
ରାଞ୍ଚି: ଝାଡ଼ଖଣ୍ଡ ରାଞ୍ଚି ବିମାନ ବନ୍ଦରରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣାର ଚିତ୍ର । ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି | ଯାହାକୁ ନେଇ ତୀବ୍ର ସମାଲୋଚନାର ଶିକାର ହୋଇଛନ୍ତି ଏୟାରଲାଇନ୍ସ କର୍ମଚାରୀ | ବିଭିନ୍ନ ମହଲରୁ କଡା ପ୍ରତିକ୍ରିୟା ପ୍ରକାଶ ପାଇଛି | ଏପରିକି ଏହି ଭିଡିଓ ଦେଖି ଭବିଷ୍ୟତରେ କେବେ ବି ଇଣ୍ଡିଗୋ ଏୟାରଲାଇନ୍ସରେ ଯିବେ ନାହିଁ ବୋଲି ମନସ୍ଥ କରିଥିବା ବହୁ ଯାତ୍ରୀ ଟ୍ୱିଟ କରିଛନ୍ତି।
ସୂଚନାଯୋଗ୍ୟ, ଇଣ୍ଡିଗୋ ଏୟାରଲାଇନ୍ସ କର୍ମଚାରୀ ଭୁଲିଗଲେ ମାନବିକତା । ଦିବ୍ୟାଙ୍ଗ ହୋଇଥିବାରୁ ଜଣେ ୧୩ ବର୍ଷୀୟ ନାବାଳକକୁ ବିମାନରେ ଯାତ୍ରା କରିବାକୁ ଦେଲେନି ସୁଯୋଗ । ଭିଡିଓରେ ଦେଖାଯାଇଛି ଓ୍ୱିଲ୍ ଚେୟାରରେ ଦିବ୍ୟାଙ୍ଗ ପିଲାଟି ନିଜ ମାତାପିତାଙ୍କ ସହ ବିମାନକୁ ଅପେକ୍ଷା କରିଥିଲେ। ହେଲେ ପିଲାଟିର ଅସ୍ୱାଭାବିକ ଆଚରଣ ଦେଖି ପିଲାଟିକୁ ବିମାନରେ ଯିବାକୁ କର୍ମଚାରୀ ଅନୁମତି ଦେଇ ନ ଥିଲେ। ସମ୍ପୃକ୍ତ ପିଲା ଅନ୍ୟ ଯାତ୍ରୀଙ୍କ ପାଇଁ ବିପଦ ସୃଷ୍ଟି କରିପାରେ ବୋଲି ଇଣ୍ଡିଗୋ କର୍ମଚାରୀ ଦର୍ଶାଇଥିଲେ । ଏହ ସହ ସଂପୃକ୍ତ ନାବାଳକ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ଉଡ଼ାଣ ପାଇଁ ଅନୁମତି ମିଳିନଥିଲା ।
ବିମାନ କର୍ମଚାରୀଙ୍କ ଏତାଦୃଶ ବ୍ୟବହାରକୁ ସେଠାରେ ଥିବା ଅନ୍ୟ ଯାତ୍ରୀ ବରଦାସ୍ତ କରି ନ ପାରି ପ୍ରବଳ ବିରୋଧ କରିଥିଲେ। ଏପରିକି ଇଣ୍ଡିଗୋ କର୍ମଚାରୀ ଦିବ୍ୟାଙ୍ଗ ନାବାଳକଙ୍କ ପରିବାର ସଦସ୍ୟଙ୍କୁ ଦୁର୍ବ୍ୟବହାର କରିଥିବାର ଦୃଶ୍ୟକୁ ଅନ୍ୟ ଯାତ୍ରୀମାନେ ମୋବାଇଲରେ କଏଦ କରିଥିବା ବେଳେ ଏବେ ତାହା ଭାଇରାଲ ହେବାରେ ଲାଗିଛି। ଏହାକୁ ନେଇ ସମାଲୋଚନାର ସରବ୍ୟ ହୋଇଛି ଇଣ୍ଡିଗୋ ଏୟାର ଲାଇସେନ୍ସ।
ଇଣ୍ଡିଗୋ ପକ୍ଷରୁ ଦାବି କରି କୁହାଯାଇଛି ଯେ, ସଂପୃକ୍ତ ଦିବ୍ୟାଙ୍ଗ ନାବାଳକ ଏବଂ ତାଙ୍କ ପରିବାରକୁ କମ୍ପାନୀ ପକ୍ଷରୁ ରହିବା ପାଇଁ ସୁବିଧା କରାଯାଇଥିଲା । ଆଜି ସକାଳୁ ସେମାନଙ୍କୁ ଇଣ୍ଡିଗୋ ବିମାନ ଯୋଗେ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଯାଇଛି । ଏହା ସହ ଇଣ୍ଡିଗୋ ବିମାନରେ ମାସିକ ୭୫ ହଜାର ଦିବ୍ୟାଙ୍ଗ ଉଡ଼ାଣ ଭରୁଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି।