ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ; ବର୍ଷା ଯୋଗୁଁ ଅନ୍ତିମ ଦିନିକିଆ ଅଧାରୁ ବାତିଲ, ୧-୦ରେ ସିରିଜ ହତେଇଲା ନ୍ୟୁଜିଲାଣ୍ଡ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଜାରି ଚାଲିଥିବା ଦିନିକିଆ ସିରିଜରେ ପୁଣି ବାଧା ସାଜିଲା ବର୍ଷା । ବୁଧବାର ଖେଳାଯାଇଥିବା ତୃତୀୟ ତଥା ଅନ୍ତିମ ଦିନିକିଆରେ ପ୍ରବଳ ବର୍ଷା କାରଣରୁ ଅଧାରୁ ବାତିଲ ହୋଇଛି ମ୍ୟାଚ୍‌ । ଫଳରେ ଦିନିକିଆ ସିରିଜକୁ ୧-୦ରେ ଜିତି ନେଇଛି ଘରୋଇ ଦଳ ନ୍ୟୁଜିଲାଣ୍ଡ । ପ୍ରଥମ ଦିନିକିଆରେ ନ୍ୟୁଜିଲାଣ୍ଡ ବିଜୟୀ ହୋଇଥିବା ବେଳେ ଦ୍ବିତୀୟ ମ୍ୟାଚ୍‌ ମଧ୍ୟ ବର୍ଷା ପାଇଁ ଅଧାରୁ ବନ୍ଦ ହୋଇଥିଲା । ତେବେ ତୃତୀୟ ମ୍ୟାଚରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି ।

ସୂଚନାଯୋଗ୍ୟ ଯେ, ଆଜି ଖେଳାଯାଇଥିବା ତୃତୀୟ ତଥା ଅନ୍ତିମ ଦିନିକିଆରେ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଘରୋଇ ନ୍ୟୁଜିଲାଣ୍ଡ । ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରିତ ହୋଇଥିବା ଭାରତ ୪୭.୩ ଓଭରରେ ସମସ୍ତ ଓ୍ବିକେଟ ହରାଇ ୨୧୯ ରନ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ଶ୍ରେୟସ ଆୟର ୪୯ରନର ଉପଯୋଗୀ ଇନିଂସ ଓ ଓ୍ବାଶିଂଟନ ସୁନ୍ଦରଙ୍କ ୫୧ ରନର ଅର୍ଦ୍ଧଶତକୀୟ ପାଳି ଯୋଗୁ ଦଳ ସମ୍ମାନ ଜନକ ସ୍ଥିତିରେ ପହଞ୍ଚିଥିଲା । ତେବେ ଦ୍ଵିତୀୟ ଇନିଂସରେ ୨୨୦ ରନର ବିଜୟ ଲକ୍ଷ୍ୟ ପିଛା କରୁଥିବା ନ୍ୟୁଜିଲାଣ୍ଡ ୧୮ ଓଭରରେ ୧ ଓ୍ବିକେଟ ହରାଇ ୧୦୪ରନ କରିଥିବା ବେଳେ ବର୍ଷା ଆରମ୍ଭ ହୋଇଥିଲା । ପ୍ରବଳ ବର୍ଷା କାରଣରୁ ଶେଷରେ ମ୍ୟାଚ୍‌ ବାତିଲ କରାଯାଇଛି ଏବଂ ନ୍ୟୁଜିଲାଣ୍ଡ ୧-୦ରେ ସିରିଜ କବ୍‌ଜା କରିଛି ।

Related Posts