ଆଜି ଭାରତ-ଅଷ୍ଟ୍ରେଲିଆ ଦ୍ବିତୀୟ ଟି-ଟ୍ବେଣ୍ଟି; ‘କର ବା ମର’ ସ୍ଥିତିରେ ପଡିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆଜି ନାଗପୁରରେ ଭାରତ-ଅଷ୍ଟ୍ରେଲିଆ ଦ୍ବିତୀୟ ଟି-ଟ୍ବେଣ୍ଟି ଖେଳାଯିବ। ସିରିଜର ପ୍ରଥମ ଟି-ଟ୍ବେଣ୍ଟି ହାରିଥିବା ଟିମ୍ ଇଣ୍ଡିଆ ପାଇଁ ଏହି ମ୍ୟାଚ୍ କର ବା ମର ସ୍ଥିତି ଆଣିଦେଇଛି। ସଂଧ୍ୟା ୭ଟା ସମୟରେ ଏହି ମ୍ୟାଚ୍‌ ଖେଳାଯିବ। ବର୍ତ୍ତମାନ ସୁଦ୍ଧା ୩ଟିକିଆ ସିରିଜ୍‌ରେ ଅଷ୍ଟ୍ରେଲିଆ ୧-୦ରେ ଆଗୁଆ ରହିଛି । ତେବେ ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆ ସମ୍ମୁଖରେ ଭାରତ ୨୦୦ରୁ ଅଧିକ ରନ୍ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ ମଧ୍ୟ ବୋଲିଂ ବିଫଳତା ପାଇଁ ଟିମ୍‌ ଇଣ୍ଡିଆ ମ୍ୟାଚ୍‌ ହାରିଯାଇଥିଲା। ଯାହାକୁ ନେଇ ଦଳକୁ ବେଶ୍ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା। ଭୁବନେଶ୍ବର କୁମାର ପୁଣି ଥରେ ଡେଥ୍ ଓଭରରେ ସଂଘର୍ଷ କରିଥିବା ବେଳେ ହର୍ଷଲ ପଟେଲ ୱିକେଟ୍ ବାହାର କରିବାରେ ବିଫଳ ହୋଇଥିଲେ। କେବଳ ଅକ୍ଷର ପଟେଲଙ୍କୁ ଛାଡ଼ିଦେଲେ ଅନ୍ୟ ସମସ୍ତ ବୋଲର ଓଭର ପିଛା ୧୦ରୁ ଅଧିକ ରନ୍ ଖର୍ଚ୍ଚ କରିଥିଲେ।

ତେବେ ଆଜିର ମ୍ୟାଚ୍ ରେ ଯଶପ୍ରୀତ୍ ବୁମରା ଦଳକୁ ପ୍ରତ୍ୟାବର୍ତ୍ତନ କରିବା ସମ୍ଭାବନା ରହିଛି। ଇଂଲଣ୍ଡ ବିପକ୍ଷ ଦିନିକିଆ ଶୃଙ୍ଖଳାରେ ବୁମରା ଶେଷ ଥର ପାଇଁ ଟିମ୍ ଇଣ୍ଡିଆ ପାଇଁ ପଡିଆକୁ ଓହ୍ଲାଇଥିଲେ। ହେଲେ ଚଳିତ ଶୃଙ୍ଖଳାର ପ୍ରଥମ ମ୍ୟାଚରେ ତାଙ୍କୁ ଆଶ୍ଚର୍ଯ୍ୟଜନକ ଭାବେ ଚୂଡ଼ାନ୍ତ ଏକାଦଶରୁ ବାଦ୍ ଦିଆଯାଇଥିଲା। ନାଗପୁରରେ ବୁଧବାର ରାତିରୁ ବର୍ଷା ହେଉଥିବାରୁ ଏହି ମ୍ୟାଚକୁ ନେଇ ଆଶଙ୍କା ରହିଛି। ଉଭୟ ଦଳ ଗୁରୁବାର ଅଭ୍ୟାସ କରିପାରିନାହାନ୍ତି।

Related Posts