ସଡ଼କ ଦୁର୍ଘଟଣାରେ ବିଶ୍ୱରେ ସର୍ବାଧିକ ଭାରତରେ ମୃତ୍ୟୁ ଘଟିଛି: ନୀତିନ ଗଡ଼କରୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ସଡ଼କ ଦୁର୍ଘଟଣାରେ ବିଶ୍ୱରେ ସର୍ବାଧିକ ଭାରତରେ ମୃତ୍ୟୁ ଘଟିଛି । ଅର୍ଥାତ ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରୁଥିବା ଦେଶମାନଙ୍କ ମଧ୍ୟରେ ଭାରତ ଏକ ନମ୍ବର ସ୍ଥାନରେ ରହିଛି । ଏକଥା ଆମେ କହୁ ନାହୁଁ ରାଜ୍ୟସଭାରେ ଏପରି ସୂଚନା ରଖିଛନ୍ତି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡ଼କରି । ବିଶ୍ବ ସଡ଼କ ପରିସଂଖ୍ୟାନ(ଡବ୍ଲୁଆରଏସ)ର ରିପୋର୍ଟକୁ ଉଦ୍ଧାର କରି ଗଡ଼କରି କହିଛନ୍ତି ଯେ ସଡ଼କ ଦୁର୍ଘଟଣା ମୃତ୍ୟୁ କ୍ଷେତ୍ରରେ ଭାରତ ବିଶ୍ବରେ ୧ ନଂ ଓ ଆହତ କ୍ଷେତ୍ରରେ ୩ ନଂ । ୨୦୨୦ରେ ଭାରତରେ ଯେତିକି ଲୋକ ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି, ସେମାନଙ୍କ ମଧ୍ୟରୁ ୬୯.୮ ପ୍ରତିଳତ ହେଉଛନ୍ତି ଯୁବାବର୍ଗର ଅର୍ଥାତ ୧୮ରୁ ୪୫ ବର୍ଷ ବୟସ୍କ । ଜେନିଭାଠାରେ ଅନ୍ତର୍ଜାତୀୟ ସଡ଼କ ମହାସଂଘ ପକ୍ଷରୁ ଏହି ବିଶ୍ବ ସଡ଼କ ପରିସଂଖ୍ୟାନ(ଡବ୍ଲୁଆରଏସ)ର ରିପୋର୍ଟକୁ ଜାରି କରାଯାଇଛି ।

ଜାତୀୟ ଅପରାଧ ରେକର୍ଡ ବ୍ୟୁରୋର ପରିସଂଖ୍ୟାନ ଅନୁସାରେ ୨୦୨୦ରେ ଭାରତରେ ମୋଟ ୩,୫୪,୭୯୬ଟି ସଡ଼କ ଦୁର୍ଘଟଣା ହୋଇଥିଲା ଓ ସେଥିରେ ୧ ଲକ୍ଷ ୩୩ ହଜାର ଲୋକ ମୃତ୍ୟୁବରଣ କରିଥିଲେ ଓ ୩ ଲକ୍ଷ ୩୫ ହଜାର ଆହତ ହୋଇଥିଲେ । ତଥ୍ୟ ଅନୁସାରେ ଭାରତରେ ଅଧିକାଂଶ ସଡ଼କ ଦୁର୍ଘଟଣା ବେପରୁଆ ଓ ଦ୍ରୁତ ଡ୍ରାଇଭିଂ ଯୋଗୁଁ ହେଉଛି । ୬୦ ପ୍ରତିଶତ ଦୁର୍ଘଟଣା ଦ୍ରୁତ ଗାଡ଼ି ଚାଳନା ଯୋଗୁଁ ହୋଇଛି । ବେପାରୁଆ ଗାଡି ଚାଳନା ଓ ଓଭରଟେକିଂ ପାଇଁ ୨୪.୩ ପ୍ରତିଶତ ଦୁର୍ଘଟଣା ହୋଇଛି । ପୁଣି ଯେତିକି ଦୁର୍ଘଟଣା ହେଉଛି ତାହାର ୪୩ ପ୍ରତିଶତ ଦୁର୍ଘଟଣା ଦୁଇଚକିଆ ଯାନ ଯୋଗୁଁ ହୋଇଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିଛି ।

Related Posts