
ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଭାରତ ଏବଂ ବାଂଲାଦେଶ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଦିନିକିଆରେ ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଗୁରୁତର ଆହତ ହୋଇଛନ୍ତି। ରୋହିତଙ୍କ ହାତରେ ଲାଗିଥିବା ଆହତ ହେତୁ ମ୍ୟାଚ ମଝିରୁ ତାଙ୍କୁ ପଡ଼ିଆ ଛାଡ଼ି ହସ୍ପିଟାଲ ଯିବାକୁ ପଡ଼ିଛି। ଏଭଳି ସମୟରେ କେଏଲ ରାହୁଲ ଦଳର ଅଧିନାୟକ ଭାବେ ପଡ଼ିଆରେ ନିଜର କର୍ତ୍ତବ୍ୟ ତୁଲାଉଛନ୍ତି।
ସୂଚନାଯୋଗ୍ୟ, ଫିଲ୍ଡିଂ ବେଳେ ରୋହିତ ବଲକୁ ଧରିବାକୁ ଚେଷ୍ଟା କରୁଥିଲେ। ଏହି ସମୟରେ ବଲକୁ ଠିକ ଭାବେ ଧରି ନପାରିବାରୁ ଗୁରୁତର ଆହତ ହୋଇଛନ୍ତି ସେ। ଏହି ଆଘାତ ଲାଗିବା ପରେ ତାଙ୍କ ଆଙ୍ଗୁଳିରୁ ରକ୍ତ ବାହାରିଥିଲା। ଏହି କାରଣରୁ ତୁରନ୍ତ ତାଙ୍କୁ ପଡ଼ିଆ ଛାଡ଼ି ହସ୍ପିଟାଲ ଯିବାକୁ ପଡ଼ିଛି। ଢାକାସ୍ଥିତ ଏକ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି। ବିସିସିଆଇ ମେଡିକାଲ ଟିମ ରୋହିତଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ନଜର ରଖିଛି। ଏଥିସହିତ ଟୁଇଟ କରି ରୋହିତଙ୍କ ଏହି ଅବସ୍ଥା ବିଷୟରେ ସୂଚନା ଦେଇଛି।
ତେବେ କ୍ରିକେଟ ଖେଳ ପ୍ରେମୀ ରୋହିତ ଖୁବଶୀଘ୍ର ସୁସ୍ଥ ହୋଇ ପଡ଼ିଆକୁ ଫେରି ଆସନ୍ତୁ ବୋଲି ଭଗବାନଙ୍କୁ ପ୍ରାର୍ଥନା କରିଛନ୍ତି। ତେବେ ରୋହିତ ପୁଣି ପଡ଼ିଆକୁ ଫେରିବେ କି ନାହିଁ ତାହା ଡାକ୍ତର କହିବେ।