ଭାରତକୁ ତାଲିବାନ୍‌ ଅଡୁଆ, ଆତଙ୍କବାଦୀ ସଂଗଠନ ସହ ଶାନ୍ତି କଥାବାର୍ତ୍ତା ପାଇଁ ବିବାଦରେ ସରକାର

ଯେଉଁ ଆତଙ୍କବାଦୀ ସଂଗଠନକୁ ସବୁବେଳେ ବିରୋଧ କରିଆସିଥିଲା ଭାରତ, ଏବେ ସେହି ଆତଙ୍କବାଦୀ ସଂଗଠନକୁ ନେଇ ଭାରତ ପଡ଼ିଛି ଦୋଛକିରେ । ଆଫଗାନିସ୍ତାନରେ ଶାନ୍ତି ପ୍ରତିଷ୍ଠା ପାଇଁ ତାଲିବାନ ସହ ମସ୍କୋରେ ବୈଠକ ହୋଇଛି । ତାଲିବାନ ବିରୋଧୀ ରହିଆସିଥିବା ଭାରତ ଏହି ବୈଠକରେ ସାମିଲ୍‌ ହେବା ନେଇ ବହୁ ପ୍ରଶ୍ନ ଉଠିଛି ।

ଆଫଗାନିସ୍ତାନରେ ଶାନ୍ତି ପ୍ରତିଷ୍ଠା ପାଇଁ ତାଲିବାନ ସହ ମସ୍କୋରେ ଏକ ବୈଠକ ହେଲା । ଏଥିରେ ଆତଙ୍କବାଦୀ ସଂଗଠନ ତାଲିବାନ ସହ ବୈଠକରେ ଭାରତ ବି ସାମିଲ୍‌ ହେଲା, ଯାହାକୁ ନେଇ ବିରୋଧର ସ୍ବର ଉଠୁଛି । ଆତଙ୍କବାଦର ଶିକାର ହୋଇଆସୁଥିବା ଭାରତ ଯଦିଓ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି ଯେ ‘‘ଭାରତ ଏହି ମିଟିଂରେ ବେସରକାରୀ ଭାବେ ସାମିଲ୍‌ ହୋଇଛି । ଏହି ପଦକ୍ଷେପ ସରକାରଙ୍କର ଆଫଗାନ ନୀତି ଅନୁସାରେ ନିଆଯାଇଛି । ଭାରତ ଆଫଗାନିସ୍ତାନରେ ଶାନ୍ତି ପ୍ରତିଷ୍ଠା ପାଇଁ ସବୁ ପ୍ରକାର ଉଦ୍ୟମ ଉଦ୍ୟମର ଅଂଶ ହେବାକୁ ଚାହୁଁଛନ୍ତି । ’’

ଆଫଗାନିସ୍ତାନ ଦଶକ ଦଶକ ଧରି ଆତଙ୍କବାଦ ସହ ଲଢୁଛି । ଏବେ ମସ୍କୋ ମିଟିଂ ଫଳରେ ତାର ଉଦ୍ଦେଶ୍ୟ ହେଉଛି, ସେ ଦେଶ କଥାବାର୍ତ୍ତା ମାଧ୍ୟମରେ ଆଫଗାନିସ୍ତାନରେ ଶାନ୍ତି ଚାହୁଁଛି । ଦଶକ ଦଶକ ଧରି ଚାଲୁଥିବା ଯୁଦ୍ଧକୁ ଶେଷ କରିବାକୁ ଚାହୁଁଛି ଆଫଗାନିସ୍ତାନ । ଋଷର ସହଯୋଗରେ ଏହି ଶାନ୍ତି ପ୍ରକ୍ରିୟା ଅଧିକ ସଫଳ ହେବ ।

ଏହି ବୈଠକ ମାଧ୍ୟମରେ କିଛି ପରିବର୍ତ୍ତନ ହେବ ବୋଲି ଆଫଗାନିସ୍ତାନର ଜନତାଙ୍କ ମଧ୍ୟରୁ ଅନେକ ବି ବିଶ୍ବାସ କରୁନାହାନ୍ତି । କାରଣ ଋଷ ହିଁ ତାଲିବାନକୁ ଅସ୍ତ୍ରଶସ୍ତ୍ର ଯୋଗାଇବା ସହ ଫଣ୍ଡିଂ କରିଆସୁଛି ।

