ଅଷ୍ଟ୍ରେଲିଆକୁ ୬ ଓ୍ଵିକେଟ୍‌ରେ ହରାଇ ଟି-୨୦ ମୁକାବିଲାରେ ବିଜୟ ହାସଲ କଲା ଟିମ୍ ଇଣ୍ଡିଆ

ହାଇଦ୍ରାବାଦ: ବିଜୟ ହାସଲ କଲା ଟିମ୍ ଇଣ୍ଡିଆ । ଅଷ୍ଟ୍ରେଲିଆକୁ ୬ ଓ୍ଵିକେଟ୍‌ରେ ହରାଇ ବିଜୟ ମୁକୁଟ ପିନ୍ଧିଛି ଟିମ୍ ଇଣ୍ଡିଆ । ସୂର୍ଯ୍ୟକୁମାର ଯାଦବ ଏବଂ ବିରାଟ କୋହଲିଙ୍କ ଦମଦାର ଅର୍ଦ୍ଧଶତକ ବଳରେ ଭାରତ ରୋମାଞ୍ଚକର ନିର୍ଣ୍ଣାୟକ ଟି-୨୦ ମୁକାବିଲାରେ ବିଜୟ ହାସଲ କରିଛି। ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍‌କୁ ଭାରତ ୨-୧ରେ ଜିତି ନେଇଛି। ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ଟିମ୍ ଡେଭିଡ୍‌ଙ୍କ ୫୪ ରନ ଏବଂ କ୍ୟାମେରୁନ ଗ୍ରୀନଙ୍କ ୫୨ ବଲ୍‌ରେ ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ଵିକେଟ୍ ହରାଇ ୧୮୬ ରନ କରିଥିଲା। ଜବାବରେ ଭାରତ ସୂର୍ଯ୍ୟକୁମାର ଯାଦବଙ୍କ ୬୯ ରନ ଏବଂ ବିରାଟ କୋହଲିଙ୍କ ୬୩ ରନ ବଳରେ ୧୯.୫ ଓଭରରେ ୪ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଛି। ହାର୍ଦ୍ଦିକ ପାଣ୍ଡ୍ୟା ୨୫ ରନର ଉପଯୋଗୀ ଇନିଂସ ଖେଳିଥିଲେ। ବୋଲିଂରେ ଅକ୍ଷର ପଟେଲ୍ ୩୩ ରନ ଦେଇ ୩ ଓ୍ଵିକେଟ୍ ନେଇଥିଲେ। ୨୦୨୧ ପରଠୁ ଭାରତ ରନର ପିଛା କରି ୧୪ଟି ମ୍ୟାଚ୍‌ରୁ ୧୩ଟିରେ ବିଜୟ ହାସଲ କରିଛି। ଅଧିନାୟକ ଭାବେ ଟି-୨୦ ଅନ୍ତର୍ଜାତୀୟରେ ଅଧିକ ମ୍ୟାଚ୍ ଜିତିବା ମାମଲାରେ ରୋହିତ ଶର୍ମା କୋହଲିଙ୍କୁ ପଛରେ ପକାଇଛନ୍ତି। ମ୍ୟାଚ୍ ବିଜୟୀ ଇନିଂସ ଖେଳିଥିବା ସୂର୍ଯ୍ୟକୁମାର ଯାଦବ ପ୍ଲେୟାର ଅଫ ଦ ମ୍ୟାଚ୍ ଏବଂ ସିରିଜ୍‌ରେ ସର୍ବାଧିକ ଓ୍ଵିକେଟ୍ ନେଇଥିବା ଅକ୍ଷର ପଟେଲ୍ ପ୍ଲେୟାର ଅଫ ଦ ସିରିଜ୍ ପୁରସ୍କାର ପାଇଛନ୍ତି।

