ଧାମରା ନିକଟରେ ସ୍ଥଳଭାଗ ଅତିକ୍ରମ କରିବ ବାତ୍ୟା ‘ୟାସ୍’ : IMD

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ୟସ୍’ର ଲ୍ୟାଣ୍ଡଫଲ୍ କୁ ନେଇ ଆଶଙ୍କା ଜାରି ରହିଛି। ତେବେ ‘ୟସ୍’ ଭଦ୍ରକ ଜିଲ୍ଲାର ଧାମରା ନିକଟରେ ସ୍ଥଳଭାଗ ଅତିକ୍ରମ କରିବାର ସମ୍ଭାବନା ରହିଛି । ଆସନ୍ତାକାଲି ସକାଳ ସୁଦ୍ଧା ଧାମରା ନିକଟରେ ବାତ୍ୟା କେନ୍ଦ୍ରୀଭୂତ ହେବ ଏବଂ ଦ୍ୱିପ୍ରହର ବେଳକୁ ସ୍ଥଳଭାଗ ଅତିକ୍ରମ କରିବ । ଧାମରାର ଉତ୍ତରକୁ ଓ ବାଲେଶ୍ୱରର ଦକ୍ଷିଣକୁ ସ୍ଥଳଭାଗ ଅତିକ୍ରମ କରିବ ବୋଲି IMD ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ଏହାର ପ୍ରଭାବରେ ଧାମରା ଓ ଚାନ୍ଦବାଲି ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେବ। ଆଜି ସନ୍ଧ୍ୟା ସୁଦ୍ଧା ‘ୟାସ୍’ ଅତି ଭୀଷଣ ବାତ୍ୟାର ରୂପ ନେବ ବୋଲି IMD ମହାନିର୍ଦ୍ଦେଶକ ଆକଳନ କରିଛନ୍ତି । ବାତ୍ୟା ସ୍ଥଳଭାଗ ଛୁଇଁବାର ପୂର୍ବ ଏବଂ ପର ୬ ଘଣ୍ଟା ଅତି ଗୁରୁତ୍ୱପୂର୍ଣ୍ଣ ବୋଲି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ତେବେ ବାତ୍ୟାର ପ୍ରକୋପରେ ବାଲେଶ୍ୱର, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଭଦ୍ରକ ଜିଲ୍ଲା ବିଶେଷ ଭାବେ ପ୍ରଭାବିତ ହେବାର ସମ୍ଭାବନା ରହିଛି । ବର୍ତ୍ତମାନ ବାତ୍ୟା ବଙ୍ଗୋପସାଗରରୁ ଶକ୍ତି ସଞ୍ଚୟ କରି ଆଗକୁ ବଢୁଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ପାଦାଦୀପ ଓ ଧାମରାରେ ୪ ନମ୍ବର ବିପଦ ସଙ୍କେତ ଜାରି କରାଯାଇଥିବା ସୂଚନା ମିଳିଛି । ପ୍ରବଳ ପବନର ପ୍ରଭାବରେ ବଡ଼ ବଡ଼ ଗଛ ଉପୁଡ଼ିବା ସହ, କଚ୍ଚା ଘର ଏବଂ ପୁରୁଣା କୋଠା ଭାଙ୍ଗିବାର ସମ୍ଭାବନା ରହିଛି ।

Related Posts