ଭାରତର ଲଜ୍ଜାଜନକ ପ୍ରଦର୍ଶନ, 92 ରନ୍‌ରେ ଅଲ୍‌ଆଉଟ୍‌

ହାମିଲଟନ୍‌ ଦିନିକିଆକୁ ନ୍ୟୁଜିଲାଣ୍ଡ ଏକତରଫା ଭାବେ ୮ ୱିକେଟ୍‌ରେ ଜିତି ନେଇଛି । ଉଭୟ ବୋଲିଂ ଓ ବ୍ୟାଟିଂରେ ନୈରାଶ୍ୟଜନକ ପ୍ରଦର୍ଶନ କରିଛି ଭାରତୀୟ ଦଳ । ଖାସ୍‌ କରି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ମାତ୍ର 92 ରନ୍‌ରେ ଅଲ୍‌ଆଉଟ୍‌ ହୋଇଯିବା ଫଳରେ ସାମ୍ନାକୁ ଆସିଛି ଦଳର ବହୁ ଦୁର୍ବଳତା ।

ଅନ୍ୟପଟେ ଚତୁର୍ଥ ଦିନିକିଆ ଜିତିବା ସହ ନ୍ୟୁଜିଲାଣ୍ଡ ସିରିଜ୍‌ ପରାଜୟ ପରେ ନିଜ ସମ୍ମାନ ବଞ୍ଚାଇବାରେ କିଛିଟା ସଫଳ ହୋଇଛି । ପ୍ରଥମେ ବ୍ୟାଟିଂ କରି ଟିମ ଇଣ୍ଡିଆ, ଘରୋଇ ଦଳ ଆଗରେ ୯୩ ରନ୍‌ର ବିଜୟ ଲକ୍ଷ୍ୟ ରଖିଥିଲା । ଯାହାକୁ ନ୍ୟୁଜିଲାଣ୍ଡ ମାତ୍ର ୧୪ ଓଭର ୪ଟି ବଲରେ ୨ ୱିକେଟ୍‌ ହରାଇ ହାସଲ କରି ନେଇଥିଲା ।

ରସ ଟେଲର ୩୭ ଏବଂ ନିକୋଲସ ୩୦ ରନ କରି ଅପରାଜିତ ରହିଥିଲେ । ଭାରତ ପକ୍ଷରୁ ଭୁବନେଶ୍ବର କୁମାର ୨ଟି ଯାକ ୱିକେଟ୍‌ ହାସଲ କରିଥିଲେ । ପୂର୍ବରୁ ଟସ୍‌ ଜିତି ଭାରତକୁ ପ୍ରଥମେ ବ୍ୟାଟିଂ କରିବାକୁ ଆହ୍ଵାନ ଦେଇଥିଲା ନ୍ୟୁଜିଲାଣ୍ଡ । ନିୟମିତ ଅଧିନାୟକ ବିରାଟ କୋହଲି ଓ ଅଭିଜ୍ଞ ମହେନ୍ଦ୍ର ସିଂହ ଧୋନିଙ୍କ ଅନୁପସ୍ଥିତିରେ ଖେଳୁଥିବା ଭାରତୀୟ ଦଳର ବ୍ୟାଟିଂ ଲାଇନ୍‌ ଅପ୍‌ ନ୍ୟୁଜିଲାଣ୍ଡର ବୋଲିଂ ଆଗରେ ତାସ ଘର ପରି ଭୁଶୁଡ଼ି ପଡ଼ଥିଲା ।

ନ୍ୟୁଜିଲାଣ୍ଡର ବୋଲ୍ଟ ଓ ଗ୍ରାଣ୍ଡସହୋମଙ୍କ ବୋଲିଂର ସାମନା କରି ନ ପାରି ଜଣକ ପରେ ଜଣେ ଭାରତୀୟ ବ୍ୟାଟସମ୍ୟାନ୍‌ ପାଭିଲିୟନକୁ ଧାଡ଼ି ଲଗାଇଥିଲେ । କୁଳଦୀପ ଯାଦବ ଓ ୟୁଜଭେନ୍ଦ୍ର ଚହଲ ୯ମ ଓ୍ଵିକେଟ ପାଇଁ ସର୍ବାଧିକ ୨୫ ରନ ଯୋଡ଼ିଥିଲେ । ବ୍ୟକ୍ତିଗତ ଭାବେ ୧୮ ରନ୍‌ କରିଥିବା ଚହଲ ଭାରତର ଟପ୍‌ ରନ୍‌ ସ୍କୋରର ହୋଇଥିଲେ ।

ଡେବ୍ୟୁ ମ୍ୟାଚ୍‌ରେ ଶୁଭମନ ଗିଲ୍ ମାତ୍ର ୯ ରନ କରି ଆଉଟ୍‌ ହୋଇଥିଲେ । ୩୧ତମ ଓଭରରେ ମାତ୍ର ୯୨ରନ୍‌ରେ ସମସ୍ତ ଓ୍ଵିକେଟ୍‌ ହରାଇଥିଲା । ୨୧ ରନ୍‌ରେ ୫ ୱିକେଟ୍‌ ହାସଲ କରିଥିବା ବୋଲଟ୍‌ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଥିଲେ ।

Related Posts