୧୮୭ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଭାରତର ଆରମ୍ଭ ନୈରାଶ୍ୟଜନକ ଥିଲା। କେଏଲ ରାହୁଲ(୧) ପ୍ରଥମ ଓଭରରେ ଆଉଟ୍ ହୋଇଥିଲେ। ପୁଣି ଦଳୀୟ ସ୍କୋର ୩୦ରେ ଅଧିନାୟକ ରୋହିତ ଶର୍ମା(୧୭) ବିଦାୟ ନେଇଥିଲେ। ଏହା ପରେ ବିରାଟ କୋହଲି ଏବଂ ସୂର୍ଯ୍ୟକୁମାର ଯାଦବ ଦମଦାର ବ୍ୟାଟିଂ କରି ତୃତୀୟ ଓ୍ଵିକେଟ୍‌ରେ ୧୦୪ ରନ ଯୋଡି ଦଳ ବିଜୟର ପଥ ପରିଷ୍କାର କରିଥିଲେ। ଏହି କ୍ରମରେ ଦୁଇ ବ୍ୟାଟସମ୍ୟାନ ନିଜ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ୧୩୪ ରନ ସ୍କୋରରେ ସୂର୍ଯ୍ୟକୁମାର ଯାଦବ ପାଭିଲିୟନ ଫେରିଥିଲେ। ୩୬ ବଲ୍‌ରେ ବିସ୍ଫୋରକ ବ୍ୟାଟିଂ କରି ୫ ଚୌକା ଏବଂ ୫ ଛକା ବଳରେ ୬୯ ରନର ମ୍ୟାଚ୍ ବିଜୟୀ ଇନିଂସ ଖେଳିଥିଲେ।

ପୁଣି କୋହଲି ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ଚତୁର୍ଥ ଓ୍ଵିକେଟ୍‌ରେ ୪୮ ରନ ଯୋଡିଥିଲେ। କୋହଲି ୪୮ ବଲ୍‌ରୁ ୩ ଚୌକା ଏବଂ ୪ ଛକା ସହ ୬୩ ରନର ଗୁରୁତ୍ଵପୂର୍ଣ୍ଣ ଇନିଂସ ଖେଳିଥିଲେ। ଶେଷ ଆଡକୁ ମ୍ୟାଚ୍ ରୋମାଞ୍ଚକର ହୋଇଥିଲା। ୨୦ ତମ ଓଭରର ପଞ୍ଚମ ବଲ୍‌ରେ ବିଜୟ ସୂଚକ ଚୌକା ମାରି ହାର୍ଦ୍ଦିକ ପାଣ୍ଡ୍ୟା ଭାରତକୁ ବିଜୟୀ କରାଇଛନ୍ତି। ପାଣ୍ଡ୍ୟା ୧୬ ବଲ୍‌ରୁ ୨ ଚୌକା ଏବଂ ୧ ଛକା ସହାୟତାରେ ୨୫ ରନରେ ଅପରାଜିତ ଥିଲେ। ଭାରତ ୧୯.୫ ଓଭରରେ ୪ ଓ୍ଵିକେଟ୍ ହରାଇ ୧୮୭ ରନର ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ଡାନିଏଲ ସାମ୍ସ ୩୩ ରନ ଦେଇ ସର୍ବାଧିକ ୨ଟି ଓ୍ଵିକେଟ୍ ନେଇଛନ୍ତି ଜୋସ୍ ହେଜେଲଉଡ ଏବଂ ପ୍ୟାଟ୍ କମିନ୍ସ ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି।