ଅନ୍ୟପଚେ ଏହି ମିଟିଂ ମାଧ୍ୟମରେ ତାଲିବାନ ଚାହୁଁଛି ଯେ ଆଫଗାନିସ୍ତାନରେ ଆମେରିକାର ହସ୍ତକ୍ଷେପ ବନ୍ଦ ହେଉ । ମସ୍କୋରେ ଶାନ୍ତି ବୈଠକକୁ ଆସିବା ପୂର୍ବରୁ ଏ ନେଇ ତାଲିବାନ୍‌ ସର୍ତ୍ତ ବି ରଖିଥିଲା । ଆଲୋଚନାର ମୁଖ୍ୟ ପ୍ରସଙ୍ଗ ଆମେରିକୀୟ ଅନୁପ୍ରବେଶ ହିଁ ରହିବ, ତା ପରେ ହିଁ ଆଫଗାନିସ୍ତାନରେ ଶାନ୍ତି ପ୍ରକ୍ରିୟା ବାବଦରେ କଥାବାର୍ତ୍ତା ହେବ ବୋଲି କହିଥିଲା ତାଲିବାନ୍‌ ।
ସେପଟେ ନିଜ ଦେଶରେ ଏମିତି ଏକ ମିଟିଂର ଆୟୋଜନ କରିବା ପଛରେ ଋଷର ଉଦ୍ଦେଶ୍ୟ ହେଉଛି ଆଫଗାନିସ୍ତାନକୁ ପ୍ରସଙ୍ଗ କରି ଋଷ ଆମେରିକାକୁ ଘେରିବାକୁ ଚାହୁଁଛି । ଏମିତି କରି ଋଷ ଆଫଗାନିସ୍ତାନରେ ତାର ପ୍ରଭାବ ବିସ୍ତାର କରିବାକୁ ଚାହୁଁଛି ।

ସେହିପରି ଭାରତ ଆରମ୍ଭରୁ ହିଁ ତାଲିବାନର ବିରୋଧୀ ରହିଆସିଛି । ଏହା ସତ୍ବେ ଏହି ମିଟିଂରେ ସାମିଲ୍‌ ହେବା ପଛରେ ଭାରତର ଉଦ୍ଦେଶ୍ୟ ହେଲା, ଏହି ବୈଠକରେ ଚୀନ୍‌, ଇରାନ୍‌, ପାକିସ୍ତାନ, ଆମେରିକା ସମେତ 12ଟି ଦେଶର ପ୍ରତିନିଧି ମଣ୍ଡଳକୁ ନିମନ୍ତ୍ରିତ କରାଯାଇଥିଲା । ତେଣୁ ଏସୀୟ ମହାଶକ୍ତି ଭାବେ ଭାରତ ଏକୁଟିଆ ରହିଯିବାକୁ ଚାହୁଁନାହିଁ । ଭାରତ ଏ ନେଇ ମଧ୍ୟ ଚିନ୍ତିତ ଯେ ଚୀନ୍‌ ଓ ଋଷ ତାଲିବାନ୍‌କୁ ନେଇ ଏମିତି ରଣନୀତି ନ କରନ୍ତୁ ଯାହା ଫଳରେ ଏସିଆରେ ଭାରତର ଭୂମିକା ସୀମିତ ହୋଇଯିବ ।

କାନ୍ଦାହାର ପ୍ରକରଣରୁ ନେଇ ଏ ଯାଏଁ ତାଲିବାନର ଆତଙ୍କବାଦୀ କାର୍ଯ୍ୟକଳାପର ତାଲିକା ଖୁବ୍‌ ଲମ୍ବା । ସେପଟେ ତାଲିବାନ ବି ପାକିସ୍ତାନର ସମର୍ଥନ କରେ । ଏଣୁ ତାଲିବାନକୁ ବିରୋଧ କରିବାର ନିଜ ଆଭିମୁଖ୍ୟରେ ଭାରତ କାଏମ ରହିଛି ।

Related Posts