ଦେଶର ସମସ୍ତ କୋଭିଡ୍ ଯୋଦ୍ଧା ଓ ଫ୍ରଣ୍ଟଲାଇନ୍ ୱାର୍କରଙ୍କୁ ପଦକ ସମର୍ପିତ କଲେ ଭାରତୀୟ ପୁରୁଷ ହକି ଟିମ୍ ଅଧିନାୟକ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ଟୋକିଓ ଅଲିମ୍ପିକ୍ସରେ ଇତିହାସ ରଚିଛି ଭାରତୀୟ ପୁରୁଷ ହକି ଟିମ୍। ଦୀର୍ଘ ୪୧ ବର୍ଷ ପରେ ଆଜି ଜର୍ମାନୀକୁ ୫-୪ରେ ହରାଇ ଭାରତୀୟ ଟିମ ବ୍ରୋଞ୍ଜ ପଦକ ଜିତିଛି। ଐତିହାସିକ ବିଜୟ ପରେ ଦେଶର ସମସ୍ତ କୋଭିଡ୍ ଯୋଦ୍ଧା ଓ ଫ୍ରଣ୍ଟଲାଇନ୍‌ ୱାର୍କର୍ସଙ୍କୁ ପଦକ ସମର୍ପିତ କରିଛନ୍ତି ଭାରତୀୟ ହକି ଦଳର କ୍ୟାପଟେନ ମନପ୍ରୀତ୍ ସିଂହ।

 ମ୍ୟାଚ୍ ରେ ବିଜୟୀ ହେବା ପରେ ମନପ୍ରୀତ୍ କହିଛନ୍ତି , ଏହି ପଦକକୁ କରୋନା ସମୟରେ ଦେଶ ପାଇଁ ଦିନ ରାତି କାମକରୁଥିବା ସମସ୍ତ କୋଭିଡ୍ ଯୋଦ୍ଧା ଓ ଫ୍ରଣ୍ଟଲାଇନ୍ ୱାର୍କର୍ସଙ୍କ ପାଇଁ।

ଆଜିର ମ୍ୟାଚ୍‌ରେ ଭାରତୀୟ ଦଳ ଖେଳ ଆରମ୍ଭ ହେବାର ଦ୍ୱିତୀୟ ମିନିଟ୍‌ରେ ଜର୍ମାନୀ ଗୋଟିଏ ଗୋଲ୍ ଦେଇ ୧-୦ରେ ଆଗୁଆ ରହିଥିବା ବେଳେ ଭାରତୀୟ ଦଳ ଦ୍ୱିତୀୟ କ୍ୱାର୍ଟର ପ୍ରାରମ୍ଭରେ ଗୋଟିଏ ଗୋଲ୍ ଦେଇ ସ୍କୋରକୁ ବରାବର କରି ଦେଇଥିଲା। ମ୍ୟାଚ୍ ର ୧୭ତମ ମିନିଟ୍‌ରେ ଭାରତ ପକ୍ଷରୁ ସିମରନଜୀତ୍ ସିଂହ ଗୋଲ ଦେଇଥିଲେ। 

କିନ୍ତୁ ୨୪ ଓ ୨୫ ତମ ମିନିଟ୍‌ରେ ଜର୍ମାନୀ ଲଗାତାର ଦୁଇଟି ଗୋଲ୍ ଦେଇ ୩-୧ରେ ଆଗୁଆ ରହିଥିଲା। ତେବେ ଭାରତୀୟ ଦଳ ୨୭ ଓ ୨୯ତମ ମିନିଟ୍‌ରେ ଦୁଇଟି ଗୋଲ୍ ଦେଇ ପୁଣି ଥରେ ୩-୩ ସ୍କୋର୍ ସହ ସ୍ଥିତି ବରାବର ରଖିଥିଲେ। 

ଦ୍ୱିତୀୟ କ୍ୱାର୍ଟରେ ଦୁଇ ଦଳ ସମାନ ସ୍ଥିତିରେ ରହିଥିବା ବେଳେ ତୃତୀୟ କ୍ୱାର୍ଟର ପ୍ରାରମ୍ଭରେ ଅର୍ଥାତ୍ ୩୧ତମ ମିନିଟ୍‌ରେ ଭାରତର ରୁପିନ୍ଦର ପଲ ସିଂହ ଆଉ ଗୋଟିଏ ଗୋଲ୍ ଦେଇ ୪-୩ରେ ଆଗୁଆ ରହିଥିଲେ। ଏହା ପରେ ୩୪ତମ ମିନିଟ୍‌ରେ ସିମରନଜୀତ ସିଂହ ଆଉ ଗୋଟିଏ ଗୋଲ୍ ଦେବା ପରେ ଭାରତ ୫-୩ରେ ଆଗୁଆ ହୋଇଥିଲା। ତୃତୀୟ କ୍ୱାର୍ଟରରେ ଜର୍ମାନୀ ଗୋଟିଏ ବି ଗୋଲ୍ କରିବାରେ ସମର୍ଥ ହୋଇ ନଥିଲା।

ଚତୁର୍ଥ କ୍ୱାର୍ଟରର ଦଳ ପକ୍ଷରୁ ଲୁକାସ୍ ୱିଣ୍ଡଫେଡର ଏକ ଗୋଲ୍ ଦେଇଥିଲେ। ଏବଂ ଶେଷରେ ଭାରତ ୫-୪ରେ ଏହି ମ୍ୟାଚ୍‌କୁ ଜିତି ନେଇଥିଲା।

ସୂଚନା ଥାଉକି, ଅଲିମ୍ପିକ୍ସରେ ଏହା ହେଉଛି ଭାରତୀୟ ପୁରୁଷ ହକି ଦଳର ତୃତୀୟ ବ୍ରୋଞ୍ଜ ପଦକ। ଏହା ପୂର୍ବରୁ ୧୯୬୮ ଓ ୧୯୭୨ ଅଲିମ୍ପିକ୍ସରେ ଦଳ ବ୍ରୋଞ୍ଜ ପଦକ ଜିତିଥିଲା। 

Related Posts