ବାଂଲାଦେଶ ବିପକ୍ଷ ଦ୍ବିତୀୟ ଟେଷ୍ଟରୁ ବାଦ୍‌ ପଡିଲେ ରୋହିତ ଶର୍ମା, ଟିମ୍ ଇଣ୍ଡିଆର ନେତୃତ୍ବ ନେବେ ରାହୁଲ

ଭୁବନେଶ୍ୱର,୧୯/୧୨(ସତ୍ୟପାଠ ବ୍ୟୁରୋ): ଟିମ୍‌ ଇଣ୍ଡିଆର ନିୟମିତ ଅଧିନାୟକ ରୋହିତ ଶର୍ମା ବାଂଲାଦେଶ ବିପକ୍ଷ ଦ୍ବିତୀୟ ଟେଷ୍ଟ ମ୍ୟାଚରୁ ମଧ୍ୟ ବାଦ୍‌ ପଡିଛନ୍ତି । ଆହତ କାରଣରୁ ପ୍ରଥମ ଟେଷ୍ଟ ମଧ୍ୟ ରୋହିତ ଖେଳି ପାରିନଥିଲେ । ତେବେ ୨ୟ ମ୍ୟାଚ୍‌ରେ ସେ ଖେଳିବା ନେଇ ଆଶଙ୍କା ଦେଖାଦେଇଥିଲା । ଏବେ ସେ ବାଦ୍‌ ପଡିବା ନେଇ ସ୍ପଷ୍ଟ ହୋଇଛି ।

ତେବେ ଆସନ୍ତା ଡିସେମ୍ବର ୨୨ ତାରିଖରୁ ଆରମ୍ଭ ହେବାକୁ ଥିବା ଦ୍ବିତୀୟ ଟେଷ୍ଟ ମ୍ୟାଚରେ ରୋହିତଙ୍କ ଅନୁପସ୍ଥିତିରେ ଭାରତୀୟ ଦଳର ନେତୃତ୍ବ ନେବେ କେ ଏଲ୍ ରାହୁଲ । ରୋହିତଙ୍କ ବୁଢା ଆଙ୍ଗୁଳିରେ ଲାଗିଥିବା ଆଘାତ ସମ୍ପୂର୍ଣ୍ଣ ଭାବେ ଠିକ୍‌ ହୋଇନାହିଁ । ଆଉ କିଛି ସମୟ ଲାଗିବା ନେଇ ମେଡିକାଲ ଟିମ୍‌ ପରାମର୍ଶ ଦେଇଥିବାରୁ ଶେଷ ଟେଷ୍ଟରେ ସେ ଖେଳିପାରିବ ନାହିଁ ।

ସୂଚନାଯୋଗ୍ୟ ଯେ, ବାଂଲାଦେଶ ବିପକ୍ଷ ଦିନିକିଆ ସିରିଜ୍‌ର ଦ୍ବିତୀୟ ମ୍ୟାଚ୍‌ରେ ଆହତ ହୋଇଥିଲେ ରୋହିତ ଶର୍ମା । ଏପରିକି ସେ ବ୍ୟାଟିଂ କରିବାକୁ ୯ ନମ୍ବରରେ ଆସିଥିଲେ । ଆହତ ସତ୍ତ୍ବେ ଶେଷ ଯାଏଁ ସଂଘର୍ଷ କରିଥିଲେ ସୁଦ୍ଧା ଦ୍ବିତୀୟ ଦିନିକିଆରେ ପରାଜିତ ହୋଇଥିଲା ଭାରତ । ତୃତୀୟ ମ୍ୟାଚ୍ ମଧ୍ୟ ରାହୁଲଙ୍କ ନେତୃତ୍ବରେ ଖେଳିଥିଲା ଟିମ୍‌ ଇଣ୍ଡିଆ । ଦ୍ବିତୀୟ ଦିନିକିଆରେ ଭାରତ ଫିଲଡିଂ କରୁଥିବା ବେଳେ ଏକ କ୍ୟାଚ୍‌ ଧରିବାକୁ ଯାଇ ଆହତ ହୋଇଥିଲେ ରୋହିତ ଶର୍ମା । ତାଙ୍କ ଆଙ୍ଗୁଠିରେ ଗଭୀର ଆଘାତ ଲାଗିଥିଲା । ପରେ ସେ ମୁମ୍ବାଇ ଫେରିଆସିଥିଲେ ।

ତେବେ ବାଂଲାଦେଶ ବିପକ୍ଷ ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ପ୍ରଥମ ମ୍ୟାଚ୍‌କୁ ବଡ ବ୍ୟବଧାନ (୧୮୮ରନ)ରେ ଜିତିନେଇଛି ଭାରତ । ତେବେ ଆଗକୁ ବଡ ମୁକାବିଲା ଥିବାରୁ ରିସ୍କ ନେବାକୁ ଚାହୁଁନାହାନ୍ତି ବିସିସିଆଇ କିମ୍ବା ଟିମ୍ ମ୍ୟାନେଜମେଣ୍ଟ । ତେଣୁ ଚୟନକର୍ତ୍ତା ଏବଂ ଟିମ୍ ମ୍ୟାନେଜମେଣ୍ଟ ରୋହିତ ଶର୍ମାଙ୍କୁ ରିସ୍କ ନନେଇ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି ।

Related Posts