ଏଥର ହିନ୍ଦୀ-ଚୀନୀ ଭାଇ ଭାଇ ! ଭାରତ ଓ ଚୀନ୍‌ ମଧ୍ୟରେ ମିଳିତ ସମରାଭ୍ୟାସ

ଗୋଟିଏ ପଟେ ସାରା ଦେଶରେ ଏବେ ନିର୍ବାଚନ ଫଳାଫଳକୁ ନେଇ ଉଷ୍ଣତା ଥିବାବେଳେ, ସୀମାରୁ ଆସିଛି ଭଲ ଖବର । ଗତବର୍ଷ ଡୋକଲାମକୁ ନେଇ ମୁହାଁମୁହିଁ ହୋଇଥିଲେ ଭାରତ ଓ ଚୀନ୍‌ । ଯୁଦ୍ଧ ଯାଏଁ କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା । କିନ୍ତୁ ଏବେ ସ୍ଥିତି ବଦଳି ଯାଇଛି । ବର୍ଷକ ପରେ ସବୁ ବାଦ ବିବାଦ ଭୁଲାଇ ପୁଣି ଭାରତ ଓ ଚୀନ୍‌ ସେନା ମିଳିତ ସମରାଭ୍ୟାସକୁ ଓହ୍ଲାଇଛନ୍ତି ।

ଭାରତ ଓ ଚୀନର ସାମରିକ ବାହିନୀର ମିଳିତ ସମରାଭ୍ୟାସ ଡିସେମ୍ବର 10 ତାରିଖରୁ ଦକ୍ଷିଣ ପୂର୍ବ ଚୀନର ଚେଙ୍ଗଡୁ ସହରରେ ଆରମ୍ଭ ହୋଇଛି । 14 ଦିନିଆ ମିଳିତ ସମରାଭ୍ୟାସ ଡିସେମ୍ବର ୨୩ରେ ଶେଷ ହେବ । ଚଳିତବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ଅଣଆନୁଷ୍ଠାନିକ କଥାବାର୍ତ୍ତା ପରେ ଦୁଇ ଦେଶ ସୀମାରେ ଶାନ୍ତି ବୟାଜ ରଖିବା ଲାଗି ସହମତି ପ୍ରକାଶ କରିଥିଲେ ।

ତେବେ ଆପୋଷ ବୁଝାମଣା ପ୍ରୋତ୍ସାହନ କରିବା ଓ ଆତଙ୍କବାଦ ବିରୋଧରେ ସଂଗ୍ରାମ ଲାଗି ଦକ୍ଷତା ବୃଦ୍ଧି କରିବା ଲକ୍ଷ୍ୟରେ ଏହି ମିଳିତ ସମରାଭ୍ୟାସ କରାଯାଉଛି । ଏହି ସପ୍ତମ ଭାରତ ଓ ଚୀନ ମିଳିତ ସମରାଭ୍ୟାସ ‘ହେଣ୍ଡ ଇନ ହେଣ୍ଡ’ରେ ଉଭୟ ପକ୍ଷର ଯବାନ ଅଂଶଗ୍ରହଣ କରୁଛନ୍ତି ।

ଏଥିରେ ଭାରତ ପକ୍ଷରୁ ୧୧ ଶିଖ୍‌ ଲାଇଫ୍‌ ଇନ୍‌ଫେଣ୍ଟ୍ରୀର ୧୩୦ ଯବାନ ସାମିଲ ହୋଇଥିବା ବେଳେ ଚୀନ ସେନାର ତିବ୍ବତୀ ମିଲେଟ୍ରି ଡିଷ୍ଟ୍ରିକ୍‌ଟ ରେଜିମେଣ୍ଟର ପ୍ରାୟ ଏକ ଶହ ଯବାନ ସାମିଲ ହୋଇଛନ୍ତି । ତିନିଟି ଅଲଗା ଅଲଗା ଫେଜ୍‌ରେ ଏହି ଅଭ୍ୟାସ ହେବ । ପ୍ରଥମ ଫେଜ୍‌ରେ ଦୁଇ ଦେଶର ଯବାନ ପରସ୍ପରର ଅସ୍ତ୍ରଶସ୍ତ୍ର, କ୍ଷମତା ଓ ଟେକ୍ନୋଲୋଜି ସମ୍ପର୍କରେ ସୂଚନା ଆଦନା ପ୍ରଦାନ କରିବେ ।

ଦ୍ବିତୀୟ ଫେଜ୍‌ରେ ଲେକ୍‌ଚର ଏବଂ ତୃତୀୟ ଫେଜ୍‌ରେ ଆତଙ୍କବାଦ ବିରୋଧରେ ଯୁଦ୍ଧ ଲାଗି ଡ୍ରିଲ୍‌ ହେବ । ତେବ ଦୁଇ ଦେଶ ମଧ୍ୟରେ ପ୍ରତିବର୍ଷ ହୋଇଥାଏ ସମରାଭ୍ୟାସ । ଗୋଟିଏ ବର୍ଷ ଭାରତରେ ଆଉ ଗୋଟିଏ ବର୍ଷ ଟୀନରେ । ଡୋକଲାମ ବିବାଦ ପରେ ଗତ ବର୍ଷ ଦୁଇ ଦେଶ ମଧ୍ୟରେ ସମରାଭ୍ୟାସ ହୋଇନଥିଲା ।

Related Posts