ଅକ୍ଟୋବର ୩୧ ତାରିଖରୁ ଆରମ୍ଭ ହେବ ରାଜ୍ୟ କଂଗ୍ରେସର ଭାରତ ଯୋଡୋ ଯାତ୍ରା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପୂଣ୍ୟତିଥି ଅବସରରେ ଆସନ୍ତା ୩୧ ତାରିଖରୁ ରାଜ୍ୟ କଂଗ୍ରେସ ଆରମ୍ଭ କରିବ ଭାରତ ଯୋଡୋ ଯାତ୍ରା। ଏଥିପାଇଁ ଆଜି ପୋଷ୍ଟର ରିଲିଜ କରିଛି ଦଳ। ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ବରେ ଭୁବନେଶ୍ବର ସ୍ଥିତ ଇନ୍ଦିରା ଗାନ୍ଧୀ ପାର୍କରୁ ଆରମ୍ଭ ହେବ ଏହି ଭାରତ ଯୋଡୋ ଯାତ୍ରା। ପ୍ରତିଦିନ ୨୦ କିଲୋମିଟର ଚାଲିବେ କଂଗ୍ରେସ ନେତା। ଏହି ଯାତ୍ରା ନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କଣ୍ଟାବାଞ୍ଝି ବିଧାୟକ ସନ୍ତୋଷ ସିଂହ ସାଲୁଜା।

ସାଲୁଜା କହିଛନ୍ତି ଯେ, ପ୍ରଦେଶ କଂଗ୍ରେସ କମିଟି ତରଫରୁ ଆସନ୍ତା ୩୧ ତାରିଖରେ ଭୁବନେଶ୍ୱର ଇନ୍ଦିରା ଗାନ୍ଧୀ ପାର୍କରୁ ଭାରତ ଯୋଡୋ ଯାତ୍ରା ଆରମ୍ଭ ହେବ। ପ୍ରଥମ ଦିନରେ ଏହି ଯାତ୍ରା ଫୁଲନଖରାର ଲକେଶ୍ୱର ମନ୍ଦିର ପର୍ଯ୍ୟନ୍ତ ଚାଲିବ। ଏହି ଯାତ୍ରାରେ ପ୍ରତିଦିନ ୨୦ କିଲୋମିଟର ପଦଯାତ୍ରା ହେବ। ଏପରି କରି ୨୫ଟି ଜିଲ୍ଲାରେ ୨୨୫୦ କିଲୋମିଟର ରାସ୍ତାକୁ ୧୦୦ ଦିନରେ ଅତିକ୍ରମ କରିବାକୁ ଲକ୍ଷ୍ୟ ରହିଛି। ଏହି ସମୟରେ ଭଦ୍ରକ ଧାମନଗର ଉପନିର୍ବାଚନ ରହିଛି। ତେଣୁ ନଭେମ୍ବର ୨ ଓ଼ ୩ ତାରିଖରେ ଏହି ଯାତ୍ରାକୁ କଂଗ୍ରେସ ସାମୟିକ ଭାବେ ବନ୍ଦ ରଖିବ।

କଂଗ୍ରେସ ନେତା ପଦଯାତ୍ରା କରିବା ସମୟରେ ବିଭିନ୍ନ ସ୍ଥାନରେ ରହଣି କରିବେ। ଏଥିପାଇଁ ପ୍ରତି ୨୦ କିଲୋମିଟର ଟେଣ୍ଟର ବ୍ୟବସ୍ଥା କରାଯିବ। ସେଠାରେ ନେତାଙ୍କ ରହିବା ସହିତ ଖାଇବା ବ୍ୟବସ୍ଥା କରାଯିବ। ଏହି ଯାତ୍ରା ସମୟରେ ଏସଏସଜି ମହିଳା, ବୁଦ୍ଧିଜୀବୀ ଏବଂ କ୍ରୀଡାବିତଙ୍କୁ ଭେଟିବେ କଂଗ୍ରେସ ନେତା। ରାଜ୍ୟ ଓ ଦେଶର ବିଭିନ୍ନ ସମସ୍ୟା ଓ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଭୁଲ ନୀତିକୁ ଲୋକଙ୍କ ନିକଟରେ ଏହି ଯାତ୍ରା ମଧ୍ୟମରେ ପହଞ୍ଚାଇବାକୁ ଲକ୍ଷ ରଖାଯାଇଛି ।

ଏହି ଯାତ୍ରାରେ ପ୍ରଦେଶ କଂଗ୍ରେସର ପ୍ରଭାରୀ ଚେଲ୍ଲା କୁମାରଙ୍କ ସହିତ ପିସିସି ସଭାପତି ଶରତ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି, ଦଳର ସମସ୍ତ ବିଧାୟକ, ସାଂସଦଙ୍କ ସହ ପୂର୍ବତନ ବିଧାୟକ, ସାଂସଦ, ଶ୍ରମିକଙ୍କ ସହ ବିଭିନ୍ନ ବର୍ଗର ଲୋକ ଯୋଡ଼ି ହେବେ ବୋଲି ସୂଚନା ମିଳିଛି।

ଉଲ୍ଲେଖଯୋଗ୍ଯ, କଂଗ୍ରେସ ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ଭାରତ ଯୋଡୋ ଯାତ୍ରା ଜରିଆରେ ଦଳକୁ ମଜବୁତ କରିବାକୁ ପ୍ରୟାସ କରିଛି। ପ୍ରଥମେ କେରଳରୁ ଏହି ଭାରତ ଯୋଡ ଯାତ୍ରା ଆରମ୍ଭ କରିଛନ୍ତି ରାହୁଲ ଗାନ୍ଧୀ। କେରଳ ପରେ ତାମିଲନାଡୁ, କର୍ଣ୍ଣାଟକ ହୋଇ ରାହୁଲ ଗାନ୍ଧୀ ଦଳୀୟ ନେତାଙ୍କ ସହିତ ଏହି ଭାରତ ଯୋଡୋ ଯାତ୍ରା କରୁଛନ୍ତି। କେନ୍ଦ୍ରରେ ମୋଦୀ ସରକାର ଆସିବା ପରେ ଦେଶ ବିନାଶ ଆଡକୁ ଗତି କରୁଛି। ଘୃଣାଭାବ ବଢିଛି। ପ୍ରତିବର୍ଷ ୨ କୋଟି ନିଯୁକ୍ତି ଦେବାର ପ୍ରତିଶ୍ରୁତି ଦେଇଥିବା ମୋଦୀ ସରକାର ନିଯୁକ୍ତି ନାଁରେ ମିଛ ପ୍ରତିଶ୍ରୁତି ଦେଇଛନ୍ତି ବୋଲି କଂଗ୍ରେସ କହିଛି। ତେବେ ଏହି ଭାରତ ଯୋଡୋ ଯାତ୍ରାରେ ରାହୁଲ ଗାନ୍ଧୀ ଯେଉଁ ଯେଉଁ ରାଜ୍ୟକୁ ଯିବେ ନାହିଁ ସେହି ରାଜ୍ୟ ଗୁଡିକରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଏହାକୁ ଆୟୋଜନ କରାଯାଉଛି। ଏହି କ୍ରମରେ ଓଡ଼ିଶା କଂଗ୍ରେସ ମଧ୍ୟ ଆଗାମୀ ୩୧ ତାରିଖରୁ ପଦଯାତ୍ରା ଆରମ୍ଭ କରିବ ।

Related Posts