ଅଷ୍ଟ୍ରେଲିଆ ଇନିଂସ

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ଆରମ୍ଭରୁ ବିସ୍ଫୋରକ ଢଙ୍ଗରେ ବ୍ୟାଟିଂ ଆରମ୍ଭ କରିଥିଲା। ବିଶେଷ କରି କ୍ୟାମେରୁନ ଗ୍ରୀନ ଧୂଆଁଧାର ବ୍ୟାଟିଂ କରି ଭାରତର ଚିନ୍ତା ବଢାଇଥିଲେ। ୩.୩ ଓଭରରେ ୪୪ ରନର ଦଳୀୟ ସ୍କୋରରେ ଅଧିନାୟକ ଆରୋନ ଫିଞ୍ଚ(୭)ଙ୍କୁ ଆଉଟ୍ କରି ଅକ୍ଷର ପଟେଲ୍ ଭାରତକୁ ପ୍ରଥମ ସଫଳତା ଦେଇଥିଲେ। ଅନ୍ୟପଟେ ଗ୍ରୀନ ଧୂଆଁଧାର ବ୍ୟାଟିଂ କରି ମାତର୍ ୧୯ ବଲ୍‌ରୁ ଅର୍ଦ୍ଧଶତକ ହାସଲ କରିଥିଲେ। ଗ୍ରୀନଙ୍କୁ ଆଉଟ୍ କରି ଭୁବନେଶ୍ଵର କୁମାର ଦଳକୁ ବହୁତ ବଡ ସଫଳତା ଦେଇଥିଲେ। ଗ୍ରୀନ ମାତ୍ର ୨୧ ବଲ୍‌ରୁ ୭ ଚୌକା ଏବଂ ୩ ଛକା ସହ ୫୨ ରନ କରିଥିଲେ। ଏହା ପରେ କଙ୍ଗାରୁ ଦଳ ସଅଳ ଓ୍ଵିକେଟ୍ ହରାଇ ଚାପର ବଶବର୍ତ୍ତୀ ହୋଇଥିଲା ଏବଂ ଭାରତୀୟ ବୋଲର ଅଷ୍ଟ୍ରେଲିଆର ରନ ଗତି ଉପରେ ଅଙ୍କୁଶ ଲଗାଇବାରେ ସଫଳ ହୋଇଥିଲେ।

ମ୍ୟାକ୍ସଓ୍ଵେଲ(୬) ରନ ଆଉଟ୍ ହୋଇଥିବା ବେଳେ ଷ୍ଟିଭ୍ ସ୍ମିଥ(୯) ଚହଲଙ୍କ ବଲ୍‌ରେ ଆଉଟ୍ ହୋଇ ପାଭିଲିୟନ ଫେରିଥିଲେ। ଜୋସ୍ ଇଙ୍ଗ୍ଲିସ୍(୨୪) କରିଥିଲେ। ମାଥ୍ୟୁ ଓ୍ଵେଦ(୧)ଙ୍କୁ ଆଉଟ୍ କରି ଅକ୍ଷର ପଟେଲ୍ ଦଳକୁ ବଡ ସଫଳତା ଦେଇଥିଲେ। ୧୧୭ ରନରେ ୬ ଓ୍ଵିକେଟ୍ ହରାଇବାର ଅଷ୍ଟ୍ରେଲିଆର ରନ ଗତି ଧିମେଇ ଯାଇଥିଲା। ଏହା ପରେ ଟିମ୍ ଡେଭିଡ୍ ଏବଂ ଡାନିଏଲ ସାମ୍ସ ଦଳର ସ୍କୋରକୁ ଆଗକୁ ବଢାଇଥିଲେ। ଟିମ୍ ଡେଭିଡ୍ ବିସ୍ଫୋରକ ବ୍ୟାଟିଂ କରି ଅଷ୍ଟ୍ରେଲିଆର ସ୍ଥିତି ମଜବୁତ କରିଥିଲେ। ଡେଭିଡ୍ ୨୫ ବଲ୍‌ରୁ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୨୭ ବଲ୍‌ରୁ ୨ ଚୌକା ଏବଂ ୪ ଛକା ସହ ୫୪ ରନର ଗୁରୁତ୍ଵପୂର୍ଣ୍ଣ ଇନିଂସ ଖେଳିଥିଲେ। ସାମ୍ସ ୨୮ ରନରେ ଅପରାଜିତ ଥିଲେ। ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ଓଭରରେ ୭ ଓ୍ଵିକେଟ୍ ହରାଇ ୧୮୬ ରନ କରିଥିଲା। ଭାରତ ପକ୍ଷରୁ ଅକ୍ଷର ପଟେଲ୍ ୩୩ ରନ ଦେଇ ୩ଟି ଓ୍ଵିକେଟ୍ ନେଇଛନ୍ତି। ଭୁବନେଶ୍ଵର, ଚହଲ ଏବଂ ହର୍ଷଲ ପଟେଲ୍ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି

Related Posts