ସ୍ବାସ୍ଥ୍ୟ ମନ୍ତ୍ରୀ ପଦ୍ମପୁର ନିର୍ବାଚନରେ ଟଙ୍କା ମୁଣି ଧରି ବୁଲୁଛନ୍ତି : ଧର୍ମେନ୍ଦ୍ର ପ୍ରଧାନ

ପାଇକମାଳ: ପଦ୍ମପୁର ଉପନିର୍ବାଚନକୁ ଦିନ କେଇଟା ବାକି ଥିବା ବେଳେ ଜୋରଦାର ହୋଇଛି ପ୍ରଚାର ମଇଦାନ । ରାଜ୍ୟର ୩ଦଳର ହେବିୱେଟ୍ ନେତା ପ୍ରଚାର ମଇଦାନକୁ ଓହ୍ଲେଇ ଜୋରସୋରରେ ପ୍ରଚାର କରିବାରେ ଲାଗିଛନ୍ତି । ଏହି କ୍ରମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭାଜପା ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପାଇଁ ପ୍ରଚାର ଆରମ୍ଭ କରିଛନ୍ତି।

ମଙ୍ଗଳବାର ମଧ୍ୟାହ୍ନରେ ପାଇକମାଳ ବ୍ଲକ ମାଣ୍ତୋସିଲ ଧାନମଣ୍ତି ସମ୍ମୁଖରେ ଆୟୋଜିତ ସଭାରେ କେନ୍ଦ୍ରମନ୍ତ୍ରୀ ପ୍ରଧାନ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ। ସେ ତାଙ୍କ ଭାଷଣରେ କହିଥିଲେ, ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ କଂଗ୍ରେସରେ ଥିବା ବେଳେ କଂଗ୍ରେସକୁ ବୁଡାଇଲେ। ଏବେ ବିଜେଡିକୁ ଆସି ନବୀନଙ୍କୁ ବୁଡାଇବେ। ସ୍ବାସ୍ଥ୍ୟ ମନ୍ତ୍ରୀ ପଦ୍ମପୁର ନିର୍ବାଚନରେ ଟଙ୍କା ମୁଣି ଧରି ବୁଲୁଛନ୍ତି ବୋଲି ସେ କହିଥିଲେ।

କେନ୍ଦ୍ର ମନ୍ତ୍ରୀ ଆହୁରି କହିଥିଲେ, କେନ୍ଦ୍ର ସରକାର ଧାନର ଏମ୍‌ଏସ୍‌ପି ବୃଦ୍ଧି କରି ଚାଷୀଙ୍କ ସୁଖ ଦୁଃଖରେ ରହିଛି। ହେଲେ ବିଜେଡି ସରକାର ମିଲ୍‌ ମାଲିକଙ୍କ ସହ ମଧୁଚନ୍ଦ୍ରିକା କରି ଚାଷୀଙ୍କୁ ହଇରାଣ କରୁଛନ୍ତି। ବରଗଡ-ନୂଆପଡା ଭାୟା ପଦ୍ମପୁର ଦେଇ ନୂତନ ରେଳପଥ ପାଇଁ ରାଜ୍ୟ ସରକାର ଆଜି ଜାଗା ଦେଲେ କେନ୍ଦ୍ର ସରକାର କାଲି କାମ ଆରମ୍ଭ କରିବେ ବୋଲି କେନ୍ଦ୍ର ମନ୍ତ୍ରୀ ପ୍ରଧାନ କହିଥିଲେ। ମାଣ୍ତୋସିଲ ମଣ୍ତଳ ଭାଜପା ସଭାପତି ଲଳିତ ଜଗତ ସଭା ପରିଚାଳନା କରିଥିଲେ। ଏହି ସଭାରେ ବରଗଡ଼ ଏମ୍‌ପି ସୁରେଶ ପୂଜାରୀ, ପଦ୍ମପୁର ଉପନିର୍ବାଚନ ପ୍ରାର୍ଥୀ ପ୍ରଦୀପ ପୁରୋହିତ, କଳାହାଣ୍ତି ଏମ୍‌ପି ବସନ୍ତ ପଣ୍ତା, ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର, ଭାଜପା ରାଜ୍ୟ ସଭାପତି ସମୀର ମହାନ୍ତି ପ୍ରମୁଖ ମଞ୍ଚାସୀନ ଥିଲେ ।

Related Posts