ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଆଜି ଟି-୨୦ ସିରିଜ୍‌: ମୋହାଲି ପିସିଏ ଷ୍ଟାଡିୟମ୍‌ରେ ଖେଳାଯିବ ପ୍ରଥମ ମ୍ୟାଚ୍‌

ମୋହାଲି : ଆଜିଠୁ ଆରମ୍ଭ ହେବାକୁ ଯାଉଛି ଭାରତ-ଅଷ୍ଟ୍ରେଲିଆ ଟି-୨୦ ସିରିଜ୍‌ । ଆଜି ମୋହାଲି ପିସିଏ ଷ୍ଟାଡିୟମ୍‌ରେ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ । ସଂଧ୍ୟା ୭ଟାରେ ଆରମ୍ଭ ହେବ ଖେଳ ।

ଟ୍ବେଣ୍ଟି-୨୦ ବିଶ୍ବକପ୍ ପୂର୍ବରୁ ସଜାଡ଼ିବା ଓ ପ୍ରସ୍ତୁତ ହେବା ଲାଗି ଭାରତୀୟ ଦଳକୁ ମିଳିଛି ଆଉ ଏକ ସୁଯୋଗ। ଆଜିଠାରୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ୩ ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳା। ଅଷ୍ଟ୍ରେଲିଆ ପରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ମଧ୍ୟ ସମାନ ୩ଟି ଟ୍ବେଣ୍ଟି-୨୦ ଖେଳାଯିବ। ଏହି ୬ଟି ମ୍ୟାଚ୍‌ରେ ଭାରତୀୟ ଦ୍ରୁତ ବୋଲରଙ୍କୁ ଅଦଳବଦଳ କରି ବିଶ୍ରାମ ଦିଆଯିବ। ବିଶ୍ବକପ୍ ପୂର୍ବରୁ ଭାରତ ନିଜ ମଧ୍ୟକ୍ରମ ବ୍ୟାଟିଂ ଓ ଷଷ୍ଠ ବୋଲର ବିକଳ୍ପ ସମସ୍ୟାକୁ ସମାଧାନ କରିବା ଲକ୍ଷ୍ୟରେ ରହିଛି।

ସେପେଟ ଅଷ୍ଟ୍ରେଲିଆ ବିପକ୍ଷରେ ମ୍ୟାଚ୍‌ ପୂର୍ବରୁ ଭାରତୀୟ ଦଳ ଅଧିନାୟକ ରୋହିତ ଶର୍ମା ସ୍ପଷ୍ଟ କରିଛନ୍ତି ଯେ, କେଏଲ୍ ରାହୁଲ ହିଁ ବିଶ୍ବକପ୍ ରେ ତାଙ୍କ ଓପନିଂ ପାର୍ଟନର୍ ହେବେ। ବିରାଟ କୋହଲି ୩ ନମ୍ବର ସ୍ଥାନରେ ଖେଳିବେ ଏବଂ ଆବଶ୍ୟକ ଅନୁସାରେ ପାଳି ଆରମ୍ଭ କରିବେ। ହର୍ଷଲ ପଟେଲ୍ ଓ ଯଶପ୍ରୀତ୍ ବୁମରାଙ୍କ ପ୍ରତ୍ୟାବର୍ତନ ଭାରତୀୟ ଦଳର ବୋଲିଂ ବିଭାଗକୁ ଦୃଢ଼ କରିବା ସହ ଦଳର ମନୋବଳକୁ ମଧ୍ୟ ବଢ଼ାଇଛି। ରୋହିତ, ରାହୁଲ, କୋହଲି ଓ ସୂର୍ଯ୍ୟକୁମାରଙ୍କୁ ନେଇ ଭାରତର ଶୀର୍ଷ ୪ ସ୍ଥାନ ନିଶ୍ଚିତ ରହିଛି। ଚୂଡ଼ାନ୍ତ ଏକାଦଶରେ ଦୁଇ ୱିକେଟରକ୍ଷକ ଋଷଭ ପନ୍ତ୍ ଓ ଦୀନେଶ କାର୍ତ୍ତିକଙ୍କ ମଧ୍ୟରୁ ଜଣଙ୍କୁ ଖେଳାଯିବ କି ଉଭୟଙ୍କୁ ଏ ସମ୍ପର୍କରେ ଦଳ ନିର୍ଦ୍ଦିଷ୍ଟ ନିଷ୍ପତ୍ତିରେ ପହଞ୍ଚିପାରିନାହିଁ।

ସୂଚନାଯୋଗ୍ୟ ଯେ, ଭାରତ ଏବଂ ଅଷ୍ଟ୍ରେଲିଆ ଟ୍ବେଣ୍ଟି-୨୦ ଫର୍ମାଟରେ ପରସ୍ପର ୨୩ ଥର ମୁହାଁମୁହିଁ ହୋଇଛନ୍ତି। ଏଥିରେ ଭାରତ ୧୩ରେ ବିଜୟୀ ହୋଇଥିବା ବେଳେ ଅଷ୍ଟ୍ରେଲିଆ ଦଳ ୯ ଥର ବାଜି ମାରିଛି। ଗୋଟିଏ ମ୍ୟାଚ୍ ରୁ ଫଳାଫଳ ବାହାରିନାହିଁ। କିନ୍ତୁ ଶେଷ ୫ ମ୍ୟାଚ୍ ଭାରତ ୨ଟି ଓ ଅଷ୍ଟ୍ରେଲିଆ ୩ଟି ମ୍ୟାଚ୍‌ ବିଜୟୀ ହୋଇଛି । ଅଷ୍ଟ୍ରେଲିଆ ଏବେ ବିଶ୍ବ ବିଜେତା ସହିତ ଆଇସିସି ଟ୍ବେଣ୍ଟି-୨୦ ମାନ୍ୟତାର ଷଷ୍ଠ ସ୍ଥାନରେ ରହିଛି

Related Posts