ନୂଆଦିଲ୍ଲୀ: ଆମେରିକାରେ ଭାରତୀୟ ଯୁବକଙ୍କୁ ଗୁଳି କରି ହତ୍ୟା କରିଯାଇଥିବା ନେଇ ସୂଚନା ରହିଛି। ଆମେରିକାର କାଲିଫର୍ଣ୍ଣିଆ ସହରରେ ଏହି ଘଟଣା ଘଟିଛି। ମୃତକ ହେଉଛନ୍ତି ତେଲଙ୍ଗାନାର ୩୦ ବର୍ଷିୟ ଇଞ୍ଜିନିୟର ମହମ୍ମଦ ନିଜାମୁଦ୍ଦିନ । ତେବେ ତାଙ୍କୁ ଗତ ୩ ତାରିଖରେ ଗୁଳି କରି ହତ୍ୟା କରାଯାଇଥିବା ନେଇ ସୂଚନା ରହିଛି।
ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ନିଜାମୁଦ୍ଦିନ ନିଜର ବନ୍ଧୁଙ୍କୁ ଛୁରୀ ଦ୍ୱାରା ଆକ୍ରମଣ କରିଥିଲେ। ଏ ସମ୍ପର୍କରେ ଖବର ପାଇ ପୋଲିସ ଘଟଣା ସ୍ଥଳକୁ ଆସିଥିଲା। ପୋଲିସୁ ଦେଖି ନିଜାମୁଦ୍ଦିନ ଦୌଡିବାକୁ ଲାଗିଥିଲେ।ମାତ୍ର ତାଙ୍କୁ ଅଟକାଇବାକୁ ପୋଲିସ ଗୁଳି ଚଳାଇଥିଲା। ଯେଉଁଥିରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ପୋଲିସ ସୂଚନା ଦେଇଛି।
ପୁଅର ମରଶରୀରକୁ ଫେରାଇ ଆଣିବା ଲାଗି ପରିବାର ପକ୍ଷରୁ ଦାବି
ତେଲେଙ୍ଗାନାର ମହବୁବନଗର ଜିଲ୍ଲାର ବାସିନ୍ଦା ମହମ୍ମଦଙ୍କ ବାପା ମହମ୍ମଦ ହସନୁଦ୍ଦିନ୍ ଭାରତର ବୈଦେଶିକ ମନ୍ତ୍ରୀ ଜୟଶଙ୍କରଙ୍କୁ ଚିଠି ଲେଖି ଉତ୍ତର ଏବଂ ନ୍ୟାୟ ପାଇଁ ଦାବି କରିଛନ୍ତି। ସେ ତାଙ୍କ ପୁଅର ମୃତଦେହକୁ ଭାରତ ଆଣିବା ପାଇଁ ବୈଦେଶିକ ମନ୍ତ୍ରୀଙ୍କୁ ମଧ୍ୟ ନିବେଦନ କରିଛନ୍ତି। ସେ ଚିଠିରେ ଲେଖିଛନ୍ତି ଯେ ତାଙ୍କ ପୁଅ ମାଷ୍ଟର ଡିଗ୍ରୀ ପାଇଁ ଆମେରିକା ଯାଇଥିଲା। କାଲିଫର୍ଣ୍ଣିଆର ସାଣ୍ଟା କ୍ଲାରାରେ ରହୁଥିଲା। କିନ୍ତୁ ସେ ତାଙ୍କ ଜଣେ ବନ୍ଧୁଙ୍କଠାରୁ ତାଙ୍କ ହତ୍ୟା ଖବର ପାଇଥିଲା। ସେ ସନ୍ଦେହ କରିଥିଲେ ଯେ ଏହି ଝଗଡ଼ା ଜାତିଗତ ଭେଦଭାବ ଯୋଗୁଁ ହୋଇଥାଇପାରେ। ଯାହା ସେ ତାଙ୍କ ପରିବାରକୁ କହିଥିଲେ।
ହସନୁଦ୍ଦିନ କହିଛନ୍ତି ଯେ ତାଙ୍କ ପୁଅର ମୃତଦେହ ସାଣ୍ଟା କ୍ଲାରାର ଏକ ହସ୍ପିଟାଲରେ ରଖାଯାଇଛି। ସେ ବୈଦେଶିକ ମନ୍ତ୍ରୀ ଜୟଶଙ୍କରଙ୍କୁ ତାଙ୍କ ପୁଅର ହତ୍ୟା ବିଷୟରେ ବିସ୍ତୃତ ସୂଚନା ପାଇବାକୁ ଏବଂ ସମଗ୍ର ଘଟଣା ବିଷୟରେ ଜଣାଇବାକୁ ଅନୁରୋଧ କରିଥିଲେ। କାରଣ ମହମ୍ମଦ କାହାକୁ ଆକ୍ରମଣ କରିବାକୁ ସକ୍ଷମ ବ୍ୟକ୍ତି ନଥିଲେ। ପ୍ରକୃତରେ ସେ ଜାତିଗତ ଭେଦଭାବର ସମ୍ମୁଖୀନ ହେଉଥିଲେ, ଯାହା ଫଳରେ ଏହି ମାସ ଆରମ୍ଭରେ ତାଙ୍କ ରୁମମେଟ୍ ସହିତ ଝଗଡ଼ା ହୋଇଥିଲା। ତାଙ୍କ ପରିବାର ତାଙ୍କୁ ରୁମ ପରିବର୍ତ୍ତନ କରି ପୋଲିସ ଅଭିଯୋଗ ଦାଖଲ କରିବାକୁ କହିଥିଲେ।
