ପଡ଼ୋଶୀ ଦେଶକୁ ନେଇ ସଙ୍କଟରେ ଭାରତ !

ନୂଆଦିଲ୍ଲୀ : ଭାରତକୁ ଲାଗିଥିବା ୩ ଦେଶରେ ଏବେ ଅସ୍ଥିରତା ଲାଗି ରହିଛି। ପାକିସ୍ତାନ, ଶ୍ରୀଲଙ୍କା ଓ ଆଫଗାନିସ୍ତାନରେ ରାଜନୈତିକ ଏବଂ ଅର୍ଥନୈତିକ ସଙ୍କଟ ମଧ୍ୟରେ ଗତି କରୁଛି । ପାକିସ୍ତାନରେ ନ୍ୟାସନାଲ ଆସମ୍ବେଲିକୁ ଭଙ୍ଗ କରିବା ପରେ ପଲିଟିକାଲ୍ ଧମାସାନ ଚାଲିଛି। କାମଚଳା ପ୍ରଧାନମନ୍ତ୍ରୀ ଦାୟିତ୍ଵ ନେଇଛନ୍ତି ଇମ୍ରାନ । ସେପଟେ ନ୍ୟାସନାଲ୍ ଆସେମ୍ବ୍ଲି ଭଙ୍ଗ ମାମଲାରେ ଶୁଣାଣିକୁ ଆସନ୍ତାକାଲି ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି ପାକିସ୍ତାନ ସୁପ୍ରିମକୋର୍ଟ । ଇମ୍ରାନଙ୍କ ମୁଣ୍ଡ ଉପରେ ଖଣ୍ଡା ଝୁଲୁଛି । ଯଦି ସୁପ୍ରିମକୋର୍ଟ ଅବିଶ୍ବାସ ଉପରେ ଭୋଟିଂ ପାଇଁ ନିର୍ଦ୍ଦେଶ ଦିଅନ୍ତି ତେବେ ସ୍ଥିତି ଗମ୍ଭୀର ହୋଇଯିବ । ଯେଉଁ ଭୋଟିଂକୁ ଏଡାଇବାକୁ ଇମ୍ରାନ୍ ଚକମା ଦେବାକୁ ଚେଷ୍ଟା କରିଥିଲେ ସେଥିରେ ନିଜେ ହିଟ ୱିକେଟ୍ ହୋଇ ଯାଇପାରନ୍ତି । ପୁଣି ଥରେ ନିର୍ବାଚନ ହେବ ନା ସେନା ନିୟନ୍ତ୍ରଣକୁ ଚାଲିଯିବ ପାକିସ୍ତାନ, ତାହା ଉପରେ ରହିଛି ନଜର।

ପାକିସ୍ତାନରେ ରାଜନୈତିକ ସଂକଟ ତ ଶ୍ରୀଲଙ୍କାରେ ଘୋର ଅର୍ଥନୈତିକ ସଙ୍କଟ । ଏହା ସହ ଯୋଡି ହୋଇ ଯାଇଛି ରାଜନୈତିକ ଅସ୍ଥିରତା । ମିଳିତ ସରକାରରେ ସାମିଲ ହେବାକୁ ବିରୋଧୀ ଦଳ ସଫାସଫା ମନା କରି ଦେଇଛନ୍ତି । ସାରା ଦେଶରେ ଏମରଜେନସି ଲାଗୁ ହୋଇଥିବା ବେଳେ ରାଜପକ୍ଷେ ସରକାର ସଂସଦରେ ବହୁମତ ହରାଇ ଦେଇଛି । ରାଜପକ୍ଷେ ପରିବାର ଉପରେ ଜନତାଙ୍କ ଆକ୍ରୋଶକୁ ଦେଖି ମେଣ୍ଟ ସରକାରରୁ ସମର୍ଥନ କାଢି ନେଇଛନ୍ତି ୪୧ ସାଂସଦ । ଅର୍ଥନୈତିକ ସଙ୍କଟ ଜାରି ରହିଥିବା ବେଳେ ନିଯୁକ୍ତିର ୨୪ଘଣ୍ଟା ଭିତରେ ଇସ୍ତଫା ଦେଇଛନ୍ତି ଅର୍ଥମନ୍ତ୍ରୀ । ଶ୍ରୀଲଙ୍କାରେ ଔଷଧର ଘୋର ସଙ୍କଟ ଭିତରେ ସ୍ବାସ୍ଥ୍ୟ ଏମରଜେନସି ଘୋଷଣା କରି ଦିଆଯାଇଛି । ଏଣିକି କେବଳ ଅତି ଜରୁରୀ ସ୍ବାସ୍ଥ୍ୟ ସେବାକୁ ପ୍ରାଥମିକତା ଦିଆଯିବ । ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର ସଂକଟଜନକ ସ୍ଥିତିରେ ପହଞ୍ଚିଯାଇଛି । ଫଳରେ ଖାଦ୍ୟ, ଔଷଧ ଏବଂ ପେଟ୍ରୋଲିଟମ ଭଳି ଜରୁରୀ ସାମଗ୍ରୀ ଆମଦାନୀ ହୋଇପାରୁନି । ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି । ଏଭଳି ସ୍ଥିତିରେ ଭାରତର ଭରସାରେ ରହିଛି ଶ୍ରୀଲଙ୍କା ।

ଭାରତ ଆଉ ଏକ ପଡୋଶୀ ଦେଶ ଆଫଗାନିସ୍ଥାନରେ ମଧ୍ୟ ସ୍ଥିତି ଅତି ଗମ୍ଭୀର । ଆମେରିକା ସୈନ୍ୟ ଆଫଗାନିସ୍ଥାନ ଛାଡି ଚାଲିଯିବା ପରେ ଫେରିଛି ତାଲିବାନୀ ଶାସନ । ଆଉ ତାସହ ଫେରିଛି କ୍ଷୁଧା, ଦାରିଦ୍ର୍ୟ ଏବଂ ନିର୍ଯାତନା । ଖାଦ୍ୟ ଅଭାବ, ଆର୍ଥିକ ଅନଟନ, ଶରଣାର୍ଥୀଙ୍କ ସଂଖ୍ୟା ବଢିବଢି ଚାଲିଛି । ଆଫଗାନିସ୍ତାନର ନାଗରିକ ଭୟ ଏବଂ ଆଶଙ୍କାରେ ଦିନ କାଟୁଛନ୍ତି ।

ସେପଟେ ୩ଟି ପଡୋଶୀ ଦେଶରେ ଅସ୍ଥିରତା ଭାରତ ପାଇ ଏକ ନୂଆ ଚାଲେଞ୍ଜ ସୃଷ୍ଟି କରିଛି । ଭାରତ ପଡ଼ୋଶୀ ଦେଶକୁ ସାହାଯ୍ୟର ହାତ ବଢ଼ାଇଥିଲେ ମଧ୍ୟ ନିଜ ଦେଶର ସ୍ଥିତି ମଧ୍ୟ ଜଟିଳ ରହିଛି । ଦିନକୁ ଦିନ ତୈଳ ଦର ବଢ଼ୁଥିବା ବେଳେ ଯାହାକୁ ନେଇ ଅନ୍ୟ ସମସ୍ତ ସାମଗ୍ରୀ ର ଦର ମଧ୍ୟ ବଢ଼ିବାକୁ ଲାଗିଛି । ସେପଟେ ବଢ଼ୁଥିବା ଦର କୁ ନେଇ ବିରୋଧୀଙ୍କ ଟାର୍ଗେଟ ର ଶିକାର ହୋଇଛନ୍ତି ସରକାର ।

Related Posts