
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଭାରତ ବାୟୋଟକ୍ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ୍ ଟିକାକୁ ଜରୁରୀକାଳୀନ ବ୍ୟବହାରରେ ତାଲିକାଭୁକ୍ତ(EUL) କରିବା ପାଇଁ ଆହୁରି ଅଧିକ ତଥ୍ୟ ମାଗିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) । ମିଳିଥିବା ସୂଚନା ମୁତାବକ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅଫିସିଆଲ ଓ୍ୱେବସାଇଟରେ ଭାରତ ବାୟୋଟେକ ଦ୍ବାରା ପ୍ରସ୍ତୁତ କୋଭାକ୍ସିନକୁ ନେଇ ଆବଶ୍ୟକ ଡକ୍ୟୁମେଣ୍ଟ ଏପ୍ରିଲ ୧୯ରେ ଦେଇଥିଲା। କିନ୍ତୁ “ହୁ” ଭାରତ ବାୟୋଟେକ୍ କୁ ଆହୁରି ଅଧିକ ତଥ୍ୟ ମାଗିଛି । ତେବେ ଆବଶ୍ୟକ ଅନ୍ୟାନ୍ୟ ଡକ୍ୟୁମେଣ୍ଟ ଦେବା ପାଇଁ ମେ-ଜୁନ୍ ମାସରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି। WHO ଅନୁଯାୟୀ, ଜରୁରୀକାଳୀନ ବ୍ୟବହାର ପାଇଁ ଆବଶ୍ୟକୀୟ ଦସ୍ତାବିଜ ସମ୍ପୂର୍ଣ୍ଣ ଗୋପନୀୟ ଅଟେ । ଯଦି ଦାଖଲ ହୋଇଥିବା ଦସ୍ତାବିଜ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମାନଦଣ୍ଡ ପୂରଣ କରେ ତେବେ WHO ଏହାର ଫଳାଫଳକୁ ବ୍ୟାପକ ଭାବରେ ପ୍ରକାଶ କରିବ । ତେବେ ଜରୁରୀକାଳୀନ ବ୍ୟବହାର ସୂଚକାଙ୍କ ପ୍ରକ୍ରିୟାର ଅବଧି ଟିକା ନିର୍ମାତା କମ୍ପାନୀ ଦ୍ୱାରା ଦାଖଲ ହୋଇଥିବା ଦସ୍ତାବିଜର ଗୁଣବତ୍ତା ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମାନଦଣ୍ଡ ପୂରଣ କରୁଥିବା ତଥ୍ୟ ଉପରେ ନିର୍ଭର କରେ। ତେବେ ଏହା ମଧ୍ୟରେ ହାଇଦ୍ରାବାଦ ସ୍ଥିତ ଭରତ ବାୟୋଟେକ ଇଣ୍ଟରନ୍ୟାସନାଲ ଲିମିଟେଡ (ବିବିଏଲ) କେନ୍ଦ୍ର ସରକାରଙ୍କୁ କହିଛନ୍ତି ଯେ, କମ୍ପାନୀ ୯୦ ପ୍ରତିଶତ ଦସ୍ତାବିଜ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପାଖରେ ଦାଖଲ କରିସାରିଛି। ବାକି ୧୦ ପ୍ରତିଶତ ଜୁନ ସୁଦ୍ଧା ଦାଖଲ କରିବ। ୭ଟି ଦେଶର ୧୧ଟି ଟିକା ନିର୍ମାତା କମ୍ପାନୀ କୋଭାକ୍ସିନ୍ ଟିକାର ଟେକ୍ନୋଲଜିକୁ ଗ୍ରହଣ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ଏବେ ୧୧ଟି ଦେଶରୁ କୋଭାକ୍ସିନ ନିୟାମକ ଅନୁମୋଦନ ଗ୍ରହଣ କରିସାରିଛି।