
ଇନ୍ଦୋର: ଆଜି ଭାରତ ଓ ଦକ୍ଷିଣ ଆଫ୍ରିକା ତୃତୀୟ ତଥା ଶେଷ ଟ୍ବେଣ୍ଟି-୨୦ ମ୍ୟାଚ୍ ଆରମ୍ଭ ହୋଇଯାଇଛି । ଅନ୍ତିମ ଟି-୨୦ରେ ଟସ୍ ଜିତି ଭାରତ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି । ଭାରତୀୟ ଦଳରେ ତିନୋଟି ପରିବର୍ତ୍ତନ କରାଯାଇଛି। ବିରାଟ କୋହଲି ଏବଂ କେଏଲ ରାହୁଲଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ଅର୍ଶଦୀପ ସିଂହ ବାଦ୍ ପଡିଛନ୍ତି। ତିନି ଖେଳାଳିଙ୍କ ସ୍ଥାନରେ ଶ୍ରେୟସ ଆୟର, ମହମ୍ମଦ ସିରାଜ ଏବଂ ଉମେଶ ଯାଦବଙ୍କୁ ସ୍ଥାନ ମିଳିଛି।
ତେବେ ତିନି ମ୍ୟାଚ ବିଶିଷ୍ଟ ସିରିଜ୍ରେ ପ୍ରଥମ ମ୍ୟାଚ୍କୁ ଦମ୍ଦାର ପ୍ରଦର୍ଶନ ଜରିଆରେ ବିଜୟୀ ହୋଇଥିଲା ଟିମ୍ ଇଣ୍ଡିଆ । ପରେ ଦ୍ବିତୀୟ ମ୍ୟାଚରେ ଦେଖିବାକୁ ମିଳିଥିଲା ହାଇସ୍କୋରିଂ ଗେମ୍ । କିନ୍ତୁ ଶେଷରେ ଭାରତ ୧୬ ରନ୍ ରେ ମ୍ୟାଚ ଜିତି ସିରିଜକୁ ଆଗୁଆ କବ୍ଜା କରିଥିଲା । ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ କେବେ ବି ଘରୋଇ ମାଟିରେ ଟ୍ବେଣ୍ଟି-୨୦ ଶୃଙ୍ଖଳା ଜିତିନଥିଲା। ଏବେ ଭାରତୀୟ ଦଳର ନଜର ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍ ଉପରେ ରହିଛି। ଏହିକ୍ରମରେ ବୁଧବାର ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍ ଖେଳିବାକୁ ଅଷ୍ଟ୍ରେଲିଆ ଗସ୍ତ କରିବ ଟିମ ଇଣ୍ଡିଆ। ରୋହିତ ଶର୍ମାଙ୍କ ନେତୃତ୍ବରେ ଭାରତ ପ୍ରଥମ ଥର ଏକ ବିଶ୍ବକପ୍ ଖେଳିବାକୁ ଯାଉଥିବାରୁ ଏଥର ବଡ଼ ଆଶା ରହିଛି। କିନ୍ତୁ ଟି-୨୦ ବିଶ୍ୱକପ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ଲାଗିଛି ଜୋରଦାର ଝଟ୍କା । ଆହତ ଜନିତ ସମସ୍ୟା ଲାଗି ଟିମ୍ର ଦ୍ରୁତ ବୋଲର ଜଶ୍ପ୍ରୀତ୍ ବୁମ୍ରାହ ବାଦ୍ ପଡିଛନ୍ତି । ତାଙ୍କ ବଦଳରେ ମହମ୍ମଦ ସିରାଜ ଏବଂ ମହମ୍ମଦ ସାମି ଅଷ୍ଟ୍ରେଲିଆ ଯିବେ ।
ତେବେ ୨୦୦୭ରେ ଖେଳାଯାଇଥିବା ପ୍ରଥମ ବିଶ୍ୱକପ୍ ଟ୍ରଫିକୁ ହାତେଇଥିଲେ ଟିମ୍ ଇଣ୍ଡିଆ । ଏହାପରଠାରୁ ଆଉ ଟି-୨୦ ବିଶ୍ୱକପ୍ ଟ୍ରଫି ଜିତିନାହିଁ । ଦୀର୍ଘ ୧୫ ବର୍ଷ ହେଲା ଟ୍ରଫି ଜିତିବାରେ ସଫଳ ହୋଇନାହିଁ ଟିମ୍ ଇଣ୍ଡିଆ ।
ଭାରତୀୟ ଦଳ
ରୋହିତ ଶର୍ମା(ଅଧିନାୟକ), ଋଷଭ ପନ୍ତ(ଓ୍ଵିକେଟ୍ କିପର), ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟର, ଦିନେଶ କାର୍ତ୍ତିକ, ଅକ୍ଷର ପଟେଲ୍, ରବିଚନ୍ଦ୍ରନ ଅଶ୍ଵିନ, ହର୍ଷଲ ପଟେଲ୍, ଦୀପକ ଚହର, ଉମେଶ ଯାଦବ, ମହମ୍ମଦ ସିରାଜ।
ଦକ୍ଷିଣ ଆଫ୍ରିକା
କ୍ଵିଣ୍ଟନ ଡିକକ୍(ଓ୍ଵିକେଟ୍ କିପର), ତେମ୍ବା ବାଭୁମା(ଅଧିନାୟକ), ରିଲେ ରୋସୋ, ଆଡନ ମାରକ୍ରମ, ଡେଭିଡ୍ ମିଲର, ଟ୍ରିଷ୍ଟନ ଟବ୍ସ, ଓ୍ଵେନ ପାର୍ଣ୍ଣେଲ, ଡ୍ଵେନ ପ୍ରିଟୋରିୟସ, କେଶବ ମହାରାଜ, କାଗିସୋ ରାବଡା, ଲୁଙ୍ଗି ଏନଗିଡି