ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ସଂସଦ ଅଧିବେଶନ ଅବସରରେ ନୂଆଦିଲ୍ଲୀରେ ଓଡ଼ିଶାର ବିଜେପି ସାଂସଦମାନଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ରାଜ୍ୟସଭା ସାଂସଦ ତଥା ଓଡ଼ିଶା ବିଜେପି ସଭାପତି ମନମୋହନ ସାମଲ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ରହିଥିଲେ। ବୈଠକରେ ଓଡ଼ିଶାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପ, କେନ୍ଦ୍ରୀୟ ଯୋଜନାର କାର୍ଯ୍ୟାନ୍ୱୟନ ଏବଂ ରାଜ୍ୟର ପ୍ରାଥମିକ ଆବଶ୍ୟକତା ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ରାଜ୍ୟର ସାମଗ୍ରିକ ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସମନ୍ୱୟକୁ ଆହୁରି ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏହାସହ ଲର୍ଣ୍ଣିଂ ଡିଜାବିଲିଟିରେ ପୀଡ଼ିତ ପିଲାମାନଙ୍କ ଶିକ୍ଷାକୁ ନେଇ ମଧ୍ୟ ସ୍ୱତନ୍ତ୍ର ଆଲୋଚନା ହୋଇଥିଲା। ଏଭଳି ପିଲାମାନଙ୍କ ପାଇଁ ସ୍ୱତନ୍ତ୍ର ଶିକ୍ଷା ବ୍ୟବସ୍ଥା, ପ୍ରଶିକ୍ଷିତ ଶିକ୍ଷକ, ଆଧୁନିକ ଶିକ୍ଷଣ ପଦ୍ଧତି ଏବଂ ଆବଶ୍ୟକ ସହାୟତା ଯୋଗାଇବା ଉପରେ ମତବିନିମୟ କରାଯାଇଥିଲା। ବୈଠକରେ ସାଂସଦମାନେ ମତ ପ୍ରକାଶ କରିଥିଲେ ଯେ, ପ୍ରତ୍ୟେକ ଶିଶୁଙ୍କୁ ସମାନ ଶିକ୍ଷାର ସୁଯୋଗ ମିଳିବା ଆବଶ୍ୟକ। ବିଶେଷ କରି ଲର୍ଣ୍ଣିଂ ଡିଜାବିଲିଟିରେ ପୀଡ଼ିତ ପିଲାମାନଙ୍କ ପାଇଁ ଉପଯୁକ୍ତ ନୀତି ଓ ସହାୟତା ବ୍ୟବସ୍ଥା କରାଗଲେ ସେମାନେ ମଧ୍ୟ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିବେ।