ତିନି ପାକିସ୍ତାନୀ କଏଦୀଙ୍କୁ ସ୍ବଦେଶ ଫେରାଇଲା ଭାରତ: ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା

ନୂଆଦିଲ୍ଲୀ: ସ୍ବଦେଶ ଫେରିଲେ ତିନି ପାକିସ୍ତାନୀ କଏଦୀ । ଭାରତ ସରକାରଙ୍କ ପକ୍ଷରୁ ତାଙ୍କୁ ମୁକ୍ତ କରଯାଇଛି । ଗତ ଶନିବାର ତିନି କଏଦୀଙ୍କୁ ଅଟାରି-ୱାଘା ସୀମାରୁ ପାକିସ୍ତାନ ପଠାଯାଇଥିବା ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ସେମାନଙ୍କ ଜେଲ ଦଣ୍ଡ ଶେଷ ହେବା ପରେ ନିଜ ଦେଶକୁ ଫେରାଇ ଦିଆଯାଇଛି ।

ସୂଚନାଯୋଗ୍ୟ, ବୈଦେଶିକ ମନ୍ତ୍ରଣାଳୟ ଅନୁଯାୟୀ ତିନି କଏଦୀ ସମୀରା ଅବଦୁଲ ରେହମାନ, ମୁର୍ତାଜା ଅସଗର ଅଲ୍ଲୀ ଏବଂ ଅହମ୍ମଦ ରଜା ବୋଲି ଜଣାପଡ଼ିଛି । ଅଟାରି ସୀମାରେ ଥିବା ଜଣେ ଅଧିକାରୀ କହିଛନ୍ତି 2017 ମସିହାରେ ପାକିସ୍ତାନୀ ମହିଳା ସମୀରାଙ୍କୁ କେରଳର ପାଲକ୍କଡରୁ ଗିରଫ କରାଯାଇଥିଲା। ସେ 2016 ସେପ୍ଟେମ୍ବରରେ ବିନା ଭିସାରେ ନେପାଳ ସୀମା ଦେଇ ଭାରତ ଆସିଥିଲେ। ଯାହା ଫଳରେ ତାଙ୍କୁ ଗିରଫ କରାଯାଇ ତିନି ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା ।ସମୀରା ଅବଦୁଲ ରେହମାନଙ୍କ ସହ ଚାରି ବର୍ଷର ଝିଅ ମଧ୍ୟ ଥିଲେ । ପାକିସ୍ତାନ ସୀମାକୁ ପ୍ରବେଶ କରିବା ପୂର୍ବରୁ ସମୀରା ଭାରତ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି ”ମୋ ଝିଅ ଭାରତରେ ଜନ୍ମ ହୋଇ ପାକସ୍ତାନ ଯାଉଛି, ତେଣୁ ମୁଁ ବହୁତ ଖୁସି । ଜେଲରେ ମତେ ଏବଂ ମୋ ଝିଅକୁ ଭାରତୀୟ ଅଧିକାରୀମାନେ ଭଲ ବ୍ୟବହାର କରିଥିଲେ । ଏଥିସହ ପାକିସ୍ତାନ ଯିବା ପାଇଁ ସମସ୍ତ ଜରୁରୀ କାଗଜପତ୍ର ଦେବାରେ ମତେ ସାହାଯ୍ୟ କରିଥିବାରୁ ଭାରତ ସରକାର ଓ ଗୃହ ମନ୍ତ୍ରଣାଳୟଙ୍କୁ କୃତଜ୍ଞତା ଜଣାଉଛି ।”

ଅନ୍ୟପଟେ ମନ୍ତ୍ରଣାଳୟ କହିଛି ଯେ ସମସ୍ତ ମାନବିକ ସମସ୍ୟାର ସମାଧାନ ପାଇଁ ଭାରତ ସର୍ବଦା ପ୍ରାଧାନ୍ୟ ଦେଇଥାଏ । ଯାହା ଫଳରେ ପାକିସ୍ତାନରେ ବନ୍ଦୀ ହୋଇଥିବା କଏଦୀ ଏବଂ ମତ୍ସଜୀବୀମାନେ ମୁକ୍ତ ହୋଇ ପାରିଛନ୍ତି । ସରକାରଙ୍କ ଉଦ୍ୟମ ବଳରେ 2022ରେ 20 ଜଣ ଭାରତୀୟ ମତ୍ସ୍ୟଜୀବୀ ଏବଂ ଜଣେ ନାଗରିକଙ୍କୁ ପାକିସ୍ତାନର ହେପାଜତରୁ ଫେରାଇ ଆଣିବାରେ ଭାରତ ସଫଳ ହୋଇଛି । ଆଗକୁ ମଧ୍ୟ ଭାରତ ନିଜର ଏହି ଆଭିମୁଖ୍ୟ ଜାରୀ ରଖିବ ।

Related Posts