ବହୁ ପ୍ରତୀକ୍ଷିତ ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଶେଷ; ଭାଜପା ଓ ଶିନ୍ଦେ ଗୋଷ୍ଠୀରୁ ୯-୯ ଜଣ ମନ୍ତ୍ରୀମଣ୍ଡଳରେ ସାମିଲ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବହୁ ପ୍ରତୀକ୍ଷିତ ମହାରାଷ୍ଟ୍ରର ଏକନାଥ ଶିନ୍ଦେ ସରକାରଙ୍କ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ମଙ୍ଗଳବାର ହୋଇଛି। ମୋଟ ୧୮ ଜଣ ମନ୍ତ୍ରୀ ଆଜି ମୁମ୍ବାଇସ୍ଥିତ ରାଜଭବନରେ ନୂଆ ମନ୍ତ୍ରୀ ରୂପେ ଶପଥ ଗ୍ରହଣ କରିଛନ୍ତି। ଏହା ସହିତ ମହାରାଷ୍ଟ୍ର କ୍ୟାବିନେଟରେ ସଦସ୍ୟଙ୍କ ସଂଖ୍ୟା ୨୦କୁ ବୃଦ୍ଧି ପାଇଛି। ଶିନ୍ଦେ ସରକାରରେ ସାମିଲ ହେବାକୁ ଥିବା ମନ୍ତ୍ରୀଙ୍କ ତାଲିକା ଜାରି କରାଯାଇଛି।ଶିନ୍ଦେ ଗୋଷ୍ଠୀ ଏବଂ ଭାରତୀୟ ଜନତା ପାର୍ଟି (ଭାଜପା) ଉଭୟ ପକ୍ଷରୁ ନଅ ନଅ ଜଣ ବିଧାୟକଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରାଯାଇଛି। ତେବେ କେଉଁ ମନ୍ତ୍ରୀଙ୍କୁ କେଉଁ ବିଭାଗ ଆବଣ୍ଟନ କରାଯାଉଛି ତାହା ଆଗାମୀ ସମୟରେ ଜଣା ପଡ଼ିବ।

ସୂଚନାଯୋଗ୍ୟ, ଶିବସେନାରେ ବିଦ୍ରୋହ ଯୋଗୁ ଉଦ୍ଧବ ଠାକ୍‌ରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଜୁନ୍‌ ୩୦ରେ ଶିନ୍ଦେ ଏବଂ ଫଡ୍‌ନବିସ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଦୀର୍ଘଦିନ ହେବ ଦୁଇଜଣ ମନ୍ତ୍ରୀରେ ସରକାର ଚାଲିଥିବାରୁ ଏହାକୁ ନେଇ ବିରୋଧୀ ସମାଲୋଚନା କରୁଥିଲେ। ଶିନ୍ଦେ ପ୍ରଶାସନିକ ଅଧିକାରୀଙ୍କୁ ସ୍ବତନ୍ତ୍ର କ୍ଷମତା ପ୍ରଦାନ କରିବା ବିରୋଧୀଙ୍କୁ କ୍ଷୁବ୍ଧ କରିଥିଲା। ବହୁ ସମାଲୋଚନା ପରେ ଆଜି ମହାରାଷ୍ଟ୍ର ସରକାରର ସମ୍ପ୍ରସାରଣ ହୋଇଛି।

Related Posts