ବିଶ୍ୱକପ୍ କ୍ରିକେଟରେ ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ମହାମୁକାବିଲା

ବିଶ୍ୱକପ୍ କ୍ରିକେଟରେ ଆଜି ମାଞ୍ଚେଷ୍ଟରରେ ୱେଷ୍ଟଇଣ୍ଡିଜ୍ ସହ ଭାରତର ମୁକାବିଲା ହେବ। ଭାରତ ଏହି ବିଶ୍ୱକପରେ ଅପରାଜେୟ ଧାରା ବଜାୟ ରଖିବାକୁ ଚେଷ୍ଟା କରିବ। ଆହତ ଯୋଗୁଁ ପୂର୍ବ ମ୍ୟାଚରେ ବାଦ ପଡିଥିବା ଭାରତୀୟ ବୋଲର ଭୁବନେଶ୍ୱର କୁମାର ଫିଟ୍ ହୋଇ ନେଟ୍‌ରେ  ଅଭ୍ୟାସ କରିଛନ୍ତି।  କିନ୍ତୁ ଭୁବନେଶ୍ୱର କୁମାର ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚରେ ଖେଳିବେ କି ନାହିଁ ସେ ନେଇ ସ୍ପଷ୍ଟ ହୋଇନାହିଁ ବୋଲି ବୋଲିଂ କୋଚ ଭାରତ ଅରୁଣ କହିଛନ୍ତି।

ଅନ୍ୟ ପକ୍ଷରେ ୱେଷ୍ଟଇଣ୍ଡିଜ୍ ମାତ୍ର ଗୋଟିଏ ବିଜୟ ହାସଲ କରିଥିଲା ବେଳେ ୪ଟି ହାରିଛି । ଇଣ୍ଡିଜର ପେସ ଆଟାକ୍ ଏବଂ ଭାରତର ଟପ୍ ବ୍ୟାଟିଂ ଲାଇନ୍ ଅପ୍ ମଧ୍ୟରେ ଲଢେଇ ହେବ । ଭାରତ ପାଇଁ ଚିନ୍ତାର କାରଣ ମଧ୍ୟକ୍ରମ ବ୍ୟାଟିଂ ଲାଇନ୍ । ଆଜିର ମ୍ୟାଚରେ ବିଜୟ ଶଙ୍କର ନଖେଳିଲେ ଋଷଭ ପନ୍ଥ ସୁଯୋଗ ପାଇପାରନ୍ତି । ସେହିପରି ଆହତ ଭୁବନେଶ୍ୱର କୁମାର ସୁସ୍ଥ ହୋଇସାରିଥିଲେ ମଧ୍ୟ ଆଜିର ମ୍ୟାଚ୍ ଖେଳିବା ନେଇ ସନ୍ଦେହ ରହିଛି ।

ପ୍ରଥମ ମ୍ୟାଚରେ ହ୍ୟାଟ୍ରିକ୍ ନେଇଥିବା ମହମ୍ମଦ ସାମିଙ୍କୁ ପୁଣି ରିପିଟ୍ କରିପାରେ ଦଳ । ଆଜି ସମସ୍ତଙ୍କ ନଜର ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଉପରେ ରହିବ। ଆଫଗାନିସ୍ତାନ ବିପକ୍ଷରେ ମନ୍ଥର ବ୍ୟାଟିଂ କରି ଧୋନି ସମାଲୋଚିତ ହୋଇଥିଲେ। ଏପରିକି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ମଧ୍ୟ ତାଙ୍କ ବ୍ୟାଟିଂକୁ ନେଇ ପ୍ରଶ୍ନ ଉଠାଇଥିଲେ । ସେପଟେ ସେମିଫାଇନାଲ୍ ଦୌଡରୁ ଇଣ୍ଡିଜ ବାଦ୍ ପଡି ସାରିଛି ।

ଶେଷ କିଛି ମ୍ୟାଚ୍ ଜିତି ଦଳ ସମ୍ମାନର ସହ ବିଶ୍ବକପ୍ ଶେଷ କରିବା ଲକ୍ଷ୍ୟରେ ରହିବ । ଦୁର୍ଦ୍ଦଷ ଅଲରାଉଣ୍ଡର ଆନ୍ଦ୍ରେ ରସେଲ୍ ବାଦ୍ ପଡିବା ଦଳ ପାଇଁ ବଡ ଝଟକା ହୋଇଛି । ତେବେ ପେସ୍ ବୋଲର କରଟେଲ୍ ଓ ଥୋମାସ, ଭାରତ ପାଇଁ ଚିନ୍ତାର କାରଣ ସାଜିପାରନ୍ତି । ବିଶ୍ବକପ୍‌ ରେ କିନ୍ତୁ ଭାରତ ପଲ୍ଲା ଭାରି ରହିଛି ।

Related Posts