ଲଢ଼େଇ ପୂର୍ବରୁ ଅଭ୍ୟାସ

(ସତ୍ୟପାଠ ବ୍ୟୁରୋ) କଟକ: ଆସନ୍ତାକାଲି ବାରବାଟୀ ବ୍ୟାଟଲ । ଦିନିକିଆ ସିରିଜ୍‌ରେ ଉଭୟ ଭାରତ ଓ ୱେଷ୍ଟଇଣ୍ଡିଜ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତି ଥିବାରୁ ବାରବାଟୀରେ ଦେଖିବାକୁ ମିଳିବ ଜବରଦସ୍ତ ଫାଇଟ୍ । ସିରିଜ ହାତେଇବାକୁ ଉଭୟ ଟିମ୍‌ କରିଛନ୍ତି ସ୍ବତନ୍ତ୍ର ରଣନୀତି । ଟାଇଟଲ ପାଇଁ ପ୍ରମୁଖ ଦାବିଦାର ଥିବା ବିରାଟ ବାହିନୀକୁ ମାତ୍‌ ଦେବାକୁ କୀରଣ ପୋଲାର୍ଡଙ୍କ ନେତୃତ୍ବାଧୀନ କାରବିଆନ ଟିମ୍‌ରେ ପୂରା ଜୋସ୍ ଭରିରହିଛି ।

ବାରବାଟୀରେ ଅଭ୍ୟାସ

ଗୋଟିଏ ଦିନ ବିଶ୍ରାମ ପରେ ଆଜି ମ୍ୟାଚ ପାଇଁ ଆଜି ମୈଦାନକୁ ଓହ୍ଲାଇବେ ଉଭୟ ଦଳର ଖେଳାଳି । ପ୍ରଥମେ ସକାଳ 10ଟାରୁ ଗୋଟାଏ ପର୍ଯ୍ୟନ୍ତ ଟିମ୍ ଇଣ୍ଡିଆର ବିରାଟ ବାହିନୀ ଅଭ୍ୟାସ କରୁଥିବା ବେଳେ ଅପରାହ୍‌ଣ 2ଟାରୁ 5ଟା ଯାଏ ଅଭ୍ୟାସ କରିବେ ୱେଷ୍ଟଇଣ୍ଡିଜ୍ ଖେଳାଳି ।

ବାରବାଟୀର ଗଣିତ

ବାରବାଟୀରେ ଏପର୍ଯ୍ୟନ୍ତ ୨୦ଟି ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ ଖେଳାଯାଇଥିବା ବେଳେ 2ଟି ବାତିଲ ହୋଇଛି ଏବଂ ୧୮ଟିର ଫଳାଫଳ ଆସିଛି । ଏହି ୧୮ଟି ମ୍ୟାଚ ଭିତରୁ ଭାରତ ଖେଳିଛି ୧୬ଟି ମ୍ୟାଚ, ଜିତିଛି ୧୨ଟି । ବାରବାଟୀରେ ଖେଳିନଥିବା ଦୁଇଟି ମ୍ୟାଚ ହେଉଛି, ୧୯୮୭ ଅଷ୍ଟ୍ରେଲିଆ-ଜିମ୍ବାୱେ, ୧୯୮୯ରେ ଇଂଲଣ୍ଡ-ପାକିସ୍ତାନ । ଭାରତ ୧୯୮୪, ୨୦୦୨ରେ ଇଂଲଣ୍ଡଠାରୁ, ୧୯୯୦ରେ ଶ୍ରୀଲଙ୍କା ଠାରୁ ଓ ୨୦୦୩ରେ ନ୍ୟୁଜିଲାଣ୍ଡଠାରୁ ବାରବାଟୀରେ ପରାସ୍ତ ହୋଇଛି । ୨୦୦୭ ମସିହା ପରଠାରୁ ବାରବାଟୀରେ ଫଳାଫଳ ଆସିଥିବା ୬ଟି ମ୍ୟାଚରୁ ୬ଟି ଯାକ ଜିତିଛି ଭାରତ ।

କେଉଁ ଭାରତୀୟ ଖେଳାଳି ବାରବାଟୀରେ କରିଛନ୍ତି ଶତକ

ଅର୍ଥାତ ୨୦୦୩ରେ ଶେଷ ଥର ପାଇଁ ବାରବାଟୀରେ ଭାରତ ନ୍ୟୁଜିଲାଣ୍ଡଠୁ ୪ ୱିକେଟରେ ହାରିଥିଲା । ବାରବାଟୀରେ ଏପର୍ଯ୍ୟନ୍ତ ମୋଟ ୧୨ଟି ଦିନିକିଆ ଶତକ ହୋଇଥିବା ବେଳେ ୧୫୩ରନ ସହ ମହମ୍ମଦ ଆଝାରୁଦ୍ଧିନ ସର୍ବାଧିକ ବ୍ୟକ୍ତିଗତ ସ୍କୋର ହାସଲ କରିଛନ୍ତି । ଏଠାରେ ଶତକ ହାସଲ କରିଥିବା ଅନ୍ୟ ଭାରତୀୟ ଖେଳାଳି ହେଉଛନ୍ତି ରବି ଶାସ୍ତ୍ରୀ, ଅଜୟ ଜାଡେଜା, ସଚିନ ତେନ୍ଦୁଲକର, ଆଜିଙ୍କ୍ୟ ରାହାଣେ, ଶିଖର ଧାୱନ, ଯୁବରାଜ ସିଂ ଓ ମହେନ୍ଦ୍ର ସିଂ ଧୋନି । ୨୦୧୭ରେ ବାରବାଟୀରେ ଖେଳାଯାଇଥିବା ଭାରତ-ଇଂଲଣ୍ଡ ମ୍ୟାଚରେ ଭାରତ ୧୫ରନରେ ବିଜୟୀ ହୋଇଥିବା ବେଳେ ଯୁବରାଜ ସିଂ ୧୫୦ ଓ ମହେନ୍ଦ୍ର ସିଂ ଧୋନି ୧୩୪ ରନର ଶତକୀୟ ଇନିଂସ ଖେଳିଥିଲେ ।

Related Posts