ଫଟୋ କହିଲା ଭାରତ-ପାକ୍ ସମ୍ପର୍କ

ସତ୍ୟପାଠ ବ୍ୟୁରୋ : ପାକିସ୍ତାନ ଠାରୁ ପୁଣି ଦୂରତା ଦେଖାଇଛି ଭାରତ । ସଂଘାଇ ସମିଟର ଦ୍ୱିତୀୟ ଦିନରେ ବି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଠାରୁ ଦୂରତା ଦେଖାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଶୁକ୍ରବାର କିର୍ଗୀସ୍ତାନରେ ଆୟୋଜିତ ଏକ ଫଟୋସୁଟ କାର୍ଯ୍ୟକ୍ରମରେ ଏମିତି କିଛି ଦେଖିବାକୁ ମିଳିଛି । ଫଟୋରେ ଇମରାନଙ୍କ ଠାରୁ ବେଶ ଦୂରରେ ଛିଡା ହୋଇଥିବା ନଜର ଆସିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏପରିକି ଫଟୋ ସେସନକୁ ଯିବା ସମୟରେ ଚୀନ ରାଷ୍ଟ୍ରପତି ସି ଚିନପିଙ୍ଗଙ୍କ ସହ ମୋଦି ଆଗରେ ଚାଲି ଚାଲି ଯାଉଥିବା ବେଳେ ଇମରାନ ଅନ୍ୟନେତାଙ୍କ ସହ ପଛରେ ଯାଉଥିବା ଦେଖିବାକୁ ମିଳିଥିଲା ।

ଫଟୋରେ ମୋଦି ବାମରୁ ପ୍ରଥମରେ ଛିଡା ହୋଇଛନ୍ତି । ପାଖରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟ୍ଟିନ ଛିଡା ହୋଇଛନ୍ତି । ଫଟୋ ଉଠାଇବା ବେଳେ ଗୋଟିଏ ସେକେଣ୍ଡ ପାଇଁ ବି ଇମରାନଙ୍କ ଆଡକୁ ଚାହିଁ ନଥିଲେ ମୋଦି । ଖବର ସରବରାହ ସଂସ୍ଥା ଏଏନଆଇ ଏ ସଂପର୍କିତ ଏକ ଭିଡିଓ ଜାରୀ କରିଛି । ଯେଉଁଥିରେ ଏ ଭାରତ ଓ ପାକିସ୍ତାନର ଦୁଇ ଶୀର୍ଷ ନେତାଙ୍କର ଏହି ଦୂରତା ସଫା ସଫା ଦେଖା ଯାଉଛି ।

ଏହାପରେ ବୈଠକରେ ଆତଙ୍କବାଦକୁ ନେଇ କଡା ମନ୍ତବ୍ୟ ଦେଇଥିଲେ ପ୍ରଧାନମନ୍ତ୍ରୀ ମୋଦି । ମୋଦି କହିଥିଲେ, ସମାଜକୁ ଆତଙ୍କବାଦରୁ ମୁକ୍ତ କରିବାକୁ ସମସ୍ତଙ୍କ ସହଯୋଗ ଦରକାର । ସମସ୍ତେ ମିଶିକି ଏହା ବିରୋଧରେ ଲଢ଼େଇ କରିବା ଜରୁରୀ । କିନ୍ତୁ ପାକିସ୍ତାନର ନାଁ ନେଇ ନଥିଲେ ମୋଦି ।

ସବୁଠୁ ରୋଚକ କଥା ହେଉଛି, କେବଳ ଆଜି ନୁହେଁ ଗୁରୁବାର ରାତିରେ ସବୁ ନେତାଙ୍କୁ ନେଇ ଚାଲିଥିବା ନୈଶଭୋଜିରେ ବି ଇମରାନଙ୍କ ଠାରୁ ମୋଦି ଦୂରତା ଦେଖାଇଥିବା ଜଣାପଡିଛି । ଇଣ୍ଡିଆନ ଏକ୍ସପ୍ରେସର ରିପୋର୍ଟ ଅନୁସାରେ, ଏହି ନୈଶ ଭୋଜିରେ ମୋଦି ଓ ଇମରାନଙ୍କ ଭିତରେ ୭ଟି ଚେୟାରର ଦୂରତା ଥିଲା ।

Related Posts