
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କଂଗ୍ରେସର ଭାରତ ଯୋଡ଼ ଯାତ୍ରା ରାହୁଲ ଗାନ୍ଧୀଙ୍କ ନେତୃତ୍ଵରେ ଆଜି କର୍ଣ୍ଣାଟକର ତୁମକୁରୁ ଜିଲ୍ଲା ମାୟାସନ୍ଦ୍ରାରୁ ଆରମ୍ଭ ହୋଇଛି । ଆଜି ସକାଳେ ରାହୁଲ ଗାନ୍ଧୀ ସ୍ଥାନୀୟ ଲୋକଙ୍କୁ ଭେଟି ଆଲୋଚନା କରିବା ପରେ ଯାତ୍ରା ଆରମ୍ଭ କରିଛନ୍ତି। ଯାତ୍ରାବେଳେ ଆଜି ସ୍ଥାନୀୟ ନେତା ଓ କର୍ମୀମାନେ ସାମିଲ ହୋଇଛନ୍ତି । ରାହୁଲଙ୍କ ଯାତ୍ରାକୁ ତାମିଲନାଡୁ, କେରଳ ପରେ କର୍ଣ୍ଣାଟକରେ ମଧ୍ୟ ଭଲ ସମର୍ଥନ ମିଳୁଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ଗତକାଲି କର୍ଣ୍ଣାଟକର ମାଣ୍ଡ୍ୟା ଜିଲ୍ଲାରେ ଏହି ପଦଯାତ୍ରା ଚାଲିଥିଲା। ଏହି ସମୟରେ ସ୍ୱର୍ଗୀୟ ସାମ୍ବାଦିକା ଗୌରୀ ଲଙ୍କେଶଙ୍କ ମାଆ ଓ ଭଉଣୀ ରାହୁଲଙ୍କ ସହ ପଦଯାତ୍ରାରେ ଯୋଗ ଦେଇଥିଲେ ।
ସୂଚନାଯୋଗ୍ୟ ଯେ, ୫ ସେପ୍ଟେମ୍ବର ୨୦୧୭ରେ ସାମ୍ବାଦିକା ଗୌରୀ ଲଙ୍କେଶଙ୍କୁ ତାଙ୍କ ଘର ବାହାରେ ହତ୍ୟା କରାଯାଇଥିଲା। ଏବେ ତାଙ୍କ ମା ଓ ଭଉଣୀ ରାହୁଲଙ୍କ ପଦଯାତ୍ରାରେ ଯୋଗ ଦେବା ପରେ ରାହୁଲ ଟ୍ୱିଟ କରି କହିଛନ୍ତି ଯେ, ଗୌରୀ ସତ୍ୟ ପାଇଁ ଛିଡା ହୋଇଥିଲେ। ଗୌରୀ ସାହସ ପାଇଁ ଛିଡା ହୋଇଥିଲେ। ଗୌରୀ ସ୍ୱାଧୀନତା ପାଇଁ ଛିଡା ହୋଇଥିଲେ। ମୁଁ ଗୌରୀ ଲଙ୍କେଶ ଓ ତାଙ୍କ ପରି ଅଗଣିତମାନଙ୍କ ପାଇଁ ଛିଡା ହୋଇଛି, ଯେଉଁମାନେ ଭାରତର ପ୍ରକୃତ ଭାବନାକୁ ପ୍ରତିନିଧିତ୍ୱ କରନ୍ତି। ଭାରତ ଯୋଡ ଯାତ୍ରା ହେଉଛି ସେମାନଙ୍କର ସ୍ୱର। ଏହାକୁ କଦାପି ବନ୍ଦ କରାଯାଇପାରିବ ନାହିଁ।
ଅନ୍ୟପଟେ ରାହୁଲ ଗାନ୍ଧୀଙ୍କ ନେତୃତ୍ଵରେ କନ୍ୟାକୁମାରୀରୁ କାଶ୍ମୀର ଯାଏ ହେବାକୁ ଥିବା ଏହି ଭାରତ ଯୋଡ଼ୋ ଯାତ୍ରା ୩୦ ଦିନ ପୂରଣ କରିଛି । ଏହାସହ ତିନି ରାଜ୍ୟରେ ୭୦୦ କିଲୋମିଟର ପଥ ଏହି ପଦଯାତ୍ରା ଅତିକ୍ରମ କରିସାରିଛି। ସେପ୍ଟେମ୍ବର ୭ରୁ ତାମିଲନାଡୁର କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା ଭାରତ ଯୋଡ଼ୋ ଯାତ୍ରା ଆଉ ୧୨୦ ଦିନ ଚାଲିବ । ଦେଶରେ ବୃଦ୍ଧି ପାଉଥିବା ବେରୋଜଗାରୀ, ଦରବୃଦ୍ଧି ଓ ଧାର୍ମିକ ଧ୍ରୁବୀକରଣ ପ୍ରସଙ୍ଗକୁ ନେଇ କଂଗ୍ରେସ ପକ୍ଷରୁ ଏହି ଭାରତ ଯୋଡ଼ୋ ଯାତ୍ରା କରାଯାଉଛି।