ଭାରତ-ଅଷ୍ଟ୍ରେଲିଆ ଟି-୨୦; ପୁଣି ଫେଲ୍ ମାରିଲା ଟିମ୍ ଇଣ୍ଡିଆର ବୋଲିଂ, ସିରିଜ୍‌ରେ ଅଷ୍ଟ୍ରେଲିଆ ୧-୦ରେ ଆଗୁଆ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଗତ ଏସିଆ କପ୍‌ରେ ଟିମ୍ ଇଣ୍ଡିଆ ବୋଲିଂ ବାରମ୍ବାର ଫେଲ୍ ମାରିବା ଫଳରେ ଦଳ ଶ୍ରୀଲଙ୍କା ଓ ପାକିସ୍ତାନଠାରୁ ପରାଜୟ ବରଣ କରି ସୁପର୍‌-୪ ପର୍ଯ୍ୟାୟରୁ ବିଦାୟ ନେଇଥିଲା । ଆଗାମୀ ବିଶ୍ୱକପ୍ ପାଇଁ ଦଳ ପ୍ରସ୍ତୁତି ପାଇଁ ମଙ୍ଗଳବାରଠାରୁ ଅଷ୍ଟ୍ରେଲିଆ ବିପକ୍ଷରେ ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଆରମ୍ଭ କରିଛି ।କିନ୍ତୁ ପ୍ରଥମ ମ୍ୟାଚ୍‌ରେ ମଧ୍ୟ ଦଳର ସମାନ ଦୁର୍ବଳତା ପୁଣିଥରେ ପଦାରେ ପଡ଼ିଛି । ପ୍ରଥମେ ବ୍ୟାଟିଂ ପାଇ ଟିମ୍ ଇଣ୍ଡିଆ ୬ ୱିକେଟ୍‌ରେ ୨୦୮ ରନ୍ କରିଥିଲେ ମଧ୍ୟ ବୋଲରଙ୍କ ଦୁର୍ବଳତା କାରଣରୁ ଦଳ ୪ ୱିକେଟ୍‌ରେ ପରାସ୍ତ ହୋଇଛି । ଅଷ୍ଟ୍ରେଲିଆ ୧୯.୨ ଓଭର୍‌ରେ ୬ଟି ୱିକେଟ୍ ହରାଇ ୨୧୧ ରନ୍ କରିନେଇ ସିରିଜ୍‌ରେ ୧-୦ରେ ଆଗୁଆ ରହିଛି ।

ଅଧିନାୟକ ରୋହିତ ଶର୍ମା ଗୋଟିଏ ଲେଖାଏଁ ଚୌକା ଓ ଛକା ସହ ୧୧ ରନ୍ କରି ଆଉଟ୍ ହେବା ପରେ ବିରାଟ କୋହଲି ମାତ୍ର ୨ ରନ୍‌ ସଂଗ୍ରହ କରିଥିଲେ । ତେବେ ତୃତୀୟ ୱିକେଟ୍‌ରେ ଅନ୍ୟତମ ଓପନର ଲୋକେଶ ରାହୁଲ୍ ଓ ସୂର୍ଯ୍ୟକୁମାର ଯାଦବ ୬୮ ରନ୍ ଯୋଡ଼ିଥିଲେ । ଇତିମଧ୍ୟରେ ରାହୁଲ୍ ତାଙ୍କର ଅର୍ଦ୍ଧଶତକ ପୂରଣ କରିଥିଲେ । ତେବେ ୩୫ଟି ବଲ୍‌ରେ ୪ଟି ଚୌକା ଓ ୩ଟି ଛକା ମାଧ୍ୟମରେ ୫୫ ରନ୍ କରିଥିବା ସମୟରେ ରାହୁଲ୍ ଆଉଟ୍ ହେବାରୁ ଏହି ପାର୍ଟନରଶିପ୍ ଭାଙ୍ଗିଥିଲା । ପରେ ସୂର୍ଯ୍ୟକୁମାର ଆଉଟ୍ ହେବା ପୂର୍ବରୁ ୨ଟି ଚୌକା ଓ ୪ଟି ଛକା ସହ ୪୬ ରନ୍‌ର ଯୋଗଦାନ ଦେଇସାରିଥିଲେ । ଦୀନେଶ କାର୍ତ୍ତିକଙ୍କ ଠାରୁ ଆଗରେ ବ୍ୟାଟିଂ କରିବାକୁ ଆସିଥିବା ଅକ୍ଷର ପଟେଲ୍ ମାତ୍ର ୬ ରନ୍ କରିଥିଲେ । କାର୍ତ୍ତିକ ମଧ୍ୟ ବିଫଳ ହୋଇ ୬ ରନ୍‌ରେ ପ୍ୟାଭିଲିୟନ୍ ଫେରିଥିଲେ । କିନ୍ତୁ ହାର୍ଦ୍ଦିକ ପାଣ୍ଡ୍ୟା ମାତ୍ର ୩୦ଟି ବଲ୍‌ରେ ୭ଟି ଚୌକା ଓ ୫ଟି ଛକା ସହ ଅପରାଜିତ ୭୧ ରନ୍ କରିଥିଲେ। ଫଳରେ ଅଷ୍ଟ୍ରେଲିଆ ଆଗରେ ଏକ ବଡ଼ ଲକ୍ଷ୍ୟ ରହିଥିଲା । ପାଣ୍ଡ୍ୟା ଓ ହର୍ଷଲ୍ ପଟେଲ୍‌ଙ୍କ ମଧ୍ୟରେ ସପ୍ତମ ୱିକେଟ୍‌ରେ ମାତ୍ର ୧୧ ବଲ୍‌ରେ ଅବିଭାଜିତ ୩୨ ରନ୍‌ର ଭାଗୀଦାରୀ ହୋଇଥିଲା । ଅଷ୍ଟ୍ରେଲିଆ ପକ୍ଷରୁ ନାଥନ୍ ଏଲିସ୍ ୩ଟି ଓ ଜୋଶ୍ ହେଜଲଉଡ୍ ୨ଟି ୱିକେଟ୍ ନେଇଥିଲେ ।

