ବାଇଁଙ୍କ ଉଦ୍ଦେଶ୍ୟ ମୂଳକ ବେଲ୍ ପିଟିସନକୁ ଖାରଜ କରାଇବା, ଭିଜିଲାନ୍ସ ଅଧିକାରୀମାନଙ୍କ ବାରମ୍ବାର ଉପରୁ ଚାପ କଥା କହିବା ବାସ୍ତବିକ୍ ଆମ ପ୍ରଶାସନିକ ବ୍ୟବସ୍ଥାର ଅନେକ ଅକୁହା ଦିଗକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ବୁଦ୍ଧିଜୀବୀଙ୍କ ମତରେ  ବିଜୟଙ୍କ ଗିରଫଦାରୀ ପଛର ରହସ୍ୟ ଉପରୁ ପରଦା ଉଠିବା ଆବଶ୍ୟକ ଏଥିପାଇଁ ମୁଖ୍ୟମନ୍ତ୍ରୀ କିମ୍ବା ପୋଲିସ ଡିଜି ରାଜ୍ୟବାସୀଙ୍କ ଆଗରେ ବିଜୟଙ୍କ ଗିରଫଦାରୀର ଉତ୍ତର ରଖିବା ଉଚିତ ।

Related Posts