ଆନ୍ଧ୍ରର ଗାଁରେ ତାଲିବାନୀ ଶାସନ, ନାଇଟି ପିନ୍ଧିଲେ ତଣ୍ଡ, ମହିଳାଙ୍କୁ 2 ହଜାର ଟଙ୍କା ଜରିମାନା

ଆନ୍ଧ୍ରପ୍ରଦେଶର ଗୋଟିଏ ଗାଁରେ ଜାରି ହୋଇଛି ତାଲିବାନୀ ଆଇନ । ଏକବିଂଶ ଶତାବ୍ଦୀରେ ମହିଳାଙ୍କ ପୋଷାକକୁ ନେଇ ତାଲିବାନୀ ଫରମାନ୍‌ । ସଂଧ୍ୟା ପୂର୍ବରୁ ନାଇଟି ପିନ୍ଧିଲେ ମହିଳାଙ୍କୁ ଜରିମାନା ଦେବାକୁ ହେବ । ଗତ ସାତ ମାସ ହେଲା ଏ ନିୟମ ହୋଇଛି । ଏବେ ଖବର ଭାଇରାଲ୍‌ ହେବା ପରେ ଗାଁରେ ପହଞ୍ଚିଛନ୍ତି ପ୍ରଶାସନ ଓ ପୋଲିସ୍‌ ।

ଆନ୍ଧ୍ରପ୍ରଦେଶ ପଶ୍ଚିମ ଗୋଦାବରୀ ଜିଲ୍ଲାର ଟୋକଲାପଲ୍ଲୀ ଗାଁର ମହିଳାମାନେ ଗତ 7 ମାସ ହେଲା ନାଇଟି ପିନ୍ଧିବା ଛାଡ଼ି ଦେଇଛନ୍ତି । ଏହା ପଛରେ କାରଣ ରହିଛି ଗାଁରେ ପ୍ରଚଳିତ ହୋଇଥିବା ତାଲିବାନୀ ନିୟମ ।

ଏହି ଅଜବ ନିୟମ କରିଛନ୍ତି 9 ଜଣ ବରିଷ୍ଠ ବ୍ୟକ୍ତିଙ୍କୁ ନେଇ ଗଠିତ ଗାଁ କମିଟି । ପ୍ରାୟ 5 ହଜାର ଜନସଂଖ୍ୟା ଥିବା ଟୋକଲାପଲ୍ଲୀରେ ଗାଁର ଅଧିକାଂଶ ବାସିନ୍ଦା ଧୀବର । ଗାଁରେ ରହୁଥିବା 1800ରୁ ଅଧିକ ମହିଳାଙ୍କ ପାଇଁ ଏହି ନିୟମ କରାଯାଇଛି ।

ସକାଳ 6ଟାରୁ ସନ୍ଧ୍ୟା ୭ଟା ମଧ୍ୟରେ କୌଣସି ମହିଳା ନାଇଟି ପିନ୍ଧି ପାରିବେ ନାହିଁ । କେହି ନିୟମର ଖିଲାପ କଲେ ତାଙ୍କୁ ୨୦୦୦ ଟଙ୍କା ଜରିମାନା ଦେବାକୁ ହେବ। ପୁଣି ନାଇଟି ପିନ୍ଧିଥିବା କୌଣସି ମହିଳାଙ୍କଠାରୁ ଯଦି କେହି ନାଇଟି ଚୋରାଇ ଆଣି ପାରିବେ ତାଙ୍କୁ ୧୦୦୦ ଟଙ୍କା ପୁରସ୍କାର ମିଳିବ। ଏ ଅଜବ ନିୟମ ପଛରେ ଯୁକ୍ତି ହେଉଛି ନାଇଟି ରାତି ପାଇଁ ଉଦ୍ଦିଷ୍ଟ । ତାକୁ ଦିନରେ ପିନ୍ଧିଲେ ଅପରାଧ ।

7 ମାସ ହେଲା ଗାଁରେ ଏମିତି ତାଲିବାନୀ ଆଇନ କରାଯାଇଛି । କିନ୍ତୁ ଦିନକ ତଳେ ଏ ନେଇ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି ଖବର । ତା ପରେ ତଦନ୍ତ କରିବାକୁ ଶୁକ୍ରବାର ଗାଁରେ ପହଞ୍ଚିଛନ୍ତି ପୋଲିସ୍‌ ଓ ପ୍ରଶାସନ । ସ୍ଥାନୀୟ ନିଦାମାରୁ ଥାନାର ସବ୍‌ଇନିସ୍‌ପେକ୍ଟର ଏମ୍‌ ବିଜୟ କୁମାର ଓ ସ୍ଥାନୀୟ ତହସିଲଦାର ଏମ୍‌ ସୁନ୍ଦର ରାଜ୍‌ ବି ଗାଁକୁ ଯାଇ ତଦନ୍ତ କରିଛନ୍ତି ।

ଗ୍ରାମବାସୀଙ୍କ କହିବା କଥା, କେହି ଜରିମାନା ନ ଦେଲେ ଗାଁର ବରିଷ୍ଠମାନେ ତାଙ୍କୁ ସାମାଜିକ ବାସନ୍ଦ କରାଇବେ । କୌଣସି ସରକାରୀ ଅଧିକାରୀଙ୍କୁ ଏ କଥା ନ କହିବାକୁ ବି ମହିଳାଙ୍କୁ ଦିଆଯାଇଛି ଚେତାବନୀ । ଟୋକଲାପଲ୍ଲୀର ସରପଞ୍ଚ ଫାଣ୍ଟାସିଆ ମହାଲକ୍ଷ୍ମୀଙ୍କ କହିବା ଅନୁସାରେ ନାଇଟି ପିନ୍ଧି ବାହାରେ ଲୁଗାପଟା ଧୋଇବା, ତେଜରାତି ଦୋକାନକୁ ଯିବା ସଭାସମିତିରେ ବସିବା ଶୋଭନୀୟ ନୁହେଁ । ନାଇଟି ନିଷିଦ୍ଧ କରିବାକୁ କେତେକ ମହିଳା ବରିଷ୍ଠ ଲୋକଙ୍କ ଆଗରେ ନିବେଦନ କରିଥିଲେ । ଏବେ କିନ୍ତୁ କଥା ପ୍ରଘଟ ହେବା ପରେ ଏହାକୁ ନେଇ ସାମାଜିକ କର୍ମୀମାନେ ତୀବ୍ର ବିରୋଧ କରିଛନ୍ତି ।

Related Posts