ଅଷ୍ଟ୍ରେଲିଆ ପକ୍ଷରୁ ଦୁଇ ଓପନର ଅଧିନାୟକ ଆରୋନ୍ ଫିଞ୍ଚ୍ ଓ କ୍ୟାମେରନ୍ ଗ୍ରୀନ୍ ବିସ୍ଫୋରକ ବ୍ୟାଟିଂ କରିଥିଲେ । ଫିଞ୍ଚ୍ ୩ଟି ଚୌକା ଓ ଗୋଟିଏ ଛକା ସହ ୨୨ ରନ୍ କରି ଆଉଟ୍ ହୋଇଥିଲେ ମଧ୍ୟ ଗ୍ରୀନ୍ ତାଙ୍କର ଧୂଆଁଧାର ବ୍ୟାଟିଂ ଜାରି ରଖିଥିଲେ । ସେ ମାତ୍ର ୩୦ ବଲ୍‌ରେ ୮ଟି ଚୌକା ଓ ୪ଟି ଛକା ସହ ୬୧ ରନ୍ କରିପାରିଥିଲେ । ଷ୍ଟିଭେନ୍ ସ୍ମିଥ୍ ୩ଟି ଚୌକା ଓ ଗୋଟିଏ ଛକା ସହ ୩୫ ରନ୍ କରିଥିବା ବେଳେ ଗ୍ଲେନ୍ ମ୍ୟାକ୍ସୱେଲ୍ ୧ ଓ ଜୋଶ୍ ଇଙ୍ଗଲିଶ୍ ୩ଟି ଚୌକା ସହ ୧୭ ରନ୍ କରିଥିଲେ । ମାଥ୍ୟୁ ୱେଡ୍ ଓ ଡେବ୍ୟୁଟାଣ୍ଟ୍ ଟିମ୍ ଡେଭିଡ୍‌ଙ୍କ ମଧ୍ୟରେ ଷଷ୍ଠ ୱିକେଟ୍‌ରେ ୬୨ ରନ୍‌ର ଭାଗୀଦାରୀ ହେବା ଫଳରେ ଅଷ୍ଟ୍ରେଲିଆର ବିଜୟ ସୁନିଶ୍ଚିତ ହୋଇଥିଲା । ମାଥ୍ୟୁ ୬ଟି ଚୌକା ଓ ୨ଟି ଛକା ସହ ଅପରାଜିତ ୪୫ ରନ୍ କରିଥିଲେ । ସେହିପରି ଡେଭିଡ୍ ଗୋଟିଏ ଲେଖାଏଁ ଚୌକା ଓ ଛକା ଜରିଆରେ ୧୮ ରନ୍ ଯୋଗ କରିଥିଲେ । ଟିମ୍ ଇଣ୍ଡିଆ ପକ୍ଷରୁ ଅକ୍ଷର ୩ଟି, ଉମେଶ ଯାଦବ ୨ଟି ଓ ୟୁଜବେନ୍ଦ୍ର ଚହଲ୍ ଗୋଟିଏ ୱିକେଟ୍ ନେଇଥିଲେ । ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍ ଆସନ୍ତା ୨୩ ତାରିଖରେ ନାଗପୁରଠାରେ ଖେଳାଯିବ ।

Related Posts