ଏସିଆ କପ୍ କ୍ରିକେଟ ପାଇଁ ଘୋଷଣା ହେଲା ଭାରତୀୟ ଦଳ; ରୋହିତ ଅଧିନାୟକ, ଦଳକୁ ଫେରିଲେ ରାହୁଲ ଓ କୋହଲି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଅଗଷ୍ଟ ୨୭ରୁ ଆରମ୍ଭ ହେବାକୁ ଯାଉଛି ଏସିଆ କପ୍ କ୍ରିକେଟ। ଚଳିତ ଥର ଏହା ଟି-୨୦ ଫର୍ମାଟରେ ଖେଳାଯିବ। ଏଥିପାଇଁ ଭାରତୀୟ ଦଳ ଘୋଷଣା ହୋଇଛି। ଭାରତୀୟ ଦଳ ରୋହିତ ଶର୍ମାଙ୍କ ନେତୃତ୍ୱରେ ପଡିଆକୁ ଓହ୍ଲାଇବ। ଦଳକୁ ଫେରିବା ସହ ଉପଅଧିନାୟକ ସ୍ଥାନ ନେବେ କେଏଲ୍‌ ରାହୁଲ। ବିରାଟ କୋହଲି ମଧ୍ୟ ଦଳକୁ ଫେରିଛନ୍ତି। ତେବେ ଆହତ ଜନିତ କାରଣରୁ ପ୍ରମୁଖ ବୋଲର ଭୂମିକା ନେଉଥିବା ଜଶପ୍ରୀତ ବୁମ୍ରାଙ୍କୁ ଦଳରୁ ବାଦ୍ ଦିଆଯାଇଛି।

ଏସିଆ କପ୍‌ରେ ଭାରତ, ପାକିସ୍ତାନ, ଶ୍ରୀଲଙ୍କା, ବାଂଲାଦେଶ ଓ ଆଫଗାନିସ୍ତାନ ଅଂଶଗ୍ରହଣ କରିବେ । ଟିମ୍‌ ଗୁଡ଼ିକୁ ଦୁଇଟି ଗ୍ରୁପ୍‌ରେ ଭାଗ କରାଯାଇଛି। ‘ଏ’ ଗ୍ରୁପ୍‌ରେ ଶ୍ରୀଲଙ୍କା, ବାଂଲାଦେଶ ଓ ଆଫଗାନିସ୍ତାନ ଥିବା ବେଳେ ‘ ବି’ ଗ୍ରୁପ୍‌ରେ ଭାରତ, ପାକିସ୍ତାନ ଓ ଗୋଟିଏ କ୍ୱାଲିଫାଇଙ୍ଗ ଟିମ୍ ରହିବ। ଅଗଷ୍ଟ ୨୭ରେ ଉଦଘାଟନୀ ମ୍ୟାଚ ଅନୁଷ୍ଠିତ ହେବ। ଏହି ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ଭେଟିବ ଆଫଗାନିସ୍ତାନ। ଏହା ପରଦିନ ଦୁବାଇରେ ହେବାକୁ ଥିବା ମ୍ୟାଚ୍‌ରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବେ। ଫାଇନାଲ ମ୍ୟାଚ ସେପ୍ଟେମ୍ବର ୧୧ରେ ଦୁବାଇରେ ଖେଳାଯିବ।

ଭାରତୀୟ ଦଳରେ ସାମିଲ ଖେଳାଳିମାନେ ହେଲେ : ରୋହିତ ଶର୍ମା (ଅଧିନାୟକ), କେଏଲ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡ଼ା, ଋଷଭ ପନ୍ତ, ଦୀନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡ଼େଜା, ଆର. ଅଶ୍ୱିନ, ୟୁଜବେନ୍ଦ୍ର ଚହଲ, ରବି ବିଷ୍ଣୋଇ, ଭୁବନେଶ୍ୱର କୁମାର, ଅର୍ଶଦୀପ ସିଂହ ଓ ଆଭେସ ଖାନ୍।

Related